ଶିଶୁ ବୈଜ୍ଞାନିକଙ୍କ ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ

Spread the love

ଯାଜପୁର: ୨୧/୧୧:(ସନ୍ଧାନ ନ୍ୟୁଜ ): କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଆନୁକୂଲ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଯାଜପୁର ଜିଲ୍ଳାରେ ଚଳିତ ବର୍ଷ ମଧ୍ୟ ପୂର୍ବ ସଫଳତା ବଜାୟ ରଖିଛି । ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯାଜପୁର ଜିଲ୍ଲାର ଗୋଟିଏ ପ୍ରକଳ୍ପ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ ହୋଇଛି । ପ୍ରକଳ୍ପର ଶୀର୍ଷକ ହେଉଛି ‘କମ୍ ଖର୍ଚ୍ଚରେ ପ୍ରକୃତିରେ ପରିପୋଷିତ ପ୍ରାକୃତିକ ଚାଷ’ ଅର୍ଥାତ୍ ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିରେ ଖର୍ଚ୍ଚାନ୍ତ ନ ହୋଇ ପ୍ରାକୃତିକ ଉପାୟରେ ସ୍ୱଳ୍ପ ବ୍ୟୟରେ ଉନ୍ନତ କୃଷି ସମ୍ଭବ ବୋଲି ପ୍ରକଳ୍ପରେ ଦର୍ଶାଯାଇଛି । ଖଣ୍ଡିତର ସରକାରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଟଳ ବିହାରୀ ବେହେରାଙ୍କ ମାର୍ଗଦର୍ଶନରେ ନବମ ଶ୍ରେଣୀର ଛାତ୍ର ରଶ୍ମି ରଂଜନ ଦାଶ ଓ ରାଜେଶ ଦାଶଙ୍କ ଦ୍ୱାରା ଏହି ପ୍ରକଳ୍ପଟି ପ୍ରସ୍ତୁତ ହୋଇଥିଲା । ରାଜ୍ୟ ଶିଶୁ ବିଜ୍ଞାନ କଂଗ୍ରେସର ସଂଯୋଜକ ଡଃ ରଣସିଂହ ନିର୍ମଳେନ୍ଦୁ ରାୟ ଓ ମଞ୍ଚାସୀନ ଅନ୍ୟାନ୍ୟ ଅତିଥିବୃନ୍ଦ ଦଳପତି ରଶ୍ମି ରଂଜନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ସମ୍ବର୍ଦ୍ଧିତ କରିଥିଲେ ଓ ଏହି ପ୍ରକଳ୍ପଟି ଚଳିତ ମାସ ୧୬ ତାରିଖରେ ଯାଜପୁର ସହରର ବୈଷ୍ଣବ ଦତ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରୁ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା ଏବଂ ଉକ୍ତ ଶିକ୍ଷକଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ପ୍ରକଳ୍ପ ମଧ୍ୟ ପୂର୍ବରୁ ୨୦୧୮ ଓ ୨୦୧୯ରେ ଏହି ଭଳି ସଫଳତା ମିଳିଥିଲା ବୋଲି ଜଣାଯାଇଛି । ଜିଲ୍ଲାର ଉକ୍ତ ଦୁଇଜଣ ଶିଶୁ ବୈଜ୍ଞାନିକ ଓ ତାଙ୍କ ମାର୍ଗଦର୍ଶକ ଶିକ୍ଷକଙ୍କ ସଫତଳା ନିମନ୍ତେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ରସୁଲପୁର ମଣ୍ଡଳ ଶିକ୍ଷାଧିକାରୀ ନୀଳାମ୍ବର ମିଶ୍ର, ଯଯାତି କେଶରୀ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବିଷ୍ଣୁ ଚରଣ ପଣ୍ଡା, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଯାଜପୁର ଜିଲ୍ଲା ସଂଯୋଜକ ତଥା ଦଶରଥପୁର ହାଇସ୍କୁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା, ଖଣ୍ଡିତର ହାଇସ୍କୁଲର ପ୍ରଧାନଶିକ୍ଷକ ସୁନନ୍ଦ କୁମାର ରାଉତ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟସଭ୍ୟା, ଜିଲ୍ଲାର ବହୁ ବିଜ୍ଞାନ ଶିକ୍ଷକଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ବା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଥାନ ଓ ତାରିଖ ନିର୍ଦ୍ଧାରିତ ହୋଇ ନାହିଁ ବୋଲି ଡଃ ପଣ୍ଡା ଜଣାଇଛନ୍ତି ।

Related Posts

About The Author

Add Comment