ମୁଖ୍ୟମନ୍ତ୍ରୀଙ୍କ ବଳଦେବଜୀଉ ଦର୍ଶନ, ୨କୋଟିର ପ୍ୟାକେଜ ଘୋଷଣା

Spread the love

କେନ୍ଦ୍ରାପଡ଼ା ୧୭/୬ (ସନ୍ଧାନ ନିଉଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ଦର୍ଶନ କରିଛନ୍ତି। ଆଜି ଅପରାହ୍ଣରେ ମାଉସୀମା ମନ୍ଦିର ନିକଟ ହେଲିପ୍ୟାଡ୍‌ରେ ଓହ୍ଲାଇ ନବୀନ ବଳଦେବ ଜିଉ ମନ୍ଦିରରେ ପହଞ୍ଚିଥିଲେ। ପରେ ସ୍ନାନ ମଣ୍ଡପକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଜେଡି ବିଧାୟକ ଓ ବରିଷ୍ଠ ନେତା ମନ୍ଦିରରେ ଦର୍ଶନ କରିଥିଲା ବେଳେ ବାହାରେ ବହୁ ଦଳୀୟ କର୍ମୀଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରୀବଳଦେବ ଜିଉ ମନ୍ଦିର ଓ ତା’ର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରେ ଝୁଲଣ ମଣ୍ଡପ ପୁନରୁଦ୍ଧାର, ଉତ୍ତର ପାର୍ଶ୍ୱ ପାଚେରୀ, କଲ୍ୟାଣ ମଣ୍ଡପ ଓ ତା ନିକଟରେ ଶୌଚାଳୟ ଆଦି ନିର୍ମାଣ କରାଯିବ।

ତେବେ ନବୀନଙ୍କ କେନ୍ଦ୍ରାପଡ଼ା ଗସ୍ତ ଓ ଦୁଇ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପଛରେ ରାଜନୀତିକ କାରଣ ରହିଥିବା ବିରୋଧୀ କହିଛନ୍ତି। କେବଳ ଅଳ୍ପ କିଛି ସପ୍ତାହ ପରେ ହେବାକୁ ଥିବା ପାଟକୁରା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ କେନ୍ଦ୍ରାପଡ଼ା ଯାଇଥିବା କୁହାଯାଇଛି। 

Related Posts

About The Author

Add Comment