ରହିଯାଇଥିବା ପ୍ରେମ

Spread the love

ସୁଚରିତା କୁ ହଠାତ୍ ମୋବାଇଲ ସୋ ରୁମରେ ଦେଖି ବିଜୁଳି ଖାଇଲା ପରି ଚମକି ପଡିଲା ସୁହାସିଶ। ତିନି ଚାରି ଦିନ ହେଲାଣି ତାକୁ ଖୋଜୁଥିଲେ ବି ଅଚାନକ ଏମିତି ଦେଖି ବିଶ୍ଵାସ କରି ପାରୁ ନଥିଲା। ଅତୀତର ରହିଯାଇଥିବା ପ୍ରେମ ପୁଣି ଥରେ ପ୍ରସ୍ଫୁଟିତ ହେଲା ପରି ମନେ ହେଉଥିଲା।

ବାହାରକୁ ଆସି ଭାବିବାକୁ ଲାଗିଲା ଇୟେ ସୁଚରିତା ତ! ଅନେକ ଦିନ ପରେ ଦେଖି ଥିବାରୁ ମନର ସନ୍ଦେହ ଯାଉ ନଥାଏ। ବାହାରେ ଥିଲେ ମଧ୍ୟ କାଚ କବାଟରେ ସ୍ପଷ୍ଟ ଦିଶୁଥିଲା ସୁଚରିତା ର ସମ୍ପୂର୍ଣ୍ଣ ଚେହେରା। କେତେବେଳେ ସେ ବାଁ ପଟେ ତ କେତେବେଳେ ଡାହାଣ ପଟେ ଠିଆ ହୋଇ ମୋବାଇଲ ଦେଖୁଥାଏ । ଯୋଉପଟୁ ଦେଖିଲେ ମଧ୍ୟ ସେ ଯେ ସୁଚରିତା ଛଡା ଆଉ କେହି ନୁହେଁ ସେ ନିଃସନ୍ଦେହ ହୋଇଗଲା। ତା ଆଖି ର ଚମକ ତା ହୃଦୟରୁ ଏତେ ଶୀଘ୍ର କେବେ ଯିବନି ।

ବାହାରେ ଠିଆ ହେଇ ଭାବୁଥାଏ, ସୁଚରିତାକୁ ଦେଖା କରିବାକୁ ଯିବ କି ନାହିଁ। ମନରୁ ବାହାରି ଯାଇଥିବା କଲେଜ ବେଳର ପ୍ରେମ ପୁଣି ଥରେ ବାଟ ଖୋଜି ଉଙ୍କି ମାରୁଥାଏ। ରମେଶ କହିଥିବା କଥା କଣ ସତ !
ନା! ସେ ତ ନିଜେ ଗୋଟାଏ ଟାଉନରେ। ମଲା ବେଳକୁ ଯଦି ସତ କହିଥିବ। ସୁହାଶିସ ଭାବନାରେ ଛନ୍ଦି ହେଇ ଯାଉଥାଏ।
ଯଦି ସେ ବାହା ହେଇ ସାରିଥିବ। ତାହେଲେ ସେ କେବେ ମୋତେ ଭଲ ପାଉ ନଥିଲା ବୋଲି ଜଣା ପଡିଯିବ।
ଯଦି ସେ ମୋତେ ପରିତ୍ୟାଗ କରିଛି ମୋର ତାହେଲେ ତାକୁ ଏଠି ଅପେକ୍ଷା କରି ରହିବା କଣ ଦରକାର। ନା ବରଂ ଦେଖା ହେଇଛି ଯେତେବେଳେ ପଚାରି ଦେଇ ଯିବାଟା ଭଲ। ମୁଣ୍ଡର ବୋଝ ତ ହାଲୁକା ହେଇଯିବ।

ସୁହାସିଶ ଭାବନାରେ ଅସ୍ଥିର ହେଇ ଯାଉଥାଏ। କିନ୍ତୁ ନିଜର ପ୍ରଥମ ପ୍ରେମକୁ ଏତେ ପାଖରୁ ପାଇ ଛାଡିବାକୁ ବି ଇଛା କରୁ ନଥାଏ। ଲୁଚି ଲୁଚି ବାହାରୁ ତାକୁ ଦେଖୁଥାଏ। ନାରୀକୁ ତାର ଅଜ୍ଞାତରେ ଦେଖିବା ଯେତେ ଦୋଷାବହ ହେଲେ ବି ଅବାଧ୍ୟ ମନ ମାନୁ ନଥାଏ, ଆଖିକୁ ତା ଉପରୁ ହଟାଇ ଆଣିବା ପାଇଁ।
କିଛି ସମୟ ଅତିକ୍ରାନ୍ତ ହେଲାରୁ ଖାଲିଟାରେ ଠିଆ ହେଇ ଲକ୍ଷ କରିବା କାଳେ କାହାର ସନ୍ଦେହର ଆକ୍ରୋଶ ହେବ ଭାବି ପାଖ ଦୋକାନ ଆଡେ ନଜର ଦେଲା। ମୋବାଇଲ ଦୋକାନରୁ ସିଧା ଜଣେ ଠେଲାରେ ଦହିବରା ଆଳୁଦମ ଧରି ବସିଥାଏ। ଖାଇବାକୁ ଇଛା ନଥିଲେ ବି କେବଳ ଆଉ କିଛି ସମୟ ଠିଆ ହେବା ପାଇଁ ଗୋଟିଏ ଠୋଲା ମଗେଇଲା।
ସୁହାଶିସ! କାହାର ଡାକରେ ଚମକି ପଡ଼ିଲା। ବୁଲି ଚାହିଁଲା ବେଳକୁ ସୁଚରିତା ପାଖରେ ଠିଆ ହେଇ ହସୁଛି। ସୁଚରିତାର ଏମିତି ଉପସ୍ଥିତି ସେ କେବେ କଳ୍ପନା କରି ନ ଥିଲା। ଆଶ୍ଚର୍ଯ୍ୟ ରେ କଣ କହିବ ଜାଣି ପାରିଲା ନାହିଁ। ମୁହଁ ରୁ ଔପଚାରିକ ହସ ଟିକେ ଛଡା ଆଉ କିଛି ଦେଇ ପାରିଲା ନାହିଁ।
– କଣ ମୋତେ ଚିହ୍ନି ପାରିଲ ନାହିଁ କି !
ସୁଚରିତା ର ପ୍ରଶ୍ନରେ ଅଭିମାନ ଦେଖି ସୁହାସିଶ ଭାବ ପ୍ରବଣ ହେଇ କହିଲା – ତମକୁ କାହିଁକି ଚିହ୍ନି ପାରିବିନି। ସୁଚରିତା କୁ କଣ ଭୁଲି ପାରିବି
– ତାହେଲେ ଦୋକାନ ବାହାରେ ଥାଇ ଦୋକାନ ଭିତରକୁ କାହିଁକି ଦେଖୁଥିଲ। ମୋ ଛଡା ଭିତରେ ଆଉ କିଏ ଥିଲେ କି!
– ନା
– ତାହେଲେ ତ ମୋତେ ହିଁ ଦେଖୁଥିଲ। ଚିହ୍ନିବାକୁ ଚେଷ୍ଟା କରୁଥିଲ। ମିଛ କାହିଁକି କହୁଛ।

ସୁହାଶିସ ଛେପ ଢୋକି ଭାବିବାକୁ ଲାଗିଲା – ନାରୀ ମାନେ କଣ ଏସବୁ ଦିଗରେ ଏତେ ଚାଲାକ। ସେ ଲୁଚି ଲୁଚି ଦେଖୁଛି ବୋଲି ଭାବୁଥିଲା ଅଥଚ ସେ ଯେ ତାକୁ ଦେଖି ସାରିଛି ତାହା ସେ ଜାଣିପାରି ନାହିଁ। ସୁଚରିତା ର ଆରୋପରେ ବ୍ୟଥିତ ହୋଇ କହିଲା – ମୁଁ ଭାବୁଥିଲି ତମେ କେତେବେଳେ ବାହାରିକି ଆସିବ। ସେଥିପାଇଁ ବାହାରେ ଅପେକ୍ଷା କରିଥିଲି।
– ପୁଣି ମିଛ। ମୋତେ ଅପେକ୍ଷା କରିଥିଲେ ତମେ ଏଠି ଏକୁଟିଆ ଖାଇବାକୁ ଆସି ନଥାନ୍ତ। ମୁଁ ଜାଣିଛି ତମେ କୃପଣ ନୁହେଁ କି ସ୍ଵାର୍ଥପର ବି ନୁହେଁ। କହିଦେଇ ସୁଚରିତା ହସୁଥିଲା

