ରାଉରକେଲା, ୦୨/୮ (ସନ୍ଧାନ ନିୟୁଜ ) : ନିୟମ ହୋଇଥିଲା ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପକୁ ଗଲେ ପେଟ୍ରୋଲ ମିଳିବ । କିଛି ଦିନ ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହେଲା । ନୂଆ ନିୟମ ପରେ ପେଟ୍ରୋଲ ପମ୍ପରେ ଏଥିଲାଗି ସଚେତନତା ବ୍ୟାନର ଲଗାଯାଇ ଗ୍ରାହକ ମାନଙ୍କୁ ଅବଗତ କରାଗଲା । ପୁଲିସ ମଧ୍ୟ ଗାଡ଼ି ଚାଳକଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ତାଗିଦ ମଧ୍ୟ କଲେ । ଦରକାର ସ୍ଥଳେ ଗ୍ରାହକ ହେଲମେଟ ନପିନ୍ଧି ପେଟ୍ରୋଲ ପମ୍ପରେ ତେଲ ପକାଇଲେ ପୁଲିସ ଜରିମାନା ଦେଇ ତଣ୍ଡ ଗଣିଲେ । ମାତ୍ର କିଛି ମାସ କଲାପରେ ଏବେ ନିୟମ ଚୁଲିରେ! ରାଉରକେଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ଏବେ ବିନା ହେଲମେଟରେ ଦୁଇ ଚକିଆ ବାହାନ ତେଲ ପକାଇବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏକ ଦୈନିକ ଆକଳନ ଅନୁସାରେ ରାଉରକେଲାର ପେଟ୍ରୋଲ ପମ୍ପରେ ୭୦ ପ୍ରତିଶତ ଲୋକ ନୋ ହେଲମେଟ ନୋ ପେଟ୍ରୋଲ ନିୟମର ପରିସର ବାହାରେ । ବିଶେଷ କରି ଯୁବପିଢୀ ବିନା ହେଲମେଟରେ ତେଲ ପକାଇବା ପ୍ରାୟତଃ ଦେଖିବାକୁ ମିଳେ । ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକକୁ ସଂଲଗ୍ନ କରୁଥିବା ଜାତୀୟ ରାଜପଥ-୧୪୩ରେ ବିନା ହେଲମେଟରେ ଗାଡ଼ି ଚାଳନା ବଢିବାରେ ଲାଗିଛି । ଯାହାକି ନିଶ୍ଚିତ ରୂପେ ମୃତୁ୍ୟର ସତର୍କ ଘଂଟି କହିଲେ ଆଦୌ ଭୁଲହେବ ନାହିଁ । ଅପରପକ୍ଷେ ଦୁର୍ଘଟଣାର ହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ ନୋ ହେଲମେଟ, ନୋ ପେଟ୍ରୋଲ ନିୟମର ଆରମ୍ଭ କରାଯାଇଥିଲା । ମାତ୍ର ଉପଯୁକ୍ତ ଜନସଚେତନତାର ଅଭାବ ହେଉକି, ପ୍ରଶାସନର ଅପାରଗତା ଏହି ନିୟମ ଏବେ କବରର ଦ୍ୱାରସ୍ଥଳେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ନୂତନ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହରୁ କମ ସମୟ ବାକି ରହିଥିବା ବେଳେ, ଏହି ନିୟମ ଆସନ୍ତା ବର୍ଷରେ କି ରୂପରେଖ ନେଇ ସାମନାକୁ ଆସିବ ତାହା କେବଳ ଦେଖିବାକୁ ବାକି ରହିଲା ।
REPORT S NAYAK



