ବାରିପଦା, ୦୫/୦୩/୨୧ (ସନ୍ଧାନ ନିଉଜ) :ଫୁଟବଲ ଓ କ୍ରିକେଟ ଖେଳକୁ ନେଇ ଚାଲିଥିବା ମୟୂରଭଞ୍ଜ ପ୍ରିମିୟର ଲିଗର ଉଦଯାପନୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଫୁଟବଲ ପ୍ରତିଯୋଗିତା ଶେଷ ହୋଇ ବିଜାତଳା ଚମ୍ପିଆନ ହୋଇଛି । ଜାନୁଆରୀ ୩୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଜିଲା ସଦର ମହକୁମା ସହିତ ୨୬ଟି ବ୍ଲକରେ କ୍ରିକେଟ ପ୍ରତିଯୋଗତାର ଲିଗ ସମେତ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ଖେଳ ଶେଷ ହୋଇଛି । ୨୩ତାରିଖ ନେତାଜୀଙ୍କ ଜୟନ୍ତୀରେ ଲିଗର ଲୋଗୋ, ଜର୍ସି ଓ ଥିମ ସଙ୍ଗୀତ ଉନ୍ମୋଚିତ ହୋଇଥିବା ବେଳେ ୩୦ତାରିଖ ବାପୁଜୀଙ୍କ ମହାପ୍ରୟାଣ ଦିବସରେ ଲିଗ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା । ଫେବୃଆରୀ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ବ୍ଲକରେ କ୍ରିକେଟ ଖେଳର ଏହି ଲିଗ ପ୍ରତିଯୋଗିତା ଆୟୋଜିତ ହୋଇଛି । କି୍ରକେଟ ସେମିଫାଇନାଲ ୫ତାରିଖ ଶେଷ ହେବାକୁ ଥିବା ବେଳେ ଓ ଫାଇନାଲ ଖେଳ ୭ତାରିଖ ସନ୍ଧ୍ୟାରେ ବାରିପଦା ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲାସ୍ତରରେ କି୍ରିକେଟ ପାଇଁ ୧ଟି ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି, ଶେଷ୍ଠ ବୋଲର, ବ୍ୟାଟ୍ସମ୍ୟାନ ଓ ଫିଲଡ଼ରଙ୍କୁ ୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଓ ମ୍ୟାନ ଅଫ ଦି ସିରିଜଙ୍କୁ ଗୋଟିଏ ସିବିଜେଡ଼ ଏକ୍ସଟ୍ରିମ-୧୬୦ ଆର ବାଇକ ଭଳି ଆକର୍ଷଣୀୟ ପୁରସ୍କାର ଥିବା ବେଳେ ରାଜ୍ୟର ବିଧାୟକ ଏକାଦଶ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ନେତା ଏକାଦଶ ଏବଂ ଛାତ୍ର/ଯୁବ ଏକାଦଶ ଦଳ ଓ ସଦରମହକୁମାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଏକାଦଶଙ୍କ ଦଳ ମଧ ୍ୟରେ ୬ତାରିଖ ଶନିବାର ଏକ ପ୍ରଦର୍ଶନୀ ମ୍ୟାଚ ହେବାର କାର୍ଯ୍ୟକ୍ରମ ରହିଛି । ସେହଭଳି ଫାଇନାଲ ଖେଳ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୋକ୍ଷ ଡ଼୍ୟାନ୍ସ ଗ୍ରୁପ ସହିତ ରିଆ, ସମ୍ବିତ, ସ୍ୱରାଜ ଓ ଦେବଯାନୀଙ୍କ ଭଳି ସିନେତାରକାଙ୍କ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ମନ୍ଟୁ ଛୁରିଆ, ଅସୀମା ପଣ୍ଡା, ଜେମ୍ସ ଓ ଇପିତା ପଣ୍ଡାଙ୍କୁ ନେଇ ଗୀତସାଗର ଅକ୍ରେଷ୍ଟ୍ରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ଜନତା ସଭାପତି ବ୍ୟୋମକେଶ ରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତ ରାୟ, ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରୀପାଠୀ ଓ ଖେଳ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ମମତା ମହାନ୍ତଙ୍କ ସମେତ ଜିଲ୍ଲାର ସମସ୍ତ ବିଜେଡ଼ି ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉ କି, କ୍ରୀଡ଼ା ମାଧ୍ୟମରେ ତୃଣମୂଳ ସ୍ତରରୁ ଯୁବ ପ୍ରତିଭା ଅନ୍ୱେଷଣ ସହ ଦକ୍ଷତା ବିକାଶ ପାଇଁ ଗୁରୁତ୍ୱ ଦେଇ ମୟୂରଭଞ୍ଜ ଜିଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କ୍ରୀଡ଼ା ମାଧମରେ ଯୁବବର୍ଗଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ଓ ମନୋଭାବ ସୃଷ୍ଟି ସାଙ୍ଗକୁ ଦଳଗତ ପ୍ରଦର୍ଶନ ମାଧ ୍ୟମରେ ସଫଳତାର କୌଶଳ ପ୍ରଶିକ୍ଷଣ ବିଶେଷ ଉପଯୋଗୀ ହୋଇ ପାରିବ ବୋଲି ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ ବିଜେଡ଼ି ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡ଼ିଶାର ବରେଣ୍ୟ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲାରୁ ଦକ୍ଷ କ୍ରୀଡ଼ା ପ୍ରତିଭା ଜନମାନସରେ ପରିଚୟ ସୃଷ୍ଟି କରି ସେମାନଙ୍କ ଜୀବନକୁ ଏକ ନୂତନ ରୂପରେଖ ପ୍ରଦାନ ନିମନ୍ତେ ଏହି ପ୍ରିମିୟର ଲିଗ ଆୟୋଜିତ ହେଉଛି ।
ମୟୂରଭଞ୍ଜ ପ୍ରିମିୟର ଲିଗ୍ ଉଦଯାପନୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରବିବାର ବାରିପଦା ଷ୍ଟାଡ଼ିୟମରେ କ୍ରିକେଟ ଫାଇନାଲଖେଳ
|
March 5, 2021 |