ଠେଲାବାଲା ଠୋଲା ଟା ବଢାଉଥିଲା ସୁହାଶିସ କହିଲା ଆଉ ଗୋଟେ ବନାଅ।
ଉଭୟେ ନୀରବରେ ଖାଉଥାନ୍ତି। ସୁହାଶିସ କଣ ପଚାରିବ ବୋଲି ମନେ ମନେ ଭାବୁଥାଏ।
ସୁଚରିତା ପଚାରିଲା ତମେ ବାହା ହେଲଣି !
– ନା! ତମ କଥା କଣ କୁହ, ସୁହାଶିସ ପଚାରିଲା
– କୋଉ କଥା
– କେମିତି ଅଛ? କଣ କରୁଛ
-ଭଲ ଅଛି। ଗୋଟିଏ ଇଂଲିଶ ମିଡିୟମ ସ୍କୁଲ ରେ ଟିଚର ଅଛି।
ସୁଚରିତା କୁ ନୀରବ ରହିବା ଦେଖି ସୁହାଶିସ କହିଲା – ମୁଁ କଣ ଯେତିକି ପଚାରିବି ସେତିକି କହିବ।
– ଆଉ କଣ କହିବି
ସୁହାଶିସ କହିଲା ଏଠି ଠିଆ ହେଇ ଗପିବା ଅପେକ୍ଷା ଚାଲ କୋଉ ଏସି ରେଷ୍ଟୁରାଣ୍ଟରେ ବସି କଥା ହେବା।
ଦୁହେଁ ପାଖ ରେଷ୍ଟୁରାଣ୍ଟ କୁ ଯାଇ ଆଇସକ୍ରିମ ଅର୍ଡର କରି ବସିଲେ। ସୁହାଶିସ ପୁଣି ପଚାରିଲା – ତମେ ବାହା ହେଲଣି।
ସୁଚରିତା କିଛି ନକହି ସୁହାଶିସ କୁ ଅନାଇଲା। କ୍ଷଣକ ପାଇଁ ସେ ଡରିଗଲା। କିଛି ଭୁଲ ପ୍ରଶ୍ନ ସେ ପଚାରି ନାହିଁ ତ!
ତାର ସମ୍ଭାବନା କୁ ଏଡାଇ ସୁଚରିତା ହସି ଦେଇ କହିଲା – ତମେ କଣ ସେମିତି ଆଗ ପରି ବୋକା ଅଛ। ମୋ ସାଙ୍ଗରେ ଏତେ ସମୟ ରହି କଥା ହେଇ କି ବି ଜାଣି ପାରୁନ। ହୋଉ ହେଲା ମୁଁ ବାହା ହେଇନି । କଣ ପାଇଁ ପଚାରୁଛ।
– କଣ ପାଇଁ ତମେ ଡେରି କରୁଛ।
– କିଛି ନାହିଁ। ତମେ ତମ କଥା କୁହ
– ମୁଁ ମୋ କଥା କହିବି। ତମେ ଆଗ କହିସାର।
ସୁଚରିତା ଗମ୍ଭୀର ହେଇ କହିଲା – ଏଇଟା ଗୁପ୍ତ କଥା।
-ମୋତେ କହିବନି । ସୁହାଶିସ ର ବ୍ୟାକୁଳତା ବାରି ହେଇ ପଡୁଥିଲା।
ସୁଚରିତା କହିଲା – ଗୁପ୍ତ କଥା ଗୁପ୍ତ ହେଇ ଥାଉ। ସମସ୍ତଙ୍କ ପାଖରେ କିଛି ଗୁପ୍ତ କଥା ଥାଏ ଯାହା ଆବଶ୍ୟକ ନ ପଡିଲା ପର୍ଯ୍ୟନ୍ତ ନ କହିବା ଭଲ।

