ରେଳ ଷ୍ଟେସନ ଓ ମେଡିକାଲରେ ବରିଷ୍ଠ ନାଗରିକଙ୍କ ପାଇଁ  ସ୍ବତନ୍ତ୍ର ସୁବିଧା ଦାବି; ରେଳ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ମନ୍ତ୍ରୀ

Spread the love

ଭଦ୍ରକ,୨୦/୦୭ (ସନ୍ଧାନ ନିଉଜ/ପ୍ରଶାନ୍ତ କୁମାର ବାରିକ):- ଭଦ୍ରକ ମେଡିକାଲ ହେଉ କି ରେଳ ଷ୍ଟେସନ, କାଉଣ୍ଟରରୁ ଟିକେଟ ଟିଏ ସଂଗ୍ରହ କରିବା ସହିତ ସବୁ କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ ନାକେଦମ ହେବାକୁ ପଡୁଥିଲା । ଏ ନେଇ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଜିଲ୍ଲାପାଳଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଆପତ୍ତି କରିବା ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର କରିବା ଏବଂ ଆନୁସଂଗିକ ସୁବିଧା ଯୋଗାଇବାକୁ ଅନୁରୋଧକୁ କରିଆସୁଥିଲେ । ମାତ୍ର ଏହି ଅନୁରୋଧକୁ କେହି କର୍ଣ୍ଣପାତ ନ କରିବାରୁ ସଂଘ ବାଧ୍ୟ ହୋଇ ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ସାମାଜିକ ସୁରକ୍ଷା , ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ଅଭିଯୋଗ କରିଥିଲେ । ମନ୍ତ୍ରୀ ଏହାକୁ ବିଚାର କରି ଭଦ୍ରକ ରେଳ ଷ୍ଟେସନ ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟର , ସ୍ବତନ୍ତ୍ର ବିଶ୍ରାମାଗାର ତଥା ଆନୁସାଙ୍ଗିକ ସୁବିଧା ଯୋଗାଇବା ନିମନ୍ତେ ପଦକ୍ଷେପ ନେବାକୁ ଖୋର୍ଦ୍ଧା ରୋଡ଼ ଡିଆରଏଙ୍କୁ ଚିଠି ଲେଖିଛନ୍ତି । ସେହିଭଳି ଭଦ୍ରକ ମେଡିକାଲ ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର, ସ୍ଵତନ୍ତ୍ର ଓ୍ଵାର୍ଡ , ସେମାନଙ୍କ ସୁରକ୍ଷା ନିମିତ୍ତ ବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରିଛନ୍ତି ବୋଲି ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ମହାପାତ୍ର ଏହି ସୂଚନା ଦେବା ସହିତ ସଂଘ କିପରି ଭାବେ ଆଗାମୀ ଦିନରେ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ପାରିବ ସେ ନେଇ ବିଭିନ୍ନ ପ୍ରସ୍ତାବ ମାନ ଉପସ୍ଥାପନ କରିଥିଲେ । ଏଥିସହିତ ସଂଘର ସଦସ୍ୟ ସଦସ୍ୟାମାନେ ଆର୍ଥିକ ସହଯୋଗ ଯୋଗାଇଲେ ସହିଦ ଯବାନ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଲାଗି କିଛି ଅର୍ଥ ଯୋଗାଇବା ସହିତ ଜିଲ୍ଲାରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମଧ୍ୟ ସଂଘ ସହାୟତା ଯୋଗାଇବ ବୋଲି ପ୍ରସ୍ତାବକୁ ସମର୍ଥନ କରି ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ପାଢି ପ୍ରଥମ ସଦସ୍ୟ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ତାଙ୍କର ଏହି ସହଯୋଗ ଅନ୍ୟ ସଦସ୍ୟଙ୍କୁ ଅର୍ଥ ପ୍ରଦାନ କରିବାରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏଥିଲାଗି ସଦସ୍ୟମାନେ ସିଧାସଳଖ କିମ୍ବା ସ୍ଥାନୀୟ ୟୂକୋ ବ୍ୟାଙ୍କରେ ଥିବା ମହାସଂଘର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ ବୋଲି ସମ୍ପାଦକ ମହାପାତ୍ର କହିଥିଲେ । ଏହି ବୈଠକରେ ସଭାପତି ଲଲାଟେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ ବରିଷ୍ଠ ନାଗରିକମାନେ ସଂପ୍ରତି ମହାମାରୀ କୋରନା ସମୟରେ ଘରୁ ନ ବାହାରିବା ଏବଂ ଅତି ଜରୁରୀ ସମୟରେ ବାହାରକୁ ବାହାରିଲେ ମାସ୍କ ନିଶ୍ଚିତ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ରାୟ , ଶଚ୍ଚିକାନ୍ତ ପଣ୍ଡା , ସହ ସମ୍ପାଦକ ବିଭୂତି ଭୂଷଣ ସେନାପତି , କୋଷାଧ୍ୟକ୍ଷ ବିଜୟ ସେନାପତି , କାର୍ଯ୍ୟକାରିଣୀ ସଭ୍ୟ ହରେକୃଷ୍ଣ ମହାକୁଡ଼, କୈଳାସ ଚନ୍ଦ୍ର ପଣ୍ଡା, ଗଦାଧର ପଣ୍ଡା , ମହେଶ ପ୍ରସାଦ ଦାସ, ଜଗବନ୍ଧୁ ମହାନ୍ତି ,ନିହାର ଦାସ, ହରେକୃଷ୍ଣ ସାହୁ,ପ୍ରଶାନ୍ତ କୁମାର ଦେ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Related Posts

About The Author

Add Comment