ଶାଶୁ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ: ଅନୈତିକ ସମ୍ପର୍କ ସନ୍ଦେହ
ଶାଶୁ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ: ଅନୈତିକ ସମ୍ପର୍କ ସନ୍ଦେହ
Sandhan News |
June 17, 2019 |

ମୟୁରଭଞ୍ଜ, ୧୭/୬ (ସନ୍ଧାନ ନିଉଜ) ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମ ପଞ୍ଚାୟତର ଖୁଣ୍ଟାପାଳ ଗ୍ରାମରେ ଦୁଇଟି ହତ୍ୟା ହୋଇଛି। ମିଳିଥିବା ଖବର ଅନୁଯାୟୀ ସ୍ତ୍ରୀର ଅନୈତିକ ସମ୍ପର୍କ ସନ୍ଦେହରେ ସ୍ବାମୀ ଟାଙ୍ଗିଆ ହାଣି ନୃଶଂସ ଭାବେ ହତ୍ୟା କରିଛି। ଆଜି ସକାଳ ପ୍ରାୟ ୬ଘଟିକା ୩୦ମିନିଟ୍ ସମୟରେ ସ୍ତ୍ରୀ ଓ ଶାଶୁକୁ ନୃଶଂସ ଭାବେ ହତ୍ୟା କରିବା ଭଳି ଘଟଣା ଘଟିଛି। ଶାଶୂ ସୁନତି ମହାନ୍ତ(୬୧) ଓ ସ୍ତ୍ରୀ ମମତା ମହାନ୍ତ(୪୦)ଙ୍କୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ (୫୦) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର ଖବର ପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ରଙ୍କୁ ପୋଲିସ ନିଜ ଆୟତ୍ତକୁ ନେଇ ଅଟକ ରଖି ଅଧିକରୁ ଅଧିକ ତଦନ୍ତ ଚଳାଇଛି। ଗ୍ରାମବସୀଙ୍କ କହିବା ଅନୁସାରେ ପୂର୍ଣ୍ଣଚନ୍ଦ୍ର ରଜ ପୂର୍ବରୁ ଏକ ଟାଙ୍ଗିଆ ଧରି ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ଟାଙ୍ଗିଆ ଧରି ବୁଲୁଥିଲା। ତାହାକୁ ନେଇ ଶାଶୁ ଓ ସ୍ତ୍ରୀ ଭୟରେ ନିଜ ଘର ଛାଡି ଗ୍ରାମର ଅନ୍ୟ ଜଣଙ୍କ ଘରେ ଆତ୍ମଗୋପନ କରୁଥିଲେ। ପୂର୍ଣ୍ଣଚନ୍ଦ୍ର ଟାଙ୍ଗିଆ ଧରି ଏଭଳି ବୁଲିବା ସହ ଧମକ ଘଟଣାକୁ ନେଇ ଗତକାଲି ଶାଶୁ ସୁନତି ମହାନ୍ତ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରିଥିବାର ସାଧାରଣରେ ଆଲୋଚନା ହେଉଛି। ଯଦି ପୋଲିସ ଅଭିଯୋଗକୁ ଗୁରୁତ୍ୱ ନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ଦୁଇଟି ମୂଲ୍ୟବାନ ଜୀବନ ବଞ୍ଚି ଯାଇଥାନ୍ତା। ପୋଲିସର ଏଭଳି ଅବହେଳାକୁ ଦାୟିକରି ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପୋଲିସକୁ ଅଟକ ରଖିଥିଲେ। ଏଥିସହ ମୃତା ଗରିବ ମାଆ ଝିଅଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ସହ ମୃତାଙ୍କ ଶବକୁ ପୋଲିସ ନିଜ ଦାୟିତ୍ବରେ ଶବଦାହ କରିବାକୁ ଉତ୍ୟକ୍ତ ଲୋକମାନେ ଦାବି କରିଛନ୍ତି। ଏହାସହ ବ୍ୟତୀତ ମୃତା ସୁନତିର ଅଭିଯୋଗକୁ ରେକର୍ଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଉପେକ୍ଷା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Related Posts
About The Author