– ଏଥିରେ ଆବଶ୍ୟକ କଣ। ମୋ ଉପରେ ତମେ ସେଦିନ ରୁ ରାଗିଛ ବୋଲି କଣ କହିବନି ।
– ସେମିତି ହେବାର ଥିଲେ ତମ ପାଖକୁ ଆସିଲି କାହିଁକି। ମୁଁ ତ ପଳେଇ ଯାଇ ପାରିଥାନ୍ତି।
– ତାହେଲେ କୁହ କଣ ପାଇଁ ତମ ବାହାଘର ଏତେ ବିଳମ୍ବ।
– ବିଳମ୍ବ ନୁହେଁ। ମୁଁ ନିଷ୍ପତ୍ତି ନେଇଛି ବାହା ନ ହେବାକୁ ।
– ଏତେ ବଡ ନିଷ୍ପତ୍ତି କଣ ପାଇଁ!
– ଯାହାକୁ ଭଲ ପାଉଥିଲି ସେ ମୋ ହାତ ଛାଡ଼ି ଦେଲା।
– କିଏ ରମେଶ! ସେ ଯାଉ। ସେ ଭଲ ପିଲା ନୁହେଁ
– ରମେଶ ବୋଲି କିଏ କହିଲା। ମୁଁ ତ କେବେ ରମେଶକୁ ଭଲ ପାଉ ନଥିଲି। ସେ କଣ ଛାଡିବ ।
ସୁହାଶିସ ପୂର୍ବ କଥାକୁ ମନେ ପକାଇ ତର୍କ କରିବାକୁ ଚାହୁଁ ନଥିଲା। ଆଉ ତାହେଲେ କିଏ ଛାଡି ପଳେଇଲା।
– ଥାଉ ତମେ ଶୁଣିଲେ କଷ୍ଟ ପାଇବ
– ନା, କଷ୍ଟ ହେବନି। ମୁଁ ତ ଶୁଣିବାକୁ ଆସିଛି। ମୁଁ ଛାଡି ପଳେଇଲି ବୋଲି କହିବାକୁ ଚାହୁଁଛ କି!
ସୁଚରିତା କିଛି ନକହି ମୁଣ୍ଡ ତଳକୁ କଲା
ସୁହାଶିସ ଆଉ ବାଧ୍ୟ କଲା ନାହିଁ, ସବୁ ବୁଝିଲା ପରି କହିଲା- ମୁଁ ତମକୁ ତିନି ଦିନ ହେଲା ଖୋଜୁଛି। କେହି ତମ ବିଷୟରେ ସଠିକ କହି ପାରୁ ନାହାନ୍ତି। ତମେ କୋଉ ସ୍କୁଲରେ ଟିଚର ଅଛ ଶୁଣିଲି ବୋଲି ମୁଁ ସାତଟା ସ୍କୁଲ୍ ବି ଖୋଜି ସାରିଲିଣି। ମୁଁ ଶୁଣିବାକୁ ଆସି ନଥିଲେ କଣ ତମକୁ ଏମିତି ଖୋଜୁଥାନ୍ତି।
– ତାହେଲେ ତମେ ମୋତେ ସନ୍ଦେହ କରି ଛାଡ଼ି ପଳେଇଲ କଣ ପାଇଁ

– ମୋର ସନ୍ଦେହ। ସେଇଟା ତମେ ଜାଣିଛ। ମୋ ସନ୍ଦେହ ମୋତେ ଦୂରକୁ ନେଇଗଲା। ହେଲେ ଏବେତ ମୋ ଭୁଲ ମୁଁ ବୁଝି ପାରିଛି। ମୁଁ ସେଥିପାଇଁ ଭୁଲ ସ୍ଵୀକାର କରିବାକୁ ଆସିଛି।
– ଭୁଲ ସ୍ଵୀକାର କରିବାର କୌଣସି ଆବଶ୍ୟକତା ନାହିଁ। ତମକୁ ସେତେବେଳେ ଯାହା ଠିକ ଲାଗିଲା ତମେ କଲ। କାହାର ମନର ଭାବନାକୁ ବୁଝିବାକୁ ଚେଷ୍ଟା କଲ ନାହିଁ। ନିଜେ ଠିକ୍ କରୁଛ କି ଭୁଲ କରୁଛ ଜାଣିବାକୁ ବି ଚେଷ୍ଟା କଲ ନାହିଁ। ମୁଁ ତମକୁ ଭଲ ପାଏ ସତ। ମୁଁ ଆଉ କାହାକୁ ଭଲ ପାଏ ନାହିଁ। ଏଇଟା କଣ ଗୋଟେ ଝିଅ ପିଲାକୁ ମୁହଁ ଖୋଲି ଜଣାଇବାକୁ ପଡିବ।

