ଯାଜପୁର, ୨/୩ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ ବୃନ୍ଦାଦେଈପୁର ବ୍ରାହ୍ମଣୀ ନଦୀ ବାଲି ଘାଟରୁ ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ଶୁକ୍ରବାର ପୂର୍ବାହ୍ଣରେ ଜେସିବି ମେସିନ ଯୋଗେ ବାଲି ଉଠାଯାଇ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ବାଲି ହାଇଓ୍ୱା ଯୋଗେ ପରିବହନ କରାଯାଉଥିବାର ଦେଖିବାକୁ ମିଳିଛି । ୨୦୧୯-୨୦୨୦ ବର୍ଷ ପର୍ଯ୍ୟନ୍ତ ଅବଧି ଥିବା ଏହି ଘାଟର ଲିଜ୍ ଧାରୀ ହେଉଛନ୍ତି ସ୍ଥାନୀୟ ମର୍ଜିତାପୁର ପଞ୍ଚାୟତ ଅଧୀନ ନଟିଲୋ ଗ୍ରାମର ଜୟନ୍ତ ଜେନା । ସରକାରୀ ନିୟମ ଅନୁସାରେ ବାଲିଘାଟରୁ କେବଳ ଟ୍ରାକ୍ଟର ସହୟାତରେ ୩ ଘନ ସେ.ମି ଲେଖାଏ ବାଲି ଶ୍ରମିକମାନଙ୍କ ଦ୍ୱାରା ଲୋଡ କରାଯିବା ସହ ପାଲ ଘୋଡା ଯାଇ ରାସ୍ତାରେ ପରିବହନ କରାଯିବାର ବିଧି ରହିଛି । କିନ୍ତୁ ଏହାକୁ ଆଦୌ ଖାତିର ନକରି ବାଲି ମାଫିଆମାନେ ମନଇଚ୍ଛା ବାଲି ଉତ୍ତୋଳନ କରାଇବା ସଂଗେସଂଗେ ଜିଲ୍ଲାର ବିଭାଗୀୟ ପ୍ରାଶାସନିକ ଅଧିକାରୀ, ରାଜ୍ୟ ପରିବେଶ ପ୍ରଦୁଷଣ ପ୍ରଭାବ ଆକଳନ ଅଧିକାରୀ (ସିଆ)ଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏପରି ସ୍ଥଳେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କର ସ୍ୱାର୍ଥ ଉପରେ ଏହାର କୁପ୍ରଭାବ ପଡୁଥିବା ସ୍ପଷ୍ଟ ପରିଲିକ୍ଷିତ ହୋଇଛି । ଏହା ବାଲି ମାଫିଆଙ୍କ ସହିତ ଜିଲ୍ଲାର ବିଭାଗୀୟ ପଦଧିକାରୀମାନଙ୍କ ସହିତ ମଧୁଚନ୍ଦ୍ରିକା ସମ୍ପର୍କ ନା ଲୋକ ଦେଖାଣିଆ ବିରାଡି ବୈଷ୍ଣବ ବୋଲି ସର୍ବତ୍ର ଆଲୋଚନା ହେଉଛି । ଆସନ୍ତା ୧୨ ତାରିଖରେ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ ଜି ଟି ) ର ଏ ସଂକ୍ରାନ୍ତ ପରବର୍ତ୍ତୀ ଶୁଣାଣିର କାର୍ଯ୍ୟକ୍ରମ ରହିଛି । ତା ପୂର୍ବରୁ ରିପୋର୍ଟ ଦାଖଲ କରିବାପାଇଁ ଜିଲ୍ଲାର ପ୍ରାଶାସନିକ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ଦୃଶ୍ୟ ଓ ନିୟମକୁ ସ୍ଥାନୀୟ ଜେନାପୁର ପୋଲିସ୍ ଅନୁଭବ କରୁଥିଲେ ମଧ୍ୟ ଶାନ୍ତିଶୃଙ୍ଖଳା ଓ ନିୟମ ଦୃଷ୍ଟିରୁ କାହିଁକି ମେସିନ୍ କୁ ଜବତ କରାଯାଉ ନାହିଁ, ତାହା ସଚେତନ ନାଗରିକମାନଙ୍କୁ ସଦା ବିସ୍ମିତ କରିଛି । ତେଣୁ ବାଲି ମାଫିଆମାନଙ୍କ ଉପରେ ତୁରନ୍ତ ପ୍ରଦକ୍ଷେପ ନେବା ପୂର୍ବକ ସରକାରୀ ନିୟମକୁ ଏଠାରେ କଡାକଡି କରାଯିବାକୁ ସାଧାରଣରେ ଦୃଢ ଦାବି ହୋଇଛି ।
ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶକୁ ବେଖାତିର୍, ୨୪ ଘଣ୍ଟା ନ ପୂରୁଣୁ ପୁଣି ମେସିନ୍ ରେ ଉଠିଲା ବାଲି
|
March 2, 2019 |