ଯାଜପୁର, ୨୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ପୌର ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଫଳାଫଳରୁ ସ୍ପଷ୍ଟ ହୋଇଛି ଭୋଟରମାନେ ପର୍ଯ୍ୟାପ୍ତ ଅର୍ଥ, ମଦ, ବିଭିନ୍ନ ପ୍ରକାର ପ୍ରଲୋଭନ, ଚାପ ଓ ଭୟର ବଶବର୍ତୀ ହୋଇ ଭୋଟ୍ ଦେବାକୁ ବାଧ୍ୟ ହୋଇଛନ୍ତି । ବହୁ ଭୋଟର ତାଙ୍କର ନିଜ ମତଦାନ ଦେଇପାରିନାହାଁନ୍ତି । ଭୋଟରମାନଙ୍କ ଅନୁପସ୍ଥିତ ସତ୍ୱେ ସେମାନଙ୍କର ଭୋଟକୁ ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଛି । ଭୋଟରମାନଙ୍କର ଭୋଟ୍ ଦାନର ସ୍ୱାଧୀନତା କୁ ଅପହରଣ କରାଯାଇଅଛି । ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି କୁ ବୁଥ୍ରେ ଥିବା ପ୍ରିଜାଇଡ଼ିଂ ଅଫିସରମାନେ ଖୋଲାଖୋଲି ଉଲଙ୍ଘନ କରିଛନ୍ତି । କୌଣସି ବୁଥ୍ରେ ଭୋଟରମାନଙ୍କ ପରିଚୟ ପତ୍ର ତନଖି କରାନଯାଇ ତାଙ୍କୁ ଭୋଟ୍ ଦେବା ପାଇଁ ଅନୁମତି ଦିଆଯାଇଛି ଏବଂ ବାରମ୍ବାର ବୁଥ୍କୁ ଯାଇ ଭୋଟ୍ ଦେଉଥିବା ଭୋଟରମାନଙ୍କୁ ବାରଣ କଲେ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ୍ । ଯାହା ଦ୍ୱାରା ବହୁ ଅନୁପସ୍ଥିତ ଓ ମୃତ ବ୍ୟକ୍ତିଙ୍କ ନାମରେ ଭୋଟ୍ ଦିଆହୋଇଛି । ପ୍ରମାଣ ସ୍ୱରୂପ ସାରା ଓଡ଼ିଶାରେ ୬୫% ମତଦାନ ହୋଇଥିବା ବେଳେ ଯାଜପୁର ରେ ୮୦% ମତଦାନ ହୋଇଅଛି । ଏଭଳି କି ଷ୍ଟ୍ରଙ୍ଗ୍ ରୁମ୍ରେ ଥିବା ଇ.ଭି.ଏମ୍ ମେସିନକୁ ହେରଫେର କରାଯାଇଛି । କଂଗ୍ରେସ୍ ଦଳ ନିର୍ବାଚନରେ ଗଣତନ୍ତ୍ରକୁ ସମ୍ମାନ ଜଣାଇ ନିର୍ବାଚନ ଆୟୋଗଙ୍କ ସମସ୍ତ ଆଚରଣ ବିଧିକୁ ପାଳନ କରି ବିନା ଅର୍ଥ,ମଦ ଓ ମିଥ୍ୟା ପ୍ରତିଶ୍ରୁତି ଏବଂ ପ୍ରଲୋଭନ ନଦେଖାଇ ଏକ ଆଦର୍ଶଗତ ନିର୍ବାଚନ ଲଢ଼ୁଥିଲା ସମସ୍ତ ପ୍ରତିକୂଳ ଅବସ୍ଥା ମଧ୍ୟରେ ଯେଉଁ ଭୋଟମାନେ ଆମ୍ଭଙ୍କୁ ଭୋଟ୍ ଦେଇଛନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ ଓ ଦଳର କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଉଅଛୁ । କଂଗ୍ରେସ୍ ଚେୟାରମ୍ୟାନ୍ ପ୍ରାର୍ଥିନୀଙ୍କ ଭୋଟ୍କୁ ଡ଼ିଲିଟ୍ କରିବା ସହ କାଉନସିଲର ପ୍ରାର୍ଥୀମାନଙ୍କର ଭୋଟ୍ କୁ ଡ଼ିଲିଟ୍ କରିଥିବା ଅଭିଯୋଗ କରିଛି କଂଗ୍ରେସ ଏଣୁ ଚଳିତ ନିର୍ବାଚନରେ ଜନାଦେଶ ନିରପେକ୍ଷ ଜନାଦେଶ ନୁହେଁ ବୋଲି ଜିଲ୍ଲା କଂଗ୍ରେସ୍ ସଭାପତି ମନୋଜ ରାଉତ, ପିସିସି ସମ୍ପାଦକ ସନ୍ତୋଷ ନନ୍ଦ, ନଗର ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି ।