ଯାଜପୁର ସଦର,ସନ୍ଧାନ ନ୍ୟୁଜ, ୧୫ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କୁଆଖିଆ ଥାନା ନିକଟସ୍ଥ କଲଣ ପଂଚାୟତରେ ଯୌତୁକ ପାଇଁ ବଧୂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଚି । କୁଆଖିଆ ଥାନା ପୋଲିସ ସିଂଙ୍ଗାପୁର ପ୍ରାଥମିକ ଚିକିତ୍ସାଳରେ ପହଁଞ୍ôଚ ଶବକୁ ଜବତ କରି ଯାଜପୁର ମେଡିକାଲକୁ ପଠାଇଛନ୍ତି । ଉଭୟ ପରିବାରର ଲୋକ ମାନଙ୍କୁ ପଚରା ଉଚରା କରୁଚି । ପଚରା ଉଚରା କରିବା ସହିତ ମହିଳାଙ୍କ ସ୍ୱାମୀଙ୍କୁ କୁଆଖିଆ ଥାନାରେ ଅଟକ ରଖିଛି । ମୃତକ ମହିଳା ହେଲେ, ତପନ ପୃଷ୍ଟିଙ୍କ ସ୍ତ୍ରୀ ଉଷାରାଣୀ ସାହୁ(୩୦) । ଉଷାଙ୍କ ବାପା ଦୋଳଗୋବିନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ତପନ ୯ବର୍ଷ ତଳେ ଢେଙ୍କାନାଳ ଜିଲ୍ଲା ଇନ୍ଦୁପୁର ଗ୍ରାମରେ ବିବାହ କରିଥିଲେ । ବିବାହର ୧ମାସ ପରେ ଶାଶୁଘର ଲୋକେ ଉଷାଙ୍କୁ ଯୌତୁକ ନିର୍ଯ୍ୟାତନା କରିଆସୁଥିଲେ । ବାପ ଘର ସହ ସମ୍ପର୍କ ନରଖିବାପାଇଁ ଉଷାଙ୍କୁ ମାରଧର କରୁଥିଲେ । କଥାବାର୍ତା କରିବାକୁ ବାରଣ କରୁଥିଲେ । ଅଧିକ ଯୌତୁକ ଆଣିବା ପାଇଁ ଚାପ ପକାଉଥିଲେ । ବାପ ମା ଉଷାଙ୍କୁ ବୁଝାଇ ସୁଝାଇ ଶାଶୁ ଘରେ ଛାଡ଼ିଥିଲେ । ଶନିବାର ଦିନ ଶାଶୁଘର ଲୋକେ ଉଷାଙ୍କୁ ମାଡ଼ ମାରି ତଣ୍ଟି ଚିପି ମାରି ଟାଙ୍ଗିଦେଇଥିବା ଅଭିଯୋଗ କରିଥିଲେ । ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହିତ କେସ ନଂ ୩୮୦/୨୩ରେ ରୁଜୁ କରାଯାଇଚି । କୁଆଖିଆ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକଙ୍କ ସହିତ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରୁଛନ୍ତି । ଏସମ୍ପର୍କରେ ଉଷାଙ୍କ ଶାଶୁ ଘର ଲୋକଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଦମ୍ପନ୍ତି ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗିଥାଏ । ଏହି ଘଟଣା ଦିନ ମଧ୍ୟ ଝଗଡ଼ା ହୋଇଥିବାରୁ ଏହାକୁ କେନ୍ଦ୍ର କରି ଉଷା ବେକରେ ରସିଲଗାଇ ଆତ୍ମହତ୍ୟା କରିଛନ୍ତି । ଉଷା ରସିଲଗାଇବା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ସିଂଙ୍ଗାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଷା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଚି ସାଧାରଣରେ ଚର୍ଚ୍ଚା ଜୋର ଧରିଚି ।
ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ ସନ୍ଧେହ ଘେରରେ
|
October 15, 2023 |
