– ଯାଜପୁର ଜିଲ୍ଲାର ପ୍ରଥମ ଇନଡୋର ଷ୍ଟାଡିୟମ ଉଦଘାଟନ –

Spread the love

ଯାଜପୁର, ୧୧/୧୧/୨୦ (ସନ୍ଧାନ ନିଉଜ) : ବୈଷୟିକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ସହ ଭଲ ମଣିଷ ଗଢିବା ପାଇଁ ମାନବିକ ମୂଲ୍ୟବୋଧପୂର୍ଣ୍ଣ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଆହ୍ୱାନ ଦେଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲାର ପ୍ରଥମ ଇନଡୋର ଷ୍ଟାଡିୟମକୁ ମଙ୍ଗଳବାର ଉଦଘାଟନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ । ଏହାସହ ଛତିଆ କଲେଜ ପରିସରରେ ୧୦ ଲକ୍ଷ ଟଙ୍କାର ବିଜ୍ଞାନ ଗୃହ, ୨.୫ ଲକ୍ଷ ଟଙ୍କାର ପମ୍ପ ହାଉସକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅମର କହିଛନ୍ତି ଯେ, ଅବକ୍ଷୟମୁଖୀ ଲୋକ ଚରିତ୍ର ଉଭୟ ବ୍ୟକ୍ତି ଏବଂ ସମାଜ ଜୀବନ ପାଇଁ ବିପଦଜନକ ହୋଇପଡିଛି । ସେଥିପାଇଁ ଶିକ୍ଷକ ତଥା ଅଧ୍ୟାପକ ମାନେ ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ ଉଜ୍ଜିବିତ କରିବାକୁ ଆହ୍ୱାନ ଦେଇଥିଲେ । ଯୁଗ ସହ ତାଳ ଦେଇ ଆଗେଇବାକୁ ହେଲେ ଆମର ଛାତ୍ରଛାତ୍ରୀମାନେ ବୈଷୟିକ ତଥା ଧନ୍ଦା ମୂଳକ ଶିକ୍ଷା ସହ ପ୍ରଯୁକ୍ତି ବିଦ୍ୟାରେ ଅଧିକ ଦକ୍ଷ ହେବା ଆବଶ୍ୟକ । ଏହି ଶିକ୍ଷା ପ୍ରଦାନ ଦିଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁରୁତ୍ୱ ଦେବାକୁ ଅମର ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, କରୋନା ମହାବିପତ୍ତି ମଣିଷ ଜାତିକୁ ଅନେକ କିଛି ଭାବିବାକୁ ଏବଂ ସମୟ ଉପଯୋଗୀ କାର୍ଯ୍ୟ କରିବାକୁ ବାଧ୍ୟ କରିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ମଣିଷ କରୋନା ସମୟରେ ପାଠପଢା ଠାରୁ ଆରମ୍ବ କରି ସବୁକିଛି କରିବାକୁ ବାଧ୍ୟ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଂଜୀବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଡ. ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଉଭୟ ମୁଖ୍ୟ ଅତିଥି ବଡଚଣା ବିଧାୟକ ଏବଂ କଲେଜ ଅଧ୍ୟକ୍ଷଙ୍କ ବିଭିନ୍ନ ସମୟ ଉପଯୋଗୀ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସରପଂଚ ନୟନା ମହାନ୍ତି, ପୂର୍ବତନ କଲେଜ ଅଧ୍ୟକ୍ଷ କେଶବ ଦାସ, ମାଧବାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କଲେଜର ବିକାଶ କ୍ଷେତ୍ରରେ ବହୁ ଅବଦାନ ଥିବା ପୂର୍ବତନ ସରପଂଚ ତଥା ବରିଷ୍ଠ ସଂଗଠକ ସଚ୍ଚି ସାମନ୍ତରାୟ, ଅଧ୍ୟାପକ ସୁକାନ୍ତ ଜେନାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଏନ.ସି.ସି ଶାଖା ତରଫରୁ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଥିଲା । ଅଧ୍ୟାପିକା କବିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment