ରାଉରକେଲା, ୨୧/୦୭/୨୦ (ସନ୍ଧାନ ନିଉଜ) : ୫.୦ ତାଲା ବନ୍ଦର ଥିଲା ପ୍ରଥମ ରବିବାର । ସରକାରୀ ନିୟମ ମୁତାବକ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିଥିଲା ପନିପରିବା, ତେଜରାତି, ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଦୋକାନ । ମାତ୍ର ସାରନଗରୀରେ କୋଭିଡ଼ କଟକଣାକୁ ଲୋକେ ନମାନିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ପୁଲିସ ପ୍ରଶାସନ ପକ୍ଷରୁ ମାସ୍କ ଯାଂଚ ସହ ଅମାନିଆଙ୍କୁ ଧରିବା ଲାଗି ବିଭିନ୍ନ ରଣକୌଶଳ ଆପଣାଯାଇଥିଲେ ମଧ୍ୟ ତାହା ଏତେଟା ସଫଳ ହୋଇ ପାରି ନଥିବା ବେଳେ ଲୋକେ ସାମାଜିକ ଦୂରତାକୁ ପାଶୋରି ଯାଇଥିଲେ । ତାଲା ବନ୍ଦ(ଲକ ଡାଉନ)ର ପ୍ରଥମ ରବିବାରରେ ସାରନଗରୀ ସୁପର ମାର୍କେଟ ସ୍ଥିତ ପରିବା ବଜାର ଓ ମାଛ ମାର୍କେଟରେ ସକାଳ ୮ଟାରୁ ସାରନଗରୀବାସୀଙ୍କ ଗହଳି ଜମିଥିଲା । କିଛି ସଚେତନ ନାଗରିକ, ବରିଷ୍ଠ ବ୍ୟକ୍ତିଙ୍କ ମୁହଁରେ ମାସ୍କ ଶୋଭା ପାଉଥିବା ବେଳେ, ଅଧିକାଂଶଙ୍କ ମୁହଁରେ ମାସ୍କ କି ରୁମାଲ ନଥିଲା । ସାରନଗରୀରେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନାକୁ ଆସିଥିଲେ ସୁଦ୍ଧା, ଲୋକେ ଏତେଟା ସଚେତନ ହୋଇ ପାରି ନଥିବା ପ୍ରକାଶ । ସେହିପରି ପରିବା ବହୁ ପରିବା ବିକାଳି ଓ ମାଛ ବ୍ୟବସାୟୀଙ୍କ ମୁହଁରେ ମାସ୍କ ବାନ୍ଧି ନଥିବାରୁ ସ୍ଥାନୀୟ ପୁଲିସ ସେମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ । ନିକଟ ପରିବା ବଜାରକୁ ଗାଡ଼ି ଧରି ନଆସିବାକୁ ନିୟମ ରହିଥିଲେ ସୁଦ୍ଧା ଏହା ବିଫଳ ସାବ୍ୟସ୍ତ ହୋଇଥିଲା ।
ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଗଂଜୁ ମାର୍କେଟ, ରଙ୍ଗୋଲି ଛକ, ଚିପ ଟାଇପ ମାର୍କେଟ, ପାଣି ଟାଙ୍କି ମାର୍କେଟ, ମଡର୍ଣ୍ଣ ଇଣ୍ଡିଆ, ଲୋକନାଥ ମାର୍କେଟ, କନଷ୍ଟ୍ରକସନ କଲୋନୀ, ଆରଏଚ କଲୋନୀ ଓ ଅନ୍ୟ ଗଳିକନ୍ଦିରେ ଥିବା ତେଜରାତି ଦୋକାନରେ ତାଲାବନ୍ଦର ପ୍ରଥମ ରବିବାରରେ ଲୋକଙ୍କ ଗହଳି ଜମିଥିଲା । କେତେକ ଗ୍ରାହକ ଆଗକୁ ଲକ ଡାଉନ ବଢିବା ଭୟରେ ମାସିକିଆ ସଉଦା ଘରକୁ ନେବା ଦେଖାଯାଇଥିଲା । କିଛି ତେଜରାତି ଦୋକାନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ, ଅନେକାଂଶ ଦୋକାନରେ ସାମାଜିକ ଦୂରତା ଆଦୌ ରହି ନଥିଲା ।
ଲକ ଡାଉନରେ ଚା ଓ ପାନ ଦୋକାନ ନଖୋଲିବା ନେଇ କଡାକଡ଼ି ନିୟମ ରହିଥିଲେ ସୁଦ୍ଧା ଦକ୍ଷିଣ ରାଉରକେଲାରେ କିଛି ଜାଗାରେ ଭୋର ୪ଟାରୁ ୭ଟା ମଧ୍ୟରେ ଚା ବିକ୍ରି କରାଯାଇଥିବା ଜଣାପଡ଼ିଛି । ଚା ଦୋକାନୀ ମାନେ ଖୁବ ସତର୍କତା ସହିତ ଲୋକଙ୍କୁ ଚା ପରିବେଷଣ କରିଥିଲେ । ଗ୍ରାହକ ମାନେ କରୋନା ଖବରକୁ ନିଜ ନିଜ ଭିତରେ ଆଲୋଚନା କରି ଚା ପିଇବା ଲକ୍ଷ୍ୟ କରାଯାଇଥିଲା ।
ଲକ ଡାଉନରେ ଅମାନିଆଙ୍କୁ ସାବାଡ କରିବା ଲାଗି କରୋନା ଯୋଦ୍ଧା ପୁଲିସ କର୍ମୀ ଅଂଟା ଭିଡ଼ିଥିଲେ । ମାତ୍ର କିଛି ଜାଗା ଯେପରି ପରିବା ବଜାର,ମାଛ ବଜାରରେ ଅମାନିଆଙ୍କୁ ତାଗିଦ କରିବା ଲାଗି ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଗାଡ଼ିରେ ବିନା ମାସ୍କରେ ଯାଉଥିବା ଅମାନିଆ ଯୁବ ପିଢୀ ପୁଲିସକୁ ହାତ ଯୋଡ଼ି ନେହୁରା କରିବା ସହ ବିଭିନ୍ନ ଆଳ ଦେଖାଇ ଲକ ଡାଉନ ପ୍ରଭାବରୁ ନିଜକୁ ମୁକ୍ତ ରଖିବାକୁ ସମର୍ଥ ହୋଇ ପାରିଥିଲେ ।
ସାରନଗରୀର କିଛି ବସ୍ତି ଓ କଲୋନୀରେ ଅବାଧରେ ଚୋରା ମଦ କାରବାର ଚାଲିବା ପୂର୍ବରୁ ଅଭିଯୋଗ ରହି ଆସିଛି । ଏଥର ଲକ ଡାଉନ ସଂପୂର୍ଣ୍ଣ ଭାବେ କଡ଼ା ହୋଇଥିବାରୁ କିଛି ଚୋରା ଦେଶୀ ମଦ ବେପାରୀ ଗ୍ରାହକ ମାନଙ୍କୁ ତରବରିଆ ଭାବେ ପ୍ଲାଷ୍ଟିକ ବୋତଲରେ ଦେଶୀ ମଦ ପାର୍ସଲ କରି ବିକ୍ରି କରିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ଅନ୍ୟପକ୍ଷେ ପୁଲିସ ଭୟରେ ମଦ୍ୟପ ମାନେ ତତକ୍ଷାଣତ ବୋତଲରେ ଦେଶୀମଦ ଭରି ଘଟଣାସ୍ଥଳରୁ ତୁରନ୍ତ ଚାଲି ଯାଉଥିବା ତାଲା ବନ୍ଦର ପ୍ରଥମ ରବିବାରରେ ସାରନଗରୀରେ ଦୃଷ୍ଟି ଗୋଚର ହୋଇଥିଲା ।