ଏବେ ସୁଦ୍ଧା ୨୮୭ଟି ଏକ୍ସପ୍ରେସ୍କୁ ବାତିଲ୍ କରାଯାଇଛି। ୯ଟି ଟ୍ରେନ୍ର ଗତିପଥ ପରିବର୍ତନ ହୋଇଛି। ୧୦ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ବେଳେ ୧୮୭ଟି ଲୋକଲ୍ ପାସେଞ୍ଜର/ମେମୁ/ଇଏମୟୁ/ଡିଏମୟୁ ଟ୍ରେନ୍ ବାତିଲ୍ ହୋଇଥିବା ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଲୋକାଲ୍ ଟ୍ରେନ୍ ବାତିଲ୍ ଓ ଯୋଡା ଟ୍ରେନ୍ ନ ଥିବାରୁ ଆଜି ୮ଟି ଟ୍ରେନ୍କୁ ବାତିଲ୍ କରାଯାଇଥିବା ସୂଚନା ମିଳିଛି। ସ୍ଥିତିରେ ସୁଧାର ଆସି ନଥିବାରୁ ମେ’ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା, ଭୁବନେଶ୍ବର ଦେଇ ଚଳାଚଳ କରିବାକୁ ଥିବା ଆଉ ୨୦ଟି ଟ୍ରେନ୍କୁ ବାତିଲ୍ କରାଯାଇଛି।
ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ଅହମ୍ମଦାବାଦ ସ୍ବତନ୍ତ୍ର ଟ୍ରେନ୍(୦୧୮୪୩) ଆଜି ରାତି ୧୦ଟାରେ ଭୁବନେଶ୍ବର ଛାଡ଼ିଛି। ଏହା ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼ ଓ ରାୟପୁର ଦେଇ ଯିବ। ଏଥିରେ ଗୋଟିଏ ଏସି-୨ ଟାୟର, ୪ଟି ଏସି-୩ ଟାୟର, ୯ଟି ସ୍ଲିପର କ୍ଲାସ, ୬ଟି ଦ୍ବିତୀୟ ଶ୍ରେଣୀ ସିଟିଂ, ୨ଟି ଗାର୍ଡ କମ୍ ଲଗେଜ୍ ଭ୍ୟାନ୍ ଓ ଗୋଟିଏ ପାଣ୍ଟ୍ରିକାର୍ ରହିଛି। ସେହିପରି ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍(୧୨୯୯୩) ସମ୍ବଲପୁର ପର୍ଯ୍ୟନ୍ତ ଆସିବ। ସମ୍ବଲପୁରରୁ ଗାନ୍ଧୀଧାମକୁ ଫେରିବ। ଏହା ସମ୍ବଲପୁରରୁ ପୁରୀ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ୬ ତାରିଖ ପାଇଁ ଭୁବନେଶ୍ବର-ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି। ଏଥିସହ ୫ଟି ଟ୍ରେନ୍ର ସମୟ ପରିବର୍ତନ କରାଯାଇ ଚଳାଚଳ କରୁଛି।





