ଯାଜପୁର, ତା ୧୪/୧୨: ତ୍ରୟୋଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଡ଼ି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସଭାପତି ସନ୍ତୋଷ କୁମାର ନନ୍ଦ, ସମ୍ପାଦକ ଡ଼ କାହ୍ନୁ ଚରଣ ମିଶ୍ର, ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ସମ୍ମାନତି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କୋଷାଧ୍ୟକ୍ଷ ସୁବାସ ମହାପାତ୍ର, ସଙ୍ଗଠକ ସମ୍ପାଦକ ହୃଷୀକେଶ ପତି, କାର୍ଯ୍ୟକାରୀ ସଦସ୍ୟ ଦୁର୍ଯ୍ୟୋଧନ ବେହେରା, ଗଣମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି ପ୍ରଭୃତି ଯୋଗଦେଇ ପୁସ୍ତକମେଳାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତା୧୫.୧୨.୨୦୨୩ରିଖ ଠାରୁ ତା ୨୨.୧୨.୨୦୨୩ରିଖ ପର୍ଯ୍ୟନ୍ତ ଏହି ପୁସ୍ତକ ମେଳା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଜିଲ୍ଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ବୁଦ୍ଧିଜୀବି ଓ ମହାବିଦ୍ୟାଳୟମାନଙ୍କର ପରମର୍ଶରେ ଯାଜପୁୁର ବାଳାଶ୍ରମ ପଡ଼ିଆରେ ପ୍ରତ୍ୟେକ ଦିନ ଦିବା ୨ଘଟିକା ରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୌଦ୍ଧିକତାର ବିକାଶ ନିମନ୍ତେ ମୁକ୍ତ କୁଇଜ ମାଧ୍ୟମରେ ୧ହଜାର ଛାତ୍ରଛାତ୍ରୀଙ୍କୁ ତତ୍କାଳ ପୁରସ୍କାର ପ୍ରଦାନ କରାଯିବ । ସ୍କୁଲ୍, କଲେଜ, ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତର୍କ, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି ।ଏତଦ୍ ବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ମେଳାରେ ୮୦ଗୋଟି ଷ୍ଟଲ୍ ଖୋଲା ଯାଇଛି । ପ୍ରତ୍ୟେକ ପୁସ୍ତକ ବିକ୍ରେତାମାନେ ସୁଲଭ ମୁଲ୍ୟରେ ଏବଂ ରିହାତି ଦରରେ ପୁସ୍ତକ ବିକ୍ରୟ କରିବେ । ସେଠାରେ ବିଭିନ୍ନ ଖାଦ୍ୟର ଷ୍ଟଲ, ସୌଖୀନ ସାମଗ୍ରୀ ଉପଲବ୍ଧ ହେବ । ଏହି ସମାରୋହକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯାଜପୁର ଆହ୍ୱାନ ଅନ୍ୱେଷଣ, ଡ଼ି.ଏ.ଭି, ପବ୍ଳିକ ସ୍କୁଲ୍, ବିରଜା କଲଚରାଲ ଗ୍ରୁପ୍, ପ୍ରତୀକ ଭିଜନ, ଦଶରଥପୁର ସାହିତ୍ୟ ସଂସଦ, ଦେବେଶ୍ୱର କଲଚରାଲ ଏକାଡ଼େମୀର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାର ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଓ ଯାଜପୁର ବାହାର ସମସ୍ତ ଜନସାଧାରଣ ଯୋଗଦେବା ପାଇଁ ଅନନ୍ୟା ସାହିତ୍ୟ ସଂସଦ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ସର୍ବଶେଷରେ ଉପ-ସଭାପତି ବିଭୂତି ଭୂଷଣ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ପ୍ରସ୍ତୁତି ବୈଠକ ଶେଷ
|
December 15, 2023 |