ଲଣ୍ଡାଗାଁ ଠାରୁ ସିନ୍ଧୁଗୋରା ଦେଇ ଯାଇଥିବା ଖଡ଼ଗ ନଦୀ ସେତୁ ଶୋଚନୀୟ : ସେତୁ ଉପରୁ ସିମେଣ୍ଟ ଛାଡି ଗଲାଣି

Spread the love

ବାଲିଗୁଡା,୨୬/ ୭/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ତ ଲଣ୍ଡାଗାଁ ନିକଟରେ ରହିଛି ଖଡ଼ଗ ନଦୀ ସେତୁ l ଏହି ସେତୁ ବର୍ତ୍ତମାନ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି l ବେଳ ଥାଉ ଥାଉ ସତର୍କ ନ ହେଲେ କେତେବେଳେ ଯେ ଏହା ଭୁଷୁଡ଼ି ପଡିବ କେହି କହି ପାରିବେ ନାହିଁ l ଏହି ସେତୁ ବାଲିଗୁଡା ଠାରୁ ଯାଇଥିବା ୪୧ ନମ୍ବର ରାଜ୍ୟ ରାଜପଥ ଉପରେ ନିର୍ମିତ l କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ସିନ୍ଧୁଗୋରା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଲଣ୍ଡାଗାଁ ମଧ୍ୟରେ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ବହି ଯାଇଛି ଚିରସ୍ରୋତା ଖଡ଼ଗ ନଦୀ l ନଦୀ ଉପରେ କନ୍ଧମାଳ ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ନିର୍ମିତ ହୋଇଛି ସମ୍ପର୍କର ସେତୁ l ୬କୋଟି ଟଙ୍କା ବ୍ୟୟରେ ଏହି ସେତୁ କାମ ୧୯୯୮ରେ ଆରମ୍ଭ କରାଯାଇ ଦୀର୍ଘ ୮ବର୍ଷ ପରେ ୨୦୦୬ରେ କାର୍ଯ୍ୟ ସମାପ୍ତି ହୋଇଥିଲା l ବର୍ତ୍ତମାନ ସେତୁର ଅବସ୍ଥା ଅତି ସଙ୍ଗିନ ହୋଇ ପଡିଛି l ସେତୁ ଉପରୁ ସିମେଣ୍ଟ ଛାଡି ଯାଇ ଲୁହା ଛଡ଼ ବାହାରି ପଡିଛି l ବର୍ତ୍ତମାନ ହିଁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି ନ କଲେ ଆଗକୁ ଅଧିକା କ୍ଷତି ହେବା ସହ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେବ l ଏହି ରାସ୍ତା ଦେଇ ବୌଦ୍ଧ ଜିଲ୍ଲା ସମେତ ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଯୋଡିଥିବାରୁ ଉକ୍ତ ପୋଲ ସମ୍ପର୍କର ସେତୁ ସାଜିଛି l ରାସ୍ତାରେ ଭାରି ଯାନ ଚଳାଚଳ ସହ ସର୍ବଦା ବ୍ୟସ୍ତବହୁଳ ରହୁଛି l ଫଳରେ କେତେବେଳେ ଅଘଟଣ ଘଟିବ କହିହେବ ନାହିଁ l ସେହିପରି ଲଣ୍ଡାଗାଁ ସଦର ରାସ୍ତା ମଝିରେ ପିଚୁ ଦବିଯାଇ ଗର୍ତ୍ତ ସୃଷ୍ଟି ହୋଇଛି l ରାତି ସମୟରେ ଦୁର୍ଘଟଣା ଘଟିବାର ବହୁ ଆଶଙ୍କା ରହିଛି l ବାଲିଗୁଡା ବ୍ଲକ ଠାରୁ ଲଣ୍ଡାଗାଁ ପଞ୍ଚାୟତ ମଧ୍ୟରେ ୬ ଗୋଟି ପଞ୍ଚାୟତ ବାରଖମା, ରେବିଙ୍ଗିଆ, ସଲାଗୁଡା, ସୁଡୁରା, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶହ ଶହ ବାସିନ୍ଦା ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି l ବାଲିଗୁଡା ଠାରୁ ଲଣ୍ଡାଗାଁ ଯିବା ବାଟରେ କଞ୍ଜlଲଗୁ ଘାଟି ରେ ୮ କି. ମି. ରାସ୍ତା ଖରାପ ଅଛି l ଏନେଇ ବାଲିଗୁଡା ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ l ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଖୁଣ୍ଟିଗୋରା ଓ ଲଣ୍ଡାଗାଁ ପଞ୍ଚାୟତ ବାସୀ ପକ୍ଷରୁ ଦାବି ହେଉଛି l

Related Posts

About The Author

Add Comment