– ମୁଁ ଜାଣି ସାରିଛି। ରମେଶ ଦିଲ୍ଲୀ ରେ ଗୋଟେ ଦୁର୍ଘଟଣାରେ ପଡି ମରିବା ପୂର୍ବରୁ ମୋତେ ତମକୁ ଦେଖା କରିବାକୁ ଓ ତାକୁ ତାର ଭୁଲ ପାଇଁ କ୍ଷମା କରିବାକୁ କହିଥିଲା। ମୁଁ ଘରେ ମଧ୍ୟ ଏ ବିଷୟରେ କହି ସାରିଛି। ତମେ ହଁ କଲେ ମୁଁ ତମକୁ ମୋ ପାଖକୁ ନେବାକୁ ଚାହୁଁଛି।
– ନା ସୁହାଶିସ। ତମେ ଖରାପ ଭାବନି। ଆମ ଭଲ ପାଇବା ଏତିକିରେ ଥାଉ। ଆମେ ବନ୍ଧୁତାରେ ବି ପରସ୍ପରକୁ ଭଲ ପାଇ ପାରିବା।
– କିନ୍ତୁ ବିବାହ କରିବାରେ ଆପତ୍ତି କାହିଁକି?
– ଆମ ଭିତରେ ଭଲ ପାଇବା ଅଛି ସତ କିନ୍ତୁ ବିଶ୍ଵାସ ନାହିଁ। ବିବାହ ତ ବିଶ୍ୱାସ ର ଆଧାର। ବିବାହ ପରି ଅନୁଷ୍ଠାନ କଣ ବିନା ବିଶ୍ଵାସରେ ଠିଆ ହେଇ ପାରିବ।
– ମୋର ସେ ବିଶ୍ବାସ ନାହିଁ ବୋଲି କାହିଁକି ଭାବୁଛ
– ତମର ସନ୍ଦେହ
– ମୋର କଣ ସେଦିନ ତମକୁ ସନ୍ଦେହ କରିବା ଭୁଲ ଥିଲା। ସନ୍ଦେହ କରିବା ଯଦି ଭୁଲ, ସନ୍ଦେହ ସୃଷ୍ଟି କରିବା ପାଇଁ ଯିଏ ଆଗ ପଛ ବିଚାର ନକରି ପରିସ୍ଥିତି ସୃଷ୍ଟି କରେ ସେ ମଧ୍ୟ ଦାୟୀ। ଦୁନିଆ ରେ ଯେ କୌଣସି ପୁରୁଷ ନିଜ ନାରୀକୁ ସନ୍ଦେହ ଜନକ ଅବସ୍ଥା ରେ ଦେଖିଲେ କାରଣ ଯାହା ବି ଥାଉ ତାର ସନ୍ଦେହ କରିବାଟା ସ୍ଵାଭାବିକ। ଯଦି କୌଣସି ପୁରୁଷ କହେ ଯେ ସେ ତା ମନରେ କୌଣସି ସନ୍ଦେହ ରଖେ ନାହିଁ ତାହେଲେ ସେ ନିଜ ସନ୍ଦେହ କୁ ପ୍ରକାଶ କରିବାକୁ ଅସମର୍ଥ । ଏହା ତାର ସ୍ଵାଭିମାନ ପାଇଁ ହେଇପାରେ ଅଥବା ଅନିଶ୍ଚିତ ଭୟ ପାଇଁ ହେଇପାରେ। କିନ୍ତୁ ସବୁ ପୁରୁଷ ଙ୍କ ମନରେ ଯେ ସନ୍ଦେହ ସୃଷ୍ଟି ହୁଏ ଏହା ସତ୍ୟ। ଏହା ତାଙ୍କର ମାନସିକତା ହେଇପାରେ, ଜୈବ ଗୁଣ ହେଇପାରେ କିମ୍ବା ପୁରୁଷ ପ୍ରକୃତି ବି କହିପାର। ଏ ସାର୍ବଜନୀନ ଦୋଷ ପାଇଁ ମୋତେ ତମର ଦୋଷୀ କରିବା ଠିକ୍ ନୁହେଁ।

