ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗସ୍ତ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ,ସବଡିବିଜନ କଥା ଅବଗତ କଲେନି ବିଧାୟକ,ଟିକେଟ ନେଇ ବଢିଲା ଅଡୁଆ!

Spread the love

ସବଡିବିଜନ କଥା ଅବଗତ କଲେନି ବିଧାୟକ
ଅମରଙ୍କ ସହ କଥା ହେଲେନି ମୁଖ୍ୟମନ୍ତ୍ରୀ: ଟିକେଟ ନେଇ ବଢିଲା ଅଡୁଆ!
ପ୍ରଦୀପ ପ୍ରଜ୍ଜଳନ ହେଲା ନାହିଁ, ପୂର୍ବତନ ସାସଂଦଙ୍କୁ ମିଳିଲାନି ସିଟ୍,କାହା ସହିତ କଥା ହେଲେନି ମୁଖ୍ୟମନ୍ତ୍ରୀ,ଯୋଗଦେଲେନି ବବି ଓ ପ୍ରମିଳା,୧୯ବର୍ଷର ପ୍ରତିଶୃତିକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ,ସ୍ୱାଧିନତା ସଂଗ୍ରାମୀ ସହ ହାତମିଳାଇଲେ ମୁଖ୍ୟମନ୍ତ୍ରୀ
ଯାଜପୁର/ବଡଚଣା,୨/୩(ସନ୍ଧାନ ନିୟୁଜ): ୧୫୨ କୋଟି ୪୯ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ଜିଲା ବଡଚଣା ବ୍ଲକ ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡା ଖେଳ ପଡିଆରେ ଯୋଗଦେଇ ଉଦଘାଟନ କରିଛନ୍ତି । ସୂଚନା ମୁତାବକ ବଡଚଣା ବ୍ଲକର ୫ଗୋଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବଡଚଣା-ବାଲିଚନ୍ଦ୍ରପୁର ପୁର୍ତ୍ତବିଭାଗର ବଡଗେଙ୍ଗୁଟି ସେତୁ ଓ ରାସ୍ତାର ୨୦୭୯.୦୮ଲକ୍ଷ,ଧନଞ୍ଜୟ ବିଦ୍ୟାପୀଠ ବାଇଶିମୌଜା ଠାରେ ୬୫.୦୦ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ସୁକାଦେଇପୁର-ଡିହକରନ୍ଦା ରାସ୍ତାର ସାନଗେଙ୍ଗୁଟି ନଦୀରେ ବିଜୁ ସେତୁ ୫୯୮.୨୭,ଚଣ୍ଡିଖୋଲରେ ନିର୍ମିତ ଜିଲା ଅଡିଟ କାର୍ଯ୍ୟାଳୟ ୧୮୪.୬୫,ବଡଚଣା ବ୍ଲକ ନିକଟରେ ୮ଲକ୍ଷ ଟଙ୍କା ବ୍ୟୟରେ ସ୍ୱାଧିନତା ସଂଗ୍ରାମୀ ସ୍ମୃତିସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ବନ୍ଦାଳୋ ଏଣ୍ଡରପଦା ରାସ୍ତା ଉନ୍ନତିକରଣ,ଲଳିତଗିରି-ଉଦୟଗିରି ଓ ରତ୍ନଗିରି ରାସ୍ତାର ଉନ୍ନତି କରଣ,ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ,ବାଲିଚନ୍ଦ୍ରପୁର ଗ୍ରୀଡ ସବଷ୍ଟେସନ,ଭୁବନପୁର-ଜଗନ୍ନାଥପୁର ରାସ୍ତା ଓ ସାନଗେଙ୍ଗୁଟି ନଦୀ ଓ ହାଇଲେଭୁଲ ସେତୁ ସହିତ ଆଦି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଚଣ୍ଡିଖୋଲ କଲେଜ ପରିସରରେ ଉକôଳ ବିଶ୍ୱବିଦ୍ୟାଳୟର ୨ୟ ଗ୍ରାମୀଣ କ୍ୟାମ୍ପସର ଉଦଘାଟନ କରିଥିଲେ । ନିର୍ଦ୍ଧାରୀତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ପହଞ୍ଚିବା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା,ସାଂସଦ ରୀତା ତରେଇ,ମୁଖ୍ୟ ସଚେତକ ତଥା ବିଧାୟକ ଅମର ଶତପଥ.ବରୀ ବିଧାୟକ ଦେବାଶିଷ ନାୟକ,କୋରାଇ ବିଧାୟକ ଆକାଶ ଦାସ ନାୟକ,ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ଜିଲାପରିଷଦ ଅଧ୍ୟକ୍ଷ ନରେଶଚନ୍ଦ୍ର ମହାନ୍ତି,ଜିଲାପାଳ ରଂଜନ କୁମାର ଦାସ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ପରେ ବିଧାୟକ ଶ୍ରୀ ଶତପଥ ବଡଚଣା ମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିବା ବେଳେ କାଳିଆ ଯୋଜନାରେ ଆପଣ ମାନେ ଖୁସି ତ,ମୁଁ ବି ଖୁସି କହି ସଭା ସ୍ଥଳରେ ମୁରୁକି ହସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମୁରକି ହସ ଦେଖି ସଭାସ୍ଥଳ ହୁଳହୁଳି ଓ ନବୀନ ପଟ୍ଟନାୟକ ଜୟଜୟ କାର ଧ୍ୱନୀରେ ପ୍ରକମ୍ପିତ ହୋଇପଡିଥିଲା । ସଭା ଆରମ୍ଭରୁ ଜିଲାର ଯୋଗଦେଇଥିବା ବିଧାୟକ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।ପରମ୍ପରିକ ନୀତି ଅନୁସାରେ ସଭା ମଞ୍ଚକୁ ଉଦଘାଟନ ପାଇଁ ଦୀପ ଥୁଆ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିବା ବେଳକୁ ଦୀପ ଷ୍ଟାଣ୍ଡ ଉଭାନ ହୋଇଯାଇଥିଲା । ଫଳରେ ପ୍ରଦୀପ ପ୍ରଜ୍ଜଳନ ନହୋଇ ସଭା ଆରମ୍ଭ ହୋଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କୁ ସିଟ ମିଳିନଥିଲା ।

ସେ ମଞ୍ଚ ନିକଟକୁ ଆସି କିଛି ସମୟ ଛିଡା ହେବା ପରେ ସିଟ ନମିଳିବାରୁ ଶ୍ରୀ ଜେନା ବାଧ୍ୟ ହୋଇ ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ଚେୟାରେ ବସିଥିଲେ । ନିଜ ପ୍ରତିକ୍ରୀୟାରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳିନଥିଲା ।ସଭାସ୍ଥଳରେ ଜିଲା ସମସ୍ତ ବିଧାୟକ ଓ ସାଂସଦଙ୍କ ଠାରୁ ଆରମ୍ଭ କରି ଜିଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହା ସହିତ କଥା ନହେବା ନେଇ ସଭା ସ୍ଥଳରେ ଅନେକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।ମୁଖ୍ୟମନ୍ତ୍ରୀ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟରେ ୨ୟ କ୍ଷମତା କେନ୍ଦ