ଜେନାପୁର ୧୮/୨ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳରେ ଗତ ୧୬ ତାରିଖରେ ଜଣେ କଦଳୀ ଗୋଦାମ ବ୍ୟବସାୟୀ ତଥା କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣାର ପର୍ଦାଫାସ କରିଛି ପୋଲିସ। ନିଜେ ଟଙ୍କା ଆତ୍ମସାତ କରି ଲୁଟ ର ରୂପ ଦେବା ପାଇଁ ଚେଷ୍ଟା କରି ନିଜ ଜାଲରେ ନିଜେ ଛନ୍ଦି ହୋଇଛି ଅଭିଯୁକ୍ତ। ଏନେଇ ଯାଜପୁର ରୋଡ଼ ଏସ୍ ଡ଼ି ପି ଓ ଶରତ ପାତ୍ର ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଜେନାପୁର ଥାନା ଅଧୀନ କବାଟବନ୍ଧ ର ହାଡିବନ୍ଧୁ ବେହେରା (କାଳିଆ) ସ୍ଥାନୀୟ ଏଣ୍ଡଳବା ଅଞ୍ଚଳର ବ୍ୟବସାୟୀ ନିରଞ୍ଜନ ମଲ୍ଲିକ ପାଖରେ ମ୍ୟାନେଜର ଭାବେ ଚାକିରି କରି ଥିଲେ। ମାଲିକ ନିରଞ୍ଜନ ମଲ୍ଲିକ ସୋମବାର ଅପରାହ୍ନରେ କନ୍ତପଡ଼ା ଛକରେ ଥିବା ବ୍ୟବସାୟ ପ୍ରତିଷ୍ଠାନରୁ ମ୍ୟାନେଜର ଙ୍କୁ ନଗଦ ୨ ଲକ୍ଷ ୬୫ ହଜାର ଟଙ୍କା ଡିପୋଜିଟ କରିବା ପାଇଁ ଦେବା ସହିତ ଫୋନ୍ ପେ ମାଧ୍ୟମରେ ୨୫ହଜାର ଟଙ୍କା ଦେଇଥିଲେ। ମାତ୍ର ୫ ଶହ ମିଟର ଯିବା ପରେ ହାଡିବନ୍ଧୁଙ୍କୁ ରାସ୍ତା ରେ ତାଙ୍କୁ ଦୁଇ ଜଣ ଯୁବକ ଲଙ୍କାଗୁଣ୍ଡ ପକାଇ ଟଙ୍କା ନେଇ ଯାଇଥିବା କହିଥିଲେ। ସଙ୍ଗେ ସଙ୍ଗେ ହାଡିବନ୍ଧୁ ଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା। ଏ ନେଇ ବ୍ୟବସାୟୀ ଜେନାପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଜେନାପୁର ପୋଲିସ କେସ ନମ୍ବର ୪୧/୨୬ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚଢ଼େଇଧରା ଫାଣ୍ଡି ଅଧିକାରୀ ମନୋରଞ୍ଜନ ସେଠୀ ତଦନ୍ତକାରୀ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ତଦନ୍ତ ବେଳେ କାଳିଆ କଥାରେ କୌଣସି ତାଳମେଳ ରହି ନ ଥିଲା ଏବଂ ତଦନ୍ତ ରେ କାଳିଆ ମଧ୍ୟ ପୋଲିସ କୁ ସହଯୋଗ ନ କରିବାରୁ ପୋଲିସ ର ସନ୍ଦେହ ଉପୁଜି ଥିଲା। ପୋଲିସ ଥାନ ରେ ତାଙ୍କୁ ଅଧିକ ପଚରାଉଚରା ପରେ କାଳିଆ ସତ ମାନିଥିଲେ। ପୋଲିସ ର ମାରାଥନ ଜେରା ପରେ ନିଜେ ଟଙ୍କା ରଖି ଡକାୟତି ହୋଇଥିବା ନାଟକ ରଚିଥିବା କାଳିଆ ସ୍ୱୀକାର କରିଥିଲେ। ଯାହାକୁ ନେଇ ପୋଲିସ (କାଳିଆ)ହାଡିବନ୍ଧୁ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନଗଦ ୨ ଲକ୍ଷ ୬୫ ହଜାର ଟଙ୍କା ସହିତ ମୋବାଇଲ ଫୋନ, ବାଇକ ସହିତ ଅବଶିଷ୍ଟ ଲଙ୍କା ଗୁଣ୍ଡ କୁ ମଧ୍ୟ ଜବତ କରିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ପୋଲିସ ସମସ୍ତ ଘଟଣା ର ଫର୍ଦ୍ଦଫାସ କରିଛି।ଏହି ଘଟଣା ରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ରୋଡ଼ ଏସ୍ ଡ଼ି ପି ଓ ଶରତ ପାତ୍ର କହିଛନ୍ତି।
ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ ଘଟଣାର ପର୍ଦାଫାଶ କଲା ପୋଲିସ,ନିଜ ଜାଲରେ ନିଜେ ପଡ଼ିଲେ ବ୍ୟବସାୟୀ।
|
February 19, 2026 |



