ବାରିପଦା, ୧୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ମେଡିକାଲ କଲେଜ ହସ୍ପିଟାଲ୍ ରାସ୍ତା ଶୋଚନୀୟ ହୋଇପଡ଼ିଛି । ମାତୃମଙ୍ଗଳ କେନ୍ଦ୍ର ଛକଠାରୁ ସୁନଗଡ଼ିଆ ଟିବି ହସ୍ପିଟାଲ କାଳିକାପୁର ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦୟନୀୟ ଯୋଗୁଁ ଯାତାୟାତରେ ସମସ୍ୟା ହେଉଛି । ବିଭାଗୀୟ କର୍ମକର୍ତ୍ତା ଏସବୁ ଜାଣି ଚୁପ୍ ରହୁଥିବା ବେଳେ ମୟୁରଭଞ୍ଜ ଯୁବା ଛାତ୍ର ସଂଗଠନ ବିଭାଗୀୟ ଅଧିକାରୀଙ୍କୁ ସଜାଗ କରାଇଛି । ଏହି ରାସ୍ତା ତୁରନ୍ତ ମରାମତି କରିବାକୁ ମୟୁରଭଞ୍ଜ ଯୁବ ସମାଜ ତରଫରୁ ଏକ ଦାବିପତ୍ର ପୌରପରିଷଦ ଅଧିକାରୀଙ୍କୁ ଦିଆଯାଇଛି । ବରିଷ୍ଠ ଆଇନଜୀବୀ ତଥା ସଂଗଠନର ମୁଖ୍ୟ ଉପଦେଷ୍ଟା ଜ୍ୟୋତିପ୍ରକାଶ ରଥ ଏବଂ ସରୋଜ କୁମାର ବୋଷଙ୍କ ନେତୃତ୍ବରେ ଏହି ଦାବିପତ୍ର ସଂଗଠନର ଅଧ୍ୟକ୍ଷ ଅଖୁଳେଶ ଶର୍ମା ଓ ସଭାପତି ମନଦୀପ ସିଂ ରାଠୋର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧୁକାରୀଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ବାରିପଦା ସହରର ମୁଖ୍ୟ ରାସ୍ତା ସମେତ ମେଡିକାଲ କଲେଜ ହସ୍ପିଟାଲ ତଥା ସଦର ମହକୁମା ଡାକ୍ତରଖାନା ପାଇଁ ଉଦ୍ଦିଷ୍ଟ ରାସ୍ତାର ଶୋନୀୟ ଅବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ରୋଗୀଙ୍କ ଯାତାୟାତ ଲାଗି ରହିଥିବା ବେଳେ ଖରାପ ରାସ୍ତା ଯୋଗୁଁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଛୋଟ ବଡ ଯାନ ରାସ୍ତାକୁ ଅବରୋଧ କରି ରଖୁଥିବାରୁ ଦୁର୍ଘଟଣା ଘଟିଚାଲିଛି । ରାସ୍ତାରେ ଖାଲଖମା ହୋଇଥିବାରୁ ଅନେକ ସମୟରେ ପାଣି ଜମା ହୋଇ ରହୁଛି । ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେଉଛି । ମେଡିକାଲ ରାସ୍ତାର ଏହି ଶୋଚନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବା ପାଇଁ ସଂଗଠନ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ଅଧ୍ୟକ୍ଷ ଅଖୁଳେଶ ଶର୍ମାଙ୍କ ସହ ଉମେଶ କୁମାର ନାୟକ, ଜୟକିଶନ ଭଟ୍ଟର, ଶ୍ରୀକାନ୍ତ ରଥ ପ୍ରମୁଖ ସଂଗଠନର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ମେଡିକାଲ କଲେଜ ହସ୍ପିଟାଲ୍ ରାସ୍ତା ବିପର୍ଯ୍ୟସ୍ତ : ମୟୁରଭଞ୍ଜ ଯୁବ ସମାଜ ପକ୍ଷରୁ ମରାମତି ପାଇଁ ଦାବିପତ୍ର
|
September 13, 2020 |
