ରସୁଲପୁର, ୧୮/୪ (ସନ୍ଧାନ ନିୟୁଜ) କୃଷକମାନଙ୍କୁ ଦେଶର ଆର୍ଥôକ ସ୍ଥିତିର ମେରୁଦଣ୍ଡ କୁହାଯାଉଛି । ଓଡିଶାର କୃଷକମାନଙ୍କୁ ଦେଖିଲେ ରାଜ୍ୟର ଅର୍ଥନୈତିକ ସ୍ଥିତି ସ୍ପଷ୍ଟ ଅନୁମେୟ । ଏଠି ଚାଷୀ ଅନେକ ସମସ୍ୟା ଦେଇ ଗତି କରୁଛି । ହେଲେ ମାଳ ମାଳ ସରକାରୀ ଯୋଜନା କୃଷି ଓ କୃଷକ ପରିବାରର ଆର୍ଥôକ ସ୍ଥିତିରେ ସୁଧାର ଆଣିପାରୁ ନାହିଁ । ଚାଷ ଜମିକୁ ପାଣି ନାହିଁ । ଉତ୍ପାଦିତ ଦ୍ରବ୍ୟକୁ ଉଚିତ ଦାମ୍ ମିଳୁନାହିଁ । ଧାନ ଓ ପନିପରିବା ଅଭାବୀ ବିକ୍ରୀ ସମସ୍ୟା ଦୂର ହୋଇପାରୁ ନାହିଁ । ହାଟ ନିକଟରେ ଶୀତଳ ଭଣ୍ଡାର ସ୍ୱପ୍ନ ସାକାର ହୋଇପାରୁ ନାହିଁ । ଜନ ସଂଖ୍ୟା ବଢି ବଢି ଚାଲିଛି । ସମପରିମାଣରେ ଚାଷ ଜମି ବି କମି ଯାଉଛି । ଚାଷକାର୍ଯ୍ୟରେ କ୍ଷତି ସହି ସେ ଋଣଯନ୍ତାରେ ଫସି ଯାଉଛି । ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଏହି ଭଳି ନାନା ସମସ୍ୟାକୁ ନେଇ ଚାଷୀ ସଂଗଠନ ରାଜରାସ୍ତାକୁ ଓହ୍ଲାଉଛି । ଚାଷୀମାନଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ପ୍ରଦାନ କରିବା ପାଇଁ ଦାବି କରିଆସୁଛି । ଚାଷୀମାନଙ୍କର ଏଭଳି ଦାବିକୁ ରାଜ୍ୟ ସରକାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଚାଷୀର ସ୍ୱର ରାଜ୍ୟ ରାଜଧାନୀରେ ପହଁଚି ପାରୁନାହିଁ । ସରକାର ପୋଲିସ ପ୍ରଶାସନକୁ ଲଗାଇ ଚାଷୀମାନଙ୍କୁ ଦମନ କରିବା ଉପାୟ ଆପଣେଇଛି । ସେମାନଙ୍କୁ ହକ୍ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । କାଳକ୍ରମେ ଚାଷୀ ସଂଗଠନର ଶାଣିତ ସ୍ୱର ରାଜ୍ୟ ସରକାରଙ୍କୁ ବିଚଳିତ କରିଛି । ତେଣୁ ତରବରିଆ ଭାବରେ ରାଜ୍ୟ ସରକାର କାଳିଆ(କୃଷକମାନଙ୍କ ଜୀବିକା ପାଇଁ ଆର୍ଥକ ସହାୟତା)ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଏବେ ସରକାରଙ୍କ ପାଇଁ କାଳ ପାଲଟିବ ବୋଲି କୁହାଯାଉଛି । ଚଳିତ ସାଧାରଣ ନିର୍ବାଚନରେ କାଳିଆ ଯୋଜନା ଭୋଟକୁ ପ୍ରଭାବିତ କରିବାର ଆଶଙ୍କା ପ୍ରକଟିତ ହୋଇଛି । ଏଥିରୁ ଫାଇଦା ମାରିବାକୁ ବିରୋଧୀ ଅପେକ୍ଷାରେ ଥିବା ଭଳି ମନେହେଉଛି । ଏହାକୁ ନେଇ ବିରୋଧୀ ପ୍ରାର୍ଥୀମାନେ ବିଜେଡିକୁ ଟାର୍ଗେଟ କରୁଥିବାର ଦେଖାଯାଉଛି । ଏ ଦିଗରେ ରସୁଲପୁର ବ୍ଲକ ଆଗରେ ରହିଛି । ଏହି ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବରେ ପରିଚିତ । ବ୍ଲକ ବାସୀଙ୍କ ହାତରେ ୩ଟି ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାର ସୁଯୋଗ ରହିଛି । ଏହାକୁ ହାତଛଡା ନକରି ଚାଷୀମାନେ ଭୋଟରେ ଜବାବ୍ ଦେବାକୁ ଅପେକ୍ଷା କରିଛନ୍ତି ।
ଏହି କ୍ରମରେ ଦେଖିବାକୁ ଗଲେ ଏହି ବ୍ଲକ ଅଧିନରେ ୨୮ଗୋଟି ପଂଚାୟତ ରହିଛି । ଏ ସମସ୍ତ ପଂଚାୟତ ବରୀ, ଧର୍ମଶାଳା, କୋରେଇ ଆଦି ନିର୍ବାଚନ ମଣ୍ଡଳିରେ ଭାଗ ହୋଇଯାଇଛି । ବରୀରେ ସର୍ବାଧିକ ୧୦ଗୋଟି ପଂଚାୟତ ରହିଥିବା ବେଳେ କୋରେଇ ଓ ଧର୍ମଶାଳାରେ ୯ଗୋଟି ଲେଖାଏଁ ପଂଚାୟତ ରହିଛି । ଏହି ସବୁ ପଂଚାୟତରେ ମୋଟ ୧୭୨ଟି ଗାଁ ରହିଛି । ସେଥି ମଧ୍ୟରୁ ୧୬୦ଟି ଗାଁରେ ଲୋକେ ବସବାସ କରୁଛନ୍ତି । ୨୦୧୧ ସାମାଜିକ, ଅର୍ଥନୈତିକ, ଜାତିଗତ ତାଲିକା ଅନୁଯାଇ ଏହି ଗ୍ରାମରେ ୩୬,୮୯୩ ପରିିବାର ରହିଛି । ହେଲେ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କ ନିମନ୍ତେ ଘୋଷଣା କରାଯାଇଥିବା କାଳିଆ ଯୋଜନା ପାଇଁ ୪୬,୫୦୦ କୃଷି ପରିବାର ଆବେଦନ କରିଛନ୍ତି । ଯାହାକି ବ୍ଲକର ମୋଟ ପରିବାର ସଂଖ୍ୟାଠାରୁ ହାରାହାରି ୧୦ହଜାର ପରିବାର ଅଧିକ ବୋଲି ଜଣାପଡିଛି । ଏଥିରୁ ସ୍ପଷ୍ଟ ଯେ କାଳିଆ ଯୋଜନାକୁ ବାଟମାରଣା କରିବାକୁ ପ୍ରୟାସା ହୋଇଛି । ଚାଷୀର ନିଦ୍ଦିଷ୍ଟ ସଂଜ୍ଞା ନିର୍ଦ୍ଧାରଣ ହୋଇନାହିଁ । ଏହାକୁ ଆଳକରି ଗୋଟିଏ ପରିବାର ଏକାଧିକ ପରିବାରରେ ଭାଗ ହୋଇଯାଇ ଚାଷୀ ନାଁରେ ସରକାରୀ ସୁବିଧା ହାତେଇବାକୁ ପ୍ରୟାସ କରିଛନ୍ତି । ପ୍ରକୃତ ଚାଷୀକୁ ଚିହ୍ନଟ ନକରି ସରକାର ବି ଭୋଟ ହାତେଇବା ଆଳରେ ଅତି ତରବରିଆ ଭାବରେ କେତେକ ଚାଷୀଙ୍କ ଜମାଖାତାକୁ ଟଙ୍କା ଛାଡି ଦେଇଛନ୍ତିି । ତା ପୁଣି ମୋଟ ଆବେଦନକାରୀ ପରିବାରର ମାତ୍ର ଶତକଡା ୧୦ ଭାଗ ହେବ ବୋଲି ଅନୁମାନ କରାଯାଉଛି । ଏହି ଟଙ୍କା ୩ଟି ପର୍ଯ୍ୟାୟରେ ଚାଷୀଙ୍କ ଜମାଖାତାକୁ ୨୫ହଜାର, ଭୂମିହୀନ ଓ ଭାଗଚାଷୀଙ୍କ ଖାତାକୁ ୧୨,୫୦୦ଟଙ୍କା ପ୍ରଦାନ କରାଯିିବା ବୋଲି ଯୋଜନାରେ ଉଲ୍ଲେଖ ରହିଛି । କେତେକ ଚାଷୀ ସେମାନଙ୍କ ଜମିଜମା ସଂପର୍କିତ ରେକର୍ଡ ଦାଖଲ କରିଥିଲେ ବି ସେମାନେ ଭୂମିହୀନ ଦର୍ଶାଯାଇଛି । ଏହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ରହିଛି । ଚାଷୀ ପରିବାରର ପାଠ ପଢୁଆ ମେଧାବୀ ଝିଅପୁଅଙ୍କୁ ଛାତ୍ରୀଛାତ୍ର ବୃତ୍ତି ପ୍ରଦାନ ଘୋଷଣାନାମାରେ ସମୀତ ରହିଛି । ଏହି ଘୋଷଣା ସରକାର ୨୦୧୮-୧୯ ଶିକ୍ଷାବର୍ଷ ଅଧାରେ କରିଥିଲେ । ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେଲାଣି । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ବିଦ୍ୟାଳୟ କତ୍ତୃପକ୍ଷଙ୍କ ନିକଟରେ ପହଁଚି ନଥିବା ଜଣାଯାଇଛି । ଏ ସବୁ ସତ୍ୱେ ଚାଷୀ ପରିବାର ଉଦେଶ୍ୟରେ ପଠାଯାଇଥିବା ଟାଙ୍କା ଚାଷୀ ବଦଳରେ ଅଣଚାଷୀଙ୍କ ଜମାଖାତାକୁ ଯାଇଛି । ଏ ପରିକି କଲେଜ ପଢୁଆଙ୍କ ଜମାଖାତାରେ କାଳିଆ ଟଙ୍କା ଦାଖଲ ହୋଇଛି । ଚାଷୀଙ୍କ ଅର୍ଥରେ ଅଣଚାଷୀ ମଉଜ କରୁଥିବା ବେଳେ ବାସ୍ତବ ଚାଷୀର ଜୀବିକା ବିପନ୍ନ ହୋଇପଡିଛି । ସେ କେବଳ କାଳିଆ ଯୋଜନା ସଂପର୍କରେ ଶୁଣିଛି । ହେଲେ ସେଇଟା କଣ ବୋଲି ଚାଷୀ ପଦ୍ମନାଭ ସାହୁ, ନବକିଶୋର ରାଉତ, ଦିଗମ୍ବର ଜେନା, ଲକ୍ଷ୍ମଣ ସାହୁ, ଚକ୍ରଧର ରାଉତ, ଶତ୍ରୁଘ୍ନ ସାହୁ ,ଯୁଧିଷ୍ଠିର ରାଉତ ଭଳି ଶହ ଶହ ଚାଷୀ ତାଛଲ୍ୟ ଢଙ୍ଗରେ ପ୍ରଶ୍ନ କରୁଛନ୍ତି । ସେମାନଙ୍କ ମନରେ ଥିବା ରୋଷ ବାଲାଟରେ ପ୍ରତିଫଳିତ ହେବା ନେଇ ସୂଚନା ମିଳୁଛି । ଏହାକୁ ବିିରୋଧୀ ପ୍ରସଙ୍ଗ କରୁଛନ୍ତି । ରାଜନୈତିକ ମଇଦାନରେ ଭୋଟରଙ୍କୁ ଏ ସଂପର୍କରେ ବୁଝାଉଥିବାର ଦେଖାଯାଉଛି । ଏହି କ୍ଷେତ୍ରରେ ଚାଷୀମାନଙ୍କ ହିତ ପାଇଁ ଲଢୁଥିବା ନବନିର୍ମାଣ କୃଷକ ସଂଗଠନ ସରକାରଙ୍କ ବିରୋଧରେ ରହିଛି । ସଂଗଠନର ଅସହଯୋଗ ମନୋଭାବରୁ ବିରୋଧୀ ଦଳକୁ ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାଳିଆ ଯୋଜନାରେ ଘଟୁଥିବା ନାନା ତ୍ରୁଟି ବିଚୁ୍ୟତିି ସଂପର୍କରେ ବ୍ଲକ ନୋଡାଲ ଅଧିକାରୀ ତୁଷାରକାନ୍ତ ସେଠୀଙ୍କୁ ପଚାରିବାରୁ ଆଧାର ନମ୍ବର ପରିବାର ଆଇଡି ସହ ସଂଯୋଗ କରିଦେଲେ ନକଲି ପରିବାର ଧରାପଡି ଯିବେ । ଏଥି ପାଇଁ ସମୟ ନଥିବାରୁ ସରକାରଙ୍କ ପକ୍ଷରୁ ନିଦିଷ୍ଟ ସମୟ ସୀମା ଭିତରରେ ଟଙ୍କା ଛାଡି ଦେବାକୁ ଘୋଷଣା କରିଥିବାରୁ ଏଭଳି କରାଯାଇଛି । ମାତ୍ର ପରବର୍ତ୍ତି ସ୍ଥିତିରେ ଏଥିରେ ସୁଧାର ଆସି ପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି ।
Report- J Rout, Rasulpur