କଣ୍ଟିଗଡିଆ, ୧/୧୧ (ସନ୍ଧାନ ନିଉଜ) : ଦିନ ଥିଲା ଚାରୀ ପ୍ରାଣୀ କୁଟୁମ୍ବର ବୋଝ ବୋହୁଥିଲେ । କିନ୍ତ ଭାଗ୍ୟର ବଡ ବିଡମ୍ବନା । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଲେ ରୋଗାଗ୍ରସ୍ତ । ଗୋଟିଏ ପରେ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ କୃପାସିନ୍ଧୁ । ସେପଟେ ପରିବାର ବୋଝ,ଏପଟେ ରୋଗାଗ୍ରସ୍ତ ଶରୀର । ସତେ ଯେପରି ତାଙ୍କ ମୁଣ୍ଡରେ ଚଡକ ପଡିଲା ଭଳି । ପରିବାରର ଗୁଜୁରାଣ ମେଣ୍ଟାଇବା ପରିବର୍ତ୍ତେ ରୋଗ ଶଯ୍ୟାରେ ପଡିରହିଲେ । ରୋଗ ଶଯ୍ୟାରେ କଟୁଛି କୃପାସିନ୍ଧୁଙ୍କ ଜୀବନ । ଆଉ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସେପଟେ ପରିବାରର ବୋଝ,ଏପଟେ କୃପାସିନ୍ଧୁଙ୍କ ଔଷଧ ଖର୍ଚ୍ଚ । କିପରି ସାମ୍ନା କରିବେ କୃପାସିନ୍ଧୁଙ୍କ ପତ୍ନୀ । ଓଳିଏ ଖାଇ,ଓଳିଏ ଉପାସରେ ବଞ୍ଚିବା ପାଇଁ ସଂଗ୍ରାମ ଜାରୀ ରଖିଲେ । କିଛି ବ୍ୟକ୍ତି ବିଶେଷଙ୍କ ସହାୟତା ମଧ୍ୟ ଲୋଡିଲେ । ଦାତବ୍ୟଙ୍କ ସହାୟତାରେ ଯାହା କିଛି ମିଳୁଛି ତାହା କୃପାସିନ୍ଧୁଙ୍କ ଔଷଧ ଖର୍ଚ୍ଚକୁ ନିଅଣ୍ଟ ହୋଇପଡୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାଟି ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ପଞ୍ଚାୟତ ଜେମାଦେଇପୁର ଗ୍ରାମର କୃପାସିନ୍ଧୁଙ୍କ କ୍ଷେତ୍ରରେ । ଏହି ଗ୍ରାମର କୃପାସିନ୍ଧୁ ବଳ(୪୦) ଜଣେ ଭୂମିହୀନ । ଦିନ ମଜୁରିଆ ଭାବେ କାମ କରି ଯାହା କିଛି ରୋଜଗାର କରନ୍ତି ଦୁଖେ କଷ୍ଟେ ପରିବାରଟି ଚଳିଥାଏ । ଆଜକୁ ଦୁଇ ବର୍ଷ ହେଲା ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ । ସ୍ଥାନୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ପରିବାର ପକ୍ଷରୁ ସହାୟତା ପାଇଁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଭୋକଉପାସରେ କାଳତିପାତ କରୁଥିବା ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏଥିପ୍ରତି ଯାଜପୁର ଜିଲାପାଳ ଦୃଷ୍ଟି ଦେଇ କୃପାସିନ୍ଧୁଙ୍କୁ ମାଗଣା ଚିକିସôା ସେବା ଯୋଗାଇ ଦେବାକୁ ତାଙ୍କ ପତ୍ନୀ ଗୁହାରୀ କରିଛନ୍ତି ।
ରୋଗ ଶଯ୍ୟାରେ କଟୁଛି କୃପାସିନ୍ଧୁଙ୍କ ଜୀବନ,ଚିକିତ୍ସା ପାଇଁ ଅର୍ଥ ବାଧକ
|
November 1, 2019 |
![](https://sandhannews.com/wp-content/uploads/2019/11/Krupasindhu-Bal.jpg)