ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ, ନବୀନ ଯୁଗର ଅନ୍ତ

Spread the love

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ନବୀନ ଯୁଗର ପରିସମାପ୍ତି ଘଟିଲା । ଦୀର୍ଘ ୨୪ ବର୍ଷ ପରେ କ୍ଷମତାଚ୍ୟୁତ ହେଲା ବିଜେଡି । ଆଉ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ବୁଧବାର ସକାଳ ପ୍ରାୟ ସାଢେ ୧୧ଟାରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପରେ ସେ ନବୀନ ନିବାସ ଫେରି ଯାଇଛନ୍ତି । ଅନ୍ୟପଟେ ବିଜେପି ଜୁନ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବ । ସୂଚନାଯୋଗ୍ୟ, ଓଡିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନର ପୂର୍ଣ୍ଣଛେଦ ପଡିଛି । ଏଥର ନିର୍ବାଚନରେ ଆଉ କାମ କଲାନି ନବୀନ ଯାଦୁ । ଦଳକୁ ମାତ୍ର ୫୧ଟି ଆସନ ମିଳିଛି । ଏପରିକି ନବୀନ ପଟ୍ଟନାୟକ ଖୋଦ୍ କଣ୍ଟାବାଞ୍ଜି ଆସନରୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ହିଞ୍ଜିଳିରୁ ଜିତି ସେ ନିଜର ସମ୍ମାନ ରକ୍ଷା କରି ପାରିଛନ୍ତି । ତେବେ ଭୋଟ୍ ବ୍ୟବଧାନ ମାତ୍ର ୪ ହଜାରରୁ ଅଧିକ ରହିଛି । ଅନ୍ୟପଟେ ବିଜେପି ରାଜ୍ୟରେ ଆଶାତୀତ ସଫଳତା ପାଇଛି । ଲୋକସଭାରେ ୨୧ରୁ ୨୦ ଆସନ ଦଖଲ କରିବା ସହିତ ବିଧାନସଭାରେ ୧୪୭ରୁ ୭୮ଟି ଜିତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ପ୍ରଥମ ଥର ସରକାର ଗଢିବାକୁ ଯାଉଛି । ଏଥର ନିର୍ବାଚନରେ ବିଜେଡିର ବହୁ ମନ୍ତ୍ରୀ, ଦିଗଜ ନେତା ଶୋଚନୀୟ ପରାଜୟ ଭୋଗିଛନ୍ତି । ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା । ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଦୃଢ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିଛି ।

Related Posts

About The Author

Add Comment