ଭୁବନେଶ୍ୱର, ୨୩/୨(ସନ୍ଧାନ ନିଉଜ) – ପୁଲୱାମାରେ ଶହୀଦ ହୋଇଥିବା ଦୁଇ ଓଡିଶା ବୀର ଯବାନଙ୍କ ପାଇଁ ସାରା ରାଜ୍ୟ ତଥା ଭାରତବର୍ଷ ଶୋକ ମନାଇବା ସହ ବିଭିନ୍ନ ସ୍ଥାନରେ ଶହୀଦଙ୍କ ସମ୍ମାନ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତୀ ଶୋଭାଯାତ୍ରା ଚାଲିଛି। ନିଆଳିର ରତନପୁରରେ ଶହୀଦ ମନୋଜ ବେହେରାଙ୍କ ମରଶରୀର ସେଠାକାର ଶ୍ମଶାନରେ ପହଂଚିବା ପରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତଥା ସେହି ଅଂଚଳର ସାଧାରଣ ଜନତା ଶୋକାକୁଳ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ପାଇଁ ଉପସ୍ଥିତ ଥିବାବେଳେ ଶହୀଦ ମନୋଜ ବେହେରାଙ୍କ ମରଶରୀର ନିକଟରେ ଉପସ୍ଥିତ ଥିବା ତାଙ୍କ ଦାଦା ଭୋ ଭୋ ହୋଇ କାନ୍ଦି ମରଶରୀରକୁ ଆଲିଙ୍ଗନ କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦଙ୍କ ଦାଦାଙ୍କୁ ଯେଭଳି ଭାବରେ ତଣ୍ଟିଆ ମାରି ତଳେ ପକାଇ ଦେଲେ ତାହା ଏବେ ଆମ ରାଜ୍ୟ ତଥା ଦେଶ ପାଇଁ ଏକ ଲଜ୍ଜାର ବିଷୟ ହେବା ସଙ୍ଗେ ସଙ୍ଗେ ରାଜ୍ୟର ଗାରିମାକୁ ତଳେ ପକାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦକ ସମ୍ମିଳନୀ କରାଯାଇ ଶ୍ରୀ ସାମନ୍ତରାୟଙ୍କୁ ଦଳରୁ ବହିଷ୍କାର କରିବା ସଙ୍ଗେ ସଙ୍ଗେ ଗିରଫ କରିବା ପାଇଁ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ଓ ମୁଖପାତ୍ର ଅଶୋକ ସାମଲ ଓ ନିକୁଞ୍ଜ ପଶାୟତ ଦାବି କରିଛନ୍ତି। ଏହି ଘଟଣାଟି ସାରା ଭାରତବର୍ଷରେ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ପାକିସ୍ତାନରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଏହାକୁ ନେଇ ବିଧାୟକ ସାମନ୍ତରାୟ ମଧ୍ୟ ଗଣମାଧ୍ୟମରେ କ୍ଷମା ମାଗିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଅଭିଜିତ ଆୟାର ନାମକ ଏକ ବ୍ୟକ୍ତି ଓଡିଶା ବିଷୟରେ ଆପତିଜନକ ମନ୍ତବ୍ୟ ଦେବା ପରେ ଚାପ ପଡିବାରୁ କ୍ଷମା ମାଗିଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ। ଶ୍ରୀ ସାମନ୍ତରାୟଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚୁପ୍ ହୋଇ ବସିବା ସମସ୍ତଙ୍କୁ ଚକିତ କରିଛି। ଶ୍ରୀ ସାମନ୍ତରାୟଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ କେଉଁଭଳି ସଂପର୍କ ଅଛି ଯେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଂଟ ଘୋଡାଉଛନ୍ତି। ଗତ କିଛିମାସ ତଳେ ପିପିଲିର ବେବିନା ଘଟଣାରେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ଦେଇଥିବା ପରିହାସପୂର୍ଣ୍ଣ ମନ୍ତବ୍ୟ ପରେ ତାଙ୍କୁ ନବୀନ ବାବୁ ମନ୍ତ୍ରୀମଣ୍ଡଳରୁ ବିଦା କରିଥିଲେ। ବର୍ତମାନ ଶ୍ରୀ ସାମନ୍ତରାୟଙ୍କ କ୍ଷେତ୍ରରେ ନବୀନବାବୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଓଡିଶା ନୁହେଁ ସାରା ଦେଶରେ ନିନ୍ଦା କରାଯାଇଛି। ପ୍ରକାଶଥାଉକି ବହୁ ଚର୍ଚ୍ଚିତ କଟକର କୁଖ୍ୟାତ ଅପରାଧି ଧଳ ସାମନ୍ତ ବ୍ରଦର୍ସ ସହ ଶ୍ରୀ ସାମନ୍ତରାୟଙ୍କ ସଂପର୍କ ବିଷୟରେ ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।





