ରସୁଲପୁର,୨୨/୦୨(ସନ୍ଧାନ ନୟୁଜ/ଜଗମୋହନ ରାଉତ) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦ ପାଳନ କରାଯାଇଛି । ଏହି ଅବସରରେ ସଂଗଠନର ରସୁଲପୁର ବ୍ଲକ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିକ୍ଷୋଭରେ ସାମିଲ ହୋଇଥିବା ଚାଷୀମାନଙ୍କ ମଧ୍ୟରୁ ୪୨ଜଣ ଚାଷୀଙ୍କୁ ପୋଲିସ ଗିରଫ କରି ସଂଧ୍ୟାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଛି ।
ବନ୍ଦକୁ ନେଇ ରାଜ୍ୟ ସରକାର ଓ ସଂଗଠନ ମଧ୍ୟରେ ଟଣା ଓଟରା ଲାଗିଥିଲା । ସଂଗଠନ ସରକାରଙ୍କ ଧକମ ଚମକକୁ ଭୃକ୍ଷେପ ନକରି ଆନେ୍ଦାଳନକୁ ଓହ୍ଲାଇ ଥିଲା । ଏଠାରେ ବ୍ଲକ ସଂଯୋଜକ ମୁକୁନ୍ଦଦେବ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କୃଷକ କୁଆଖିଆ ବିଜୁ ପରିବାହାଟ ନିକଟରୁ ବାହାରି ବଜାର ପରିକ୍ରମା କରିଥିଲା । ବିକ୍ଷୋଭକାରୀଗଣ ଶୋଭାଯାତ୍ରାରେ ଆସି ରସୁଲପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସରକାର ବିରୋଧି ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୬ନଂ ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ । ଆନନେ୍ଦଳନକାରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗାଡି ମଟର ଚଳାଚଳରେ ବାଧା ଉପୁଯିଥିଲା । ଆନେ୍ଦାଳନରେ ସାମିଲ ଥିବା କୃଷକମାନଙ୍କ ମଧ୍ୟରୁ ୪୨ଜଣଙ୍କୁ କୁଆଖିଆ ପୋଲିସ ଗିରଫ କରି ନେଇ ଥାନାରେ ଅଟକ ରଖିଥିଲା । ସଂଧ୍ୟାରେ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା । ଉକ୍ତ ବନ୍ଦରେ ସଂଗଠନର ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ, ଉପଦେଷ୍ଟା ସୁଧିର ନାୟକ, ସମିତି ସଭ୍ୟ ପ୍ରଦୀପ୍ତ ନାୟକ, ଚୈତନ୍ୟ ନାୟକ, ଅମୁଲ୍ୟ ସାହୁ, ବିଚିତ୍ର ସ୍ୱାଇଁ, ସନାତନ ରଥ, ଅଧିର ଜେନା, ଅମୁଲ୍ୟ ଦାସ, ଶୁଭକାନ୍ତ ନାୟକ, ମକର ପରିଡା, ସୋମନାଥ ରାଉତ, ଯୋଗେନ୍ଦ୍ର ନାୟକ, ପ୍ରଫୁଲ୍ଲ ବେହେରା, ପ୍ରହ୍ଲା୍ଦ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଲକ୍ଷ୍ମୀଧର ପ୍ରଧାନ, ସୁଜିତ ରାଉତ, ଫକୀର ବେହେରା, ରମେଶ ବେହେରା ପ୍ରମୁଖଙ୍କ ସମେତ ବହୁ ଚାଷୀ ଆନେ୍ଦାଳନରେ ସାମିଲ ହୋଇ ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍, ପେନସନ ପ୍ରଦାନ ଦାବି କରିବା ସହ ପରିବାହାଟ ନିକଟରେ ଶୀତଳଭଣ୍ଡାର ସ୍ଥାପନ, ଧାନର ସହାୟକ ମୂଲ୍ୟ ବୃଦ୍ଧି, ସରକାରୀ ମଣ୍ଡି ଖୋଲିବା ଆଦି ଦାବିକୁ ନେଇ ନାରାବାଜି କରିଥିଲେ ।
ରସୁଲପୁର ବ୍ଲକ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ୪୨ଚାଷୀ ଗିରଫ



