ଭଦ୍ରକ, ୨୩/୧୧ (ସନ୍ଧାନ ନିଉଜ) : ରୋଟାରୀ କ୍ଳବ୍ ମିଡଟାଉନ ଭଦ୍ରକ ଓ ଆଞ୍ଚଳିକ ପରିବହନ ବିଭାଗ,ଭଦ୍ରକର ମିଳିତ ପ୍ରୟାସରେ ଜିଲ୍ଲାସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ,ରୋଟାରୀ କ୍ଲବ୍ ମିଡ଼ଟାଉନ ଭଦ୍ରକର ସଭାପତି ଅତିଶ ବେହେରା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ପ୍ରମୁଖ ପତାକା ଦେଖାଇ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ୍ ଯଥା ସଡକ ସୁରକ୍ଷା-ଜୀବନ ରକ୍ଷା,ଦ୍ରୁତ ଗତି-ମହା ବିପତ୍ତି, ଗାଡ଼ି ଚଳାଇବା ବେଳେ ମୋବାଇଲ୍କୁ ନା,ସର୍ବଦା ହେଲମେଟ୍ ପିନ୍ଧନ୍ତୁ-ସିଟ୍ ବେଲ୍ଟ ବାନ୍ଧନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ ଓ ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ ପ୍ରଭୃତି ସ୍ଲୋଗାନ୍ମାନ ଦେଇ ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ । ପ୍ରକାଶଥାଉକି ବିନା ହେଲମେଟ୍ରେ ବେପରୁଆ ଗାଡ଼ିଚାଳନା,ଟ୍ରାଫିକ୍ ନିୟମର ଉଲଙ୍ଘନ ଓ ମଦ୍ୟପାନ କରି ଗାଡି ଚଳାଇବା ଇତ୍ୟାଦି କାରଣ ଯୋଗୁ ଯାତ୍ରାପଥ ଅନେକ ସମୟରେ ମରଣପଥ ସାଜୁଛି ଯାହା ଅତ୍ୟନ୍ତ ଉଦ୍ବେଗର ବିଷୟ । ପ୍ରତିଦିନ ଆମ ଦେଶରେ ହାରାହାରି ୧୨୮୪ଟି ସଡକ ଦୁର୍ଘଟଣା ଘଟିଥାଏ ଓ ଯେଉଁଥିରେ ଦୈନିକ ୪୦୦ ଓ ବାର୍ଷିକ ପ୍ରାୟ ୧୫୦୦୦୦ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି । ଏହି ଦୁର୍ଘଟଣାର ପଚିଶି ପ୍ରତିଶତ ଦୁଇଚକିଆ ଯାନ ଜନିତ, ଯେଉଁଥିରେ ୨୨ରୁ ୩୪ ବର୍ଷ ବୟସର ଯୁବପିଢି ସର୍ବାଧିକ ଶିକାର ହୋଇଥାନ୍ତି । ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ ,ଅଶୋକ କୁମାର ଶତପଥୀ,ସମରେନ୍ଦ୍ରନାଥ ମିଶ୍ର,ମୁରାଦ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାର ସେଠୀ ପ୍ରମୁଖ ଏହି ରାଲିକୁ ପରିଚାଳନା କରିଥିଲେ । ଡିସେମ୍ବର ୧ତାରିଖରୁ ନୂତନ ମୋଟରଯାନ ଚଳାଚଳ ଆଇନ କଡାକଡି ଭାବେ ଲାଗୁ ହେବାକୁ ଯାଉଥିବାବେଳେ ଏଭଳି କାର୍ଯ୍ୟକ୍ରମ ଲୋକଙ୍କୁ ନିଶ୍ଚିତ ଅଧିକ ସଚେତନ କରିବ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ଆୟୋଜକଙ୍କ ତରଫରୁ ସମସ୍ତଙ୍କୁ, ‘ଆପଣଙ୍କ ଯାତ୍ରାପଥ ସର୍ବଦା ଶୁଭମୟ ହେଉ ‘ବାର୍ତ୍ତା ଦିଆଯାଇଥିଲା ।
ଯାତ୍ରାପଥ ସର୍ବଦା ଶୁଭମୟ ହେଉ, ରୋଟାରୀ କ୍ଲବ୍ ଓ ଆଞ୍ଚଳିକ ପରିବହନ ବିଭାଗର ସଡ଼କ ସଚେତନତା
|
November 23, 2019 |