ସୁଚରିତା ନିଃଶବ୍ଦ ଶୁଣୁଥିଲେ ବି ବ୍ୟସ୍ତ ହେଇ ପଚାରିଲା – ମୁଁ କଣ ସନ୍ଦେହ ସୃଷ୍ଟି କଲି ।
– ତମେ ଥରେ ନୁହଁ ଦୁଇ ଥର ନୁହଁ ଅନେକ ଥର ପ୍ରାକ୍ଟିକାଲ କ୍ଲାସରେ ରମେଶ ସହ ଏକୁଟିଆ କିଛି ନା କିଛି ଏକସପେରିମେଣ୍ଟ କରୁଥିବ। ତମକୁ ରମେଶ ଖାତା ମାଗିଲେ ତମେ ଦେଇଦେବ। ଏପରିକି ତମେ ତା ସହ ମିଶି ଅନେକ ଥର କଲେଜ ଗେଟ୍ ପାଖରେ ଚାର୍ଟ ଖାଇଛ। କଲେଜ ସାରା ସମସ୍ତେ ତମକୁ ମୋତେ ଓ ରମେଶ କୁ ମିଶାଇ ଲଭ୍ ତ୍ରିଭୁଜ ତିଆରି କରିବାକୁ ଲାଗିଲେ। ଏସବୁ କଣ ସନ୍ଦେହ ସୃଷ୍ଟି ପାଇଁ ଯଥେଷ୍ଟ ନୁହେଁ।
ତମେ ଏ ସବୁ ଫାଲତୁ କଥା କହି ହସି ଉଡେଇ ଦେଲ। କିନ୍ତୁ ମୁଁ ତ ଯନ୍ତ୍ରଣାରେ ଛଟପଟ ହେଉଥିଲି। ପାଠ ପଢି ପାରିଲି ନାହିଁ। ତମେ କିନ୍ତୁ ମୋ ମନର ଅବସ୍ଥା ବୁଝିବା ବଦଳରେ କହିଲ – ତମେ କାହିଁକି ଏତେ ସିରିୟସ ହେଉଛ। ବାଧ୍ୟ ହେଇ ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପଳେଇଲି। ଏବେ କୁହ ଏସବୁ ସନ୍ଦେହ ସୃଷ୍ଟି ର କାରଣ କି ନୁହେଁ। ଯଦି ରମେଶ ସହ ମୋର ଦିଲ୍ଲୀରେ ଦେଖା ହେଇ ନଥାନ୍ତା ତାହାଲେ ଆଜି ପର୍ଯ୍ୟନ୍ତ ବି ସତ୍ୟ କଣ ମୁଁ ଜାଣି ପାରି ନଥାନ୍ତି। ମୋତେ କଷ୍ଟ ଦେବା ପାଇଁ ସେ ଯେ ଜାଣି ଶୁଣି ଏସବୁ ନାଟକ କରୁଥିଲା ମୁଁ ବହୁତ ପରେ ଜାଣିଲି। ତମେ ବି ନିଜ ଅଜ୍ଞାତରେ ତାକୁ ସହଯୋଗ କରୁଥିଲ।
– ତା ବୋଲି କଣ ପ୍ରେମରୁ ସୃଷ୍ଟି ହେଇଥିବା ବିଶ୍ୱାସ ଏତେ ଦୂର୍ବଳ।
– ପ୍ରେମ କି ବିଶ୍ଵାସ କେହି ଦୂର୍ବଳ ନୁହନ୍ତି। ଦୂର୍ବଳ ତାର ପରିସ୍ଥିତି। ମୁଁ ବି ଯଦି କୌଣସି ନାରୀ ସହ ଅକାରଣେ ବାରମ୍ବାର ଦେଖା କରିବି ତାହେଲେ ତମ ମନରେ ବି ସନ୍ଦେହ ହେବ। ଏହା ସ୍ଵାଭାବିକ। ଏଥିପାଇଁ ପ୍ରେମକୁ ଦୂର୍ବଳ ନକହି ବରଂ ଏସବୁ ପରିସ୍ଥିତି ରେ ନ ପଡିବା ପାଇଁ ଆମେ ସତର୍କ ରହିବା ଉଚିତ୍। ଯାହା କଲେ ଅନ୍ୟ ମନରେ କଷ୍ଟ ହେବ ତାହା ଆମେ କରିବା କାହିଁକି। ବ୍ରୋଡ ମାଇଣ୍ଡ ବୋଲି ଶବ୍ଦ ସଦାବେଳେ ପ୍ରଯୁଜ୍ୟ ନୁହେଁ। ସୁହାଶିସ କହିଦେଇ ସୁଚରିତା କୁ ଅନେଇଲା। ସେ ମୁହଁ ତଳକୁ କରି କାନ୍ଦୁଥିଲା।

