ଯଖପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ଡାକ୍ତର ଅଭାବରୁ ଆରମ୍ଭ କରି CSR ପାଣ୍ଠି ପର୍ଯ୍ୟନ୍ତ ଉଠିଲା ଗୁରୁତର ପ୍ରଶ୍ନ

Spread the love

ଯାଜପୁର, ୨୫/୩ (ସନ୍ଧାନ ନ୍ୟୁଜ) ଶିଳ୍ପାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ର ଯଖପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଅବହେଳାର ଶିକାର ହୋଇପଡ଼ିଛି। ବୁଧବାର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ‘ଜନ ଆରୋଗ୍ୟ ସମିତି’ (RKS) ପରିଚାଳନା ପରିଷଦ ବୈଠକରେ ଏହାକୁ ନେଇ ଗଭୀର ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି।

ବୈଠକରେ ଡାକ୍ତର ଓ କର୍ମଚାରୀଙ୍କ ଭାରି ଅଭାବକୁ ମୁଖ୍ୟ ସମସ୍ୟା ଭାବେ ଉଠାଯାଇଥିଲା। ସୂଚନା ଅନୁଯାୟୀ, ପଛଲା ୩ ବର୍ଷ ଧରି ଜଣେ ମେଡିକାଲ ଅଫିସର ଡେପୁଟେସନରେ ଯାଇଥିଲେ ମଧ୍ୟ ସେ ଫେରିନାହାନ୍ତି ଓ ତାଙ୍କ ସ୍ଥାନରେ ନୂତନ ନିଯୁକ୍ତି ହୋଇନାହିଁ। ସେପରି, ପଛଲା ୪ ବର୍ଷ ଧରି ବହୁ ପଦବୀ ଖାଲି ରହିଥିବାରୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ନର୍ସିଂ ଷ୍ଟାଫ୍‌ଙ୍କ ଅଭାବ ଯୋଗୁଁ ରୋଗୀମାନେ ସମୟମତେ ମୌଳିକ ସେବା, ଯଥା ଇଞ୍ଜେକ୍ସନ ଇତ୍ୟାଦି ମଧ୍ୟ ପାଇପାରୁନାହାନ୍ତି।

ଯଖପୁରା ଅଞ୍ଚଳ ଚାରିପାଶେ ବଡ଼ ବଡ଼ ଇସ୍ପାତ ଓ ଶିଳ୍ପସଂସ୍ଥା ରହିଥିବା ସତ୍ତ୍ୱେ, ସେମାନଙ୍କ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତି ପାଇଁ CSR ପାଣ୍ଠିର ବ୍ୟବହାର ନ ହେବାକୁ ନେଇ ପ୍ରଶ୍ନ ଉଠିଛି। ପୁନଃପୁନି ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ସଂସ୍ଥା ସକାରାତ୍ମକ ପଦକ୍ଷେପ ନେଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ନେଇ ଅଧିକ ଚିନ୍ତା ବ୍ୟକ୍ତ କରାଯାଇଛି। ଥ୍ରୀ-ଫେଜ୍ ବିଦ୍ୟୁତ୍ ସଂଯୋଗ ପାଇଁ ଟ୍ରାନ୍ସଫରମର ଅବଧି ପର୍ଯ୍ୟନ୍ତ ସ୍ଥାପିତ ହୋଇନଥିବାରୁ ‘ସନ୍‌ଷ୍ଟ୍ରୋକ୍’ ୱାର୍ଡରେ ଏସି ଚାଲୁ ହେଉନାହିଁ। ଏହା ସହିତ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ବ୍ୟବହାରରେ ମଧ୍ୟ ବାଧା ସୃଷ୍ଟି ହେଉଛି।

ଏହା ସହିତ, ପାନୀୟ ଜଳ ସମସ୍ୟା ସମାଧାନ ପାଇଁ RWSS ବିଭାଗ ପକ୍ଷରୁ ସୌର ଶକ୍ତି ଚାଳିତ ପାଣି ପମ୍ପ ସ୍ଥାପନ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି।

୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଓ ସମିତିର ଅଧ୍ୟକ୍ଷା ସୁଚିତ୍ରା ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଡା. ଜ୍ୟୋତି ରଞ୍ଜନ ମହାପାତ୍ର, ଡା. ଅମୂଲ୍ୟ କୁମାର ନାୟକ, ମଙ୍ଗଳପୁର ସରପଞ୍ଚ ବାବୁଲି ନଟିଆ, କୁମ୍ଭୀରଗାଡ଼ିଆ ସରପଞ୍ଚ ବିନୋଦ କୁମାର ଦଳେଇ, ସମିତି ସଦସ୍ୟ ଅକ୍ଷୟ କୁମାର ଧଳ ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ମଧ୍ୟ ବୈଠକରେ ସହଯୋଗ କରିଥିଲେ।

Related Posts

About The Author

Add Comment