ଚଣ୍ଡିଖୋଲ,୩୦/୧୧/୨୨(ସନ୍ଧାନ ନ୍ୟୁଜ): ବଡ଼ଚଣା ବ୍ଲକ ଦର୍ପଣ ପଂଚାୟତ ଦର୍ପଣ ଗ୍ରାମରୁ ଚୋରି ହେଇଥିବା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଯାଜପୁର ଜିଲ୍ଲା ଏସପି ରାହୁଲ ପିଆରଙ୍କୁ ଆଜି ଦର୍ପଣ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଭେଟିଥିଲେ. ମୂର୍ତ୍ତିକୁ ଆଣିବା ପାଇଁ କଷ୍ଟମ ବିଭାଗ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିଠି ଲେଖାଯାଇଛି ଓ ମୂର୍ତ୍ତିଟି ଚୋରି ଯାଇଥିବା ସେହି ମୂର୍ତି ବୋଲି ଚିଠିରେ ଆମେ ଉଲେଖ୍ହ କରିଛୁ ବୋଲି ଏସପି ପ୍ରତିନିଧିଙ୍କୁ କହିଥିଲେ.ସେଠାରୁ ଖବର ଆସିଲେ ଗ୍ରାମର ପ୍ରତିନିଧିଙ୍କୁ ନେଇ ଦିଲ୍ଲୀ ଯିବାକୁ ସେ ପ୍ରତିଶୃତି ଦେଇଥିଲେ.ସରପଂଚ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ହରିଶଙ୍କର ପଣ୍ଡା,ଜୟନ୍ତ ପଣ୍ଡା,ତୁଷାର ରଞ୍ଜନ ପଣ୍ଡା,ଦୀନେଶ ପଣ୍ଡା ପ୍ରମୁଖ ଏସପି ଭେଟି ଶୀଘ୍ର ମାଙ୍କ ମୁର୍ତୁକୁ ଗ୍ରାମକୁ ଫେରାଇଆଣିବାକୁ ଅନୁରୋଧ କରିଥିଲେ.ସୂଚନା ଯୋଗ୍ୟଯେ ପ୍ରାୟ ଦୁଇଶହ ବର୍ଷ ତଳେ ସ୍ଥାପିତ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଦୁର୍ଲ୍ଲଭ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ୨୦୨୧ ମସିହା ଜାନୁୟାରୀ ୧୧ତାରିଖ ରାତିରେ ଚୋରି କରି ନେଇଥିଲେ । ଏଥିନେଇ ବଡ଼ଚଣା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ପକ୍ଷରୁ ସେତେବେଳେ କିଛି ଦିନ ଧରି ବେଶ୍ ତନାଘନା ହେଲା ଏବଂ ଖୋଦ୍ ଯାଜପୁର ଏସପି ରାହୁଲ୍ ପି ଆର୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସରଜମିନ ଯାଞ୍ଚ୍ କରିଥିଲେ । ପୋଲିସ ଉକ୍ତ ମୂର୍ତ୍ତିକୁ ଉଦ୍ଧାର କରିବା କିମ୍ୱା ଦୂର୍ବୁତ୍ତଙ୍କୁ ମଧ୍ୟ ଠାବ କରି ନ ପାରିବା ଏବଂ ୭ମାସ ଧରି ଦେବୀଙ୍କ ବିନା ଖାଲି ପଡ଼ିଥିବା ମନ୍ଦିରକୁ ଦେଖି ଗ୍ରାମବାସୀମାନେ ଅଗତ୍ୟା ଆଉ ଏକ ନୂତନ ମୂର୍ତ୍ତି ନିର୍ମାଣ କରାଇ ମନ୍ଦିରରେ ପ୍ରତିଷ୍ଠା କରିଥିଲେ । ତେବେ ପ୍ରାୟ ଦୁଇମାସ ତଳେ ଚୋରି ହୋଇଥିବା ସେହି ମୂର୍ତ୍ତିଟି ସୌଭାଗ୍ୟ କ୍ରମେ ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଜବତ୍ କଲା । ଦୁର୍ବୃତ୍ତମାନେ ମୂର୍ତ୍ତିଟିକୁ ବିଦେଶକୁ ଚାଲାଣ କରିବାକୁ ଉଦ୍ୟମ କରି ତାହାକୁ କାର୍ଗୋରେ ବୁକ୍ ବି କରି ସାରିଥିଲେ । କିନ୍ତୁ ସେଥିପାଇଁ ଏଏସଆଇରୁ ଏନଓସି ହାସଲ କରିବା ପାଇଁ ହୋଇଥିବା ଦରଖାସ୍ତ ଉପରେ ଯାଞ୍ଚ୍ କରିବାରେ ତାହା ଦର୍ପଣଗଡ଼ର କୋଟ୍ରାକ୍ଷୀଙ୍କ ପ୍ରାଚୀନ ମୂର୍ତ୍ତି ବୋଲି ଜଣାପଡ଼ିବା ପରେ ଏଏସଆଇ ବିଧିବଦ୍ଧ ଭାବେ ଯାଜପୁର ଏସପିଙ୍କୁ ସେଥିନେଇ ଅବଗତ କରାଇ ସାରିଛି । ଏବେ ଦେଖିବାକୁ ବାକି ରହିଲା ଉଦ୍ଧାର ମୂର୍ତ୍ତିଟି ଦିଲ୍ଲୀରୁ ଦର୍ପଣଗଡ଼ ଗ୍ରାମର ମନ୍ଦିରକୁ କେବେ ଫେରୁଛି !
ମୂର୍ତି ଫେରାଇ ଆଣିବା ପାଇଁ ଏସପିଙ୍କୁ ଭେଟିଲେ ଗ୍ରାମବାସୀ
|
November 30, 2022 |