ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Spread the love

ପିପିଲି, ୨୪/୧୧ (ସନ୍ଧାନ ନିଉଜ) : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟଛକ ଠାରେ ରବିବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପବିତ୍ର କୁମାର ପତି(୫୦) ଓରଫ ଟିକିନା ଭାଇନା ଓ ତାଙ୍କ ଘର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ରାଇଗିରିପୁର ନିକଟ ପାଇକପଡା ମୌଜାର ରାଉତପଡା ଗ୍ରାମରେ ହୋଇଥିବା ସୂଚନା ମିଳିଛି। ସେ ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ ପୁରୋହିତ ଭାବେ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ପବିତ୍ର ନିଜ ବାଇକ୍‍ରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟଛକ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପଛରୁ ଦ୍ରୁତଗତିରେ ଯାଉଥିବା ଏକ କାର୍‍ (ୟୁପି ୬୫ବିଏ ୫୫୪୧)ତାଙ୍କ ବାଇକ୍‍କୁ ଧକ୍କା ଦେବା ଫଳରେ ସେ ପ୍ରାୟ ୩୦ଫୁଟ୍‍ ଦୂରକୁ ଛିଟିକି ପଡିଥିଲେ। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପିପିଲି ଦମକଳବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ପିପିଲି ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Related Posts

About The Author

Add Comment