ଯାଜପୁର, ୧୨/୧୦/୨୦୨୧ (ସନ୍ଧାନ ନିଉଜ) : ପ୍ରତ୍ୟେକ ପିଲା ବିଶେଷ କରି ଝିଅମାନଙ୍କ ପ୍ରତିଭା ବିକାଶ ବା ସଫଳତା ପାଇଁ ମା’ମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ତେଣୁ ପିଲାମାନେ ଯେତେବେଳେ ସଫଳତା ପାଇଁ ସମ୍ବର୍ଦ୍ଧିତ ହେଉଛନ୍ତି ମା’ମାନଙ୍କୁ ଏଥିରେ ସାମିଲ କରିବାକୁ ଜିଲାପାଳ ଚକ୍ରୱର୍ତ୍ତି ସିଂ ରାଠୋର ଆହ୍ୱାନ ଦେଇଛନ୍ତି । ସୋମବାର ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଶ୍ରୀ ରାଠୋର ଶିଶୁ ମାନଙ୍କ ମଧ୍ୟରେ ବିବିଧ ପ୍ରତିଭା ରହିଛି । ଏହାର ଉନ୍ମେଶ ଓ ବିକାଶ ପ୍ରତ୍ୟେକ ରାଷ୍ଟ୍ରକୁ ସମ୍ୃଦ୍ଧ କରିବ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଶିଶୁ କନ୍ୟାମାନଙ୍କ ସ୍ୱାସ୍ଥ୍ୟ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦେ୍ଦଶ୍ୟରେ ଜାତିସଂଘପକ୍ଷରୁ ଏହି ଦିବସକୁ ପାଳନ କରାଯିବା ସହ ଲିଙ୍ଗ ଗତ ପାର୍ଥକ୍ୟକୁ ପ୍ରତିହତ କରିବାକୁ ଉଦ୍ୟମ ଜାରି ରହିଛି । ଏଥିରେ ପ୍ରତ୍ୟେକ ପିତାମାତା ଓ ଅଭିଭାବକଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଶିଶୁ କନ୍ୟା ମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅନୁକୂଳ ପରିବେଶ ପାଇଁ ସାମାଜିକ ଉତ୍ତରଦାୟୀ ଭାବେ ପ୍ରତ୍ୟେକ କାର୍ଯ୍ୟ କଲେ ପ୍ରତିଟି ଶିଶୁ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି କହିଥିଲେ । ଜିଲା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁପ୍ରଭା ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ଶିଶୁ କନ୍ୟା ମାନଙ୍କର ସାମାଜିକ ଓ ପାରିବାରିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିବା ସହ ସାମୁହିକ ଉଦ୍ୟମ ଦ୍ୱାରା ପ୍ରତ୍ୟେକ କନ୍ୟା ସୁରକ୍ଷିତ ରହି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉକôର୍ଷତାଲାଭ କରିଥିବା ଓ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀମାନଙ୍କୁ ଜିଲାପାଳ ଓ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ବିଭିନ୍ନ ବ୍ଲକର ସିଡ଼ିପିଓ, ସୁପରଭାଇଜର, ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ ।
ଯାଜପୁରରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
|
October 13, 2021 |


