ଯାଜପୁର : ୧୮/ ୧୨/୨୫ (ସନ୍ଧାନ ନ୍ୟୁଜ) ଯାଜପୁର ରୋଡ଼ ଧାମରା ନୂତନ ରେଳପଥ ନିର୍ମାଣ ଓ ଯାଜପୁର ଠାରେ ରେଳ ପ୍ରତିଷ୍ଠା କରିବା ପାଇଁ ଦାବି କରି ଯାଜପୁର-ଧାମରା ରେଳପଥ ସଂଗ୍ରାମ ପରିଷଦ ତରଫରୁ ଚଳିତ ମାସ ୧୫ ତାରିଖ ଅପରାହ୍ନ ୧ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା ଏବଂ ଉପରୋକ୍ତ ଯାଜପୁର ରୋଡ଼ ଧାମରା ନୂତନ ରେଳପଥ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଓ ୨୯୫୦ କୋଟି ଟଙ୍କା ଅର୍ଥ ଅନୁଦାନରୁ ବ୍ୟୟବରାଦ କରିବା ଓ ଯାଜପୁର ଠାରେ ପୂର୍ବତନ ରେଳ ଜୋନାଲ କାର୍ଯ୍ୟାଳୟ ଅଧିନରେ ଏକ ନୂତନ ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି କରି ପ୍ରଧାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଯାଜପୁର ଧାମରା ରେଳପଥ ହେଲେ ଏହା ଯାଜପୁର ଜିଲ୍ଲା ସଦର ମହକୁମା ସହିତ ଭାରତ ପ୍ରସିଦ୍ଧ ହିନ୍ଦୁମାନଙ୍କର ପିଣ୍ଡଦାନ ସ୍ଥାନ ଯାଜପୁର ନାଭିଗୟା, ବିରଜାକ୍ଷେତ୍ର, ଆଖଣ୍ଡଳମଣି ଶୈବ କ୍ଷେତ୍ର, ଧାମରାଶ୍ୱରୀ ଶକ୍ତିପୀଠ ଓ ଭିତରକନିକା ଭଳି ଏକ ଆର୍ନ୍ତଜାତିକ କୁମ୍ଭୀର ସଂରକ୍ଷଣ ଉଦ୍ୟାନକୁ ସଂଯୋଗ କରିବ। କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଅଂଚଳରୁ କ୍ରୋମାଇଟ୍, ନିକେଲ, ଳୁହାପଥର ଓ ଟାଟା ଜିନ୍ଦଲ, ନାଲ୍କୋ ଓ ମହାନଦୀ କୋଲ୍ଫିଲ୍ଡରୁ ଉତ୍ପାଦିତ ଖଣିଜ ଓ ଉତ୍ପାଦିତ ନିକେଲ, ଆଲୁମିନିୟମ ଷ୍ଟିଲ କମ୍ ସମୟରେ ଓ କମ୍ ବ୍ୟୟରେ ରତ୍ପାନି କରାଯାଇପାରିବ। ସେହିଭଳି ଉପକୂଳ ଅଂଚଳରୁ ଉତ୍ପାଦିତ ଚାଉଳ, ମଛ, ଚିଙ୍ଗୁଡ଼ି, କଙ୍କଡ଼ା ମଧ୍ୟ ରତ୍ପାନି କରାଯାଇପାରିବ। ଫାଇନାଲ୍ ଲୋକେସନ ସର୍ଭେ ରିପୋର୍ଟ ଗଲାପରେ ନୀତି ଆୟୋଗ ଓ ରେଲୱେ ବିଭାଗର ମଞ୍ଜୁରି ପାଇଁ ଏହା ଦୀର୍ଘଦିନ ପଡ଼ିରହିଛି। ୨୦୧୩ ମସିହାରେ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖର୍ଗେ ରେଳମନ୍ତ୍ରୀ ଥିବାବେଳେ ଏହାର ପ୍ରାଥମିକ ସର୍ଭେ ଓ ୨୦୨୩ ମସିହାରେ ଏହାର ସଂପୂର୍ଣ୍ଣ ସର୍ଭେ ଓ ବଜେଟ୍ ଅଟକଳ କରାଯାଇ ପୂର୍ବତଟ ରେଳପଥରୁ ଯାଇ ରେଳବିଭାଗରେ ମଞ୍ଜୁରୀ ଅପେକ୍ଷାରେ ଅଛି। ରେଳମନ୍ତ୍ରୀ ଗତଥର ସଂସଦ ସମ୍ମୁଖରେ ଧାରଣା ସମୟରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏ ଅବଧି କାର୍ଯ୍ୟକାରୀ କରାଯାଇନାହିଁ। ଅନ୍ୟପକ୍ଷରେ ଏହାକୁ ରେଳବିଭାଗ ନ କରି ଏକ ଘରୋଇ କମ୍ପାନୀକୁ ଦେବା ପାଇଁ ଉଦ୍ୟମ ହେଉଥିବାରୁ ସର୍ବସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ରେଳପଥକୁ ମଞ୍ଜୁରୀ ଓ ଅର୍ଥମଞ୍ଜୁରୀ ବିଳମ୍ବରେ ପ୍ରତିବାଦ କରି ଯାଜପୁର-ଧାମରା ରେଳପଥ ସଂଗ୍ରାମ ପରିଷଦର ଅଧ୍ୟକ୍ଷ, ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ସଂସଦ ନିକଟରେ ଜନ୍ତରମନ୍ତର ଠାରେ ଧାରଣା ଦିଆଯାଇଥିଲା। ତୁରନ୍ତ ଯାଜପୁର ରୋଡ଼ ରେଳପଥକୁ ମଞ୍ଜୁରୀ ଦେଇ ଅର୍ଥ ଅନୁଦାନ ନ ଦେଲେ ଏବଂ ଯାଜପୁର ଠାରେ ଉତ୍ତର ରେଳ ଡିଭିଜନ ପ୍ରତିଷ୍ଠା ନ ହେଲେ ଏହି ଆନ୍ଦୋଳନନକୁ ଆହୁରି ତିବ୍ରତର କରାଯିବ ବୋଲି ସଂଗ୍ରାମ ପରିଷଦର ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଏହି ରେଳପଥ ନିର୍ମାଣ କରିବା ପାଇଁ ଡ଼. ରାମଚନ୍ଦ୍ର ଖୁଣ୍ଟିଆ ସାଂସଦରେ ପ୍ରାୟ ୧୭ଥର ସଂସଦରେ ଦାବି କରିଥିଲେ। ୨୦୧୩ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ଏହାର ପ୍ରାଥମିକ ସର୍ଭେ ହୋଇଥିଲା। ୨୦୨୩ ମସିହାରେ ଏହାର ଫାଇନାଲ ଲୋକେସନ ସର୍ଭେ କରାଯାଇ ବଜେଟ୍ ଏଷ୍ଟିମେଟ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଦେଇଛନ୍ତି। ବଜେଟ୍ ଅଟକଳ ଓ ସର୍ଭେ ସମୟରେ ଏହା ଲାଭଜନକ ରେଳପଥ ବୋଲି ଦର୍ଶାଯାଇଛି। ତାହା ସତ୍ତ୍ୱେ ରେଳବିଭାଗ ଏହାକୁ ଅର୍ଥମଞ୍ଜୁର ନ କରି ଏକ ଘରୋଇ କମ୍ପାନୀକୁ ଏହି ରେଳପଥ ଦେବା ପାଇଁ ଉଦ୍ୟମ ହେବାର ଜଣାପଡ଼ିି। ଯାଜପୁର-ଧାମରା ରେଳପଥ ସଂଗ୍ରାମ ପରିଷଦ ତରଫରୁ ରେଳପଥକୁ ଘରୋଇ କମ୍ପାନୀଙ୍କୁ ଦେବା ପ୍ରସ୍ତାବକୁ ଦୀବ୍ର ବିରୋଧ କରିବା ସଂଗେ ସଂଗେ ରେଳବିଭାଗ ତରଫରୁ ଏହି ପ୍ରକଳ୍ପକୁ ମଞ୍ଜୁର କରିବା ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ପରିଷଦର ସଭାପତି ଡ଼. ରାମଚନ୍ଦ୍ର ଖୁଣ୍ଟିଆ ଦାବି କରିଛନ୍ତି। ଏହି ଧାରଣାରେ ପରିଷଦର ଉପସଭାପତି ମନୋଜ ରାଉତ, ସାଧାରଣ ସମ୍ପାଦକ ସନ୍ତୋଷ ନନ୍ଦ, ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ସାଗର ରଂଜନ ପରିଡ଼ା, ମାଗୁଣୀ ଜେନା, ଚିନ୍ମୟ ସୁନ୍ଦର ଦାସ, ଆରତୀ ସ୍ୱାଇଁ, କନକଲତା ମଲ୍ଲିକ, ଆରତୀ ଦେଓ, ଜାନକୀ ମଲ୍ଲିକ, ଦୀପ୍ତି ପ୍ରଧାନ, ସୋପ୍ନା ବେହେରା, ଖଗେଶ୍ୱର ମଲ୍ଲିକ, ମିହିର ମିଶ୍ର, ସଂଗ୍ରାମ ସାହାଣୀ, ଉମାକାନ୍ତ ମଲ୍ଲିକ, ଉମେଶ ଜେନା, କଳ୍ପନା ପଣ୍ଡା, ଜିତୁ ପଣ୍ଡା, ତରୁଣ ମାଝୀ, ଦେବ ଦାସ, ସମୀର ସାହୁ ଓ ଯାଜପୁର ଅଂଚଳରୁ ଶତାଧିକ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁର ରୋଡ଼-ଧାମରା ରେଳପଥ ଓ ଯାଜପୁର ରୋଡ଼ ରେଳ ଡିଭିଜନ ପାଇଁ ସଂସଦ ଆଗରେ ଧାରଣା
|
December 18, 2025 |