ଆରେ ସୁଚରିତା ତମେ କାନ୍ଦୁଛ କାହିଁକି। ତମ ମତରେ ତ ଭୁଲ ମୋର। ଚାଲ ଯିବା ଏଠୁ।
ଉଭୟେ ଉଠି ଆସିଲେ ଘରକୁ ଫେରିବା ପାଇଁ।
ତମେ କୋଉଥିରେ ଯିବ, ସୁହାଶିସ ପଚାରିଲେ।
ସୁଚରିତା ଦୀର୍ଘ ସମୟ ଧରି ସୁହାଶିସ କୁ ପ୍ରଶ୍ନବାଚୀ ଦୃଷ୍ଟିରେ ଦେଖିବା ପରେ ଟିକେ ହସି କହିଲା – କାହିଁକି?
– ନାଇ ଏମିତି କୋଉଥିରେ ଯିବ ପଚାରିଲି।
– obviously ଅଟୋରେ ଯିବି।
– obviously କାହିଁକି
– ଆଉ କାହା ସହ ଗଲେ ମୁଁ ପୁଣି ତମ ସନ୍ଦେହ ସୃଷ୍ଟି ର କାରଣ ହେଇଯିବି।
ସୁହାଶିସ ତୀକ୍ଷ୍ଣ ବ୍ୟଙ୍ଗ ବାଣକୁ ବୁଝି ପାରି ହସି ପକେଇଲା। କହିଲା- ଆଉ କାହା ସହ କାହିଁକି ଯିବ । ମୋ ମୋଟରସାଇକେଲ ପଛରେ ବସି ଯିବ ଆସ କହି ସୁଚରିତାର ହାତ ଧରି ଟାଣି ଟାଣି ଗାଡି ପାଖକୁ ନେଇଗଲା।
ସୁଚରିତା ମୋଟରସାଇକେଲ ପଛରେ ବସି ଯାଉଥିଲା ବେଳେ କହିଲା – ଏତିକି ପୁରୁଷ ପଣିଆ ଆଗରୁ ଦେଖେଇଥିଲେ କଣ ଏତେଦିନ ମାନସିକ ଯନ୍ତ୍ରଣା ସହିବାକୁ ପଡିଥାନ୍ତା।
ସୁହାଶିସ ଶୁଣି ଜୋରରେ ବ୍ରେକ୍ ମାରି ଗାଡି ରଖିଦେଲା।
ସୁଚରିତା ଆଗକୁ ଝୁଙ୍କି ପଡି ସୁହାଶିସ କୁ ଦୁଇ ହାତରେ ଧରି ପକାଇଲା।
ସୁଚରିତା ପଚାରିଲା, କଣ ହେଲା
ସୁହାଶିସ ହସି ଦେଇ କହିଲା – ପ୍ରକୃତରେ ଆମ ପୁରୁଷ ପିଲାଙ୍କ ବୁଦ୍ଧି ବହୁତ ଡେରିରେ ଉଦୟ ହେଉଛି। ନହେଲେ କଣ ତମେ ମୋତେ ଏମିତି ଦୁଇ ହାତରେ ଜାବୁଡ଼ି ଧରିଥାନ୍ତ।
ସୁଚରିତା ହାତ ଦୁଇଟା ତରତରରେ କାଢି ଆଣି ଲାଜ ଲାଜ ହୋଇ କହିଲା- ହୋଉ ଚାଲ ! ତମ ପୁରୁଷ ପଣିଆ ଦେଖାଇବାକୁ ବେଳ ଆସୁଛି।
ରହିଯାଇଥିବା ପ୍ରେମ ପୁଣି ଥରେ ବାହାରି ଆସୁଥିବା ଦେଖି ଉଭୟଙ୍କ ମୁହଁ ରେ ହସ ଖେଳି ଉଠିଲା।

Related Posts

About The Author

Add Comment