ରାୟପୁର, ୨୮/୧(ସନ୍ଧାନ ନିୟୁଜ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ୨୦୧୯ ଲୋକସଭା ନିର୍ବଚନରେ ଯଦି କଂଗ୍ରେସ ବିଜୟ ଲାଭ କରେ ତେବେ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ।
‘ଦଳ ନିର୍ବାଚନ ଜିତିଲେ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ। ବିଶ୍ୱର କୌଣସି ସରକାର ଏପରି କରିନାହାନ୍ତି’ ବୋଲି ରାହୁଲ ସୋମବାର ରାୟପୁରର ଏକ କୃଷକ ରାଲିରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି।
ଏହାକୁ ଏକ ‘ଐତିହାସିକ ଘୋଷଣା’ ବୋଲି ଅଭିହିତ କରି କଂଗ୍ରେସ ତା’ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ରାହୁଲଙ୍କର ଏକ ଭିଡିଓ ଅପ୍ଲୋଡ୍ କରିଛି। ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ କହୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧୀ ନିଜେ ତାଙ୍କ ଟୁଇଟର ଆକାଉଣ୍ଟ୍ରେ ଏକ ଟୁଇଟ୍ କରି ଏପରି ଏକ ଶପଥ ନେଇଛନ୍ତି।
ଏକ ନୂଆ ଭାରତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ରାହୁଲ ଟୁଇଟ୍ ଜରିଆରେ ଜଣାଇଛନ୍ତି ଯେ ଦେଶର କୋଟି କୋଟି ଭାଇଭଉଣୀ ଗରିବୀ ସହ ସଂଘର୍ଷ କରୁଥିବା ବେଳେ ଆମେ ନୂତନ ଦେଶ ଗଢ଼ିପାରିବା ନାହିଁ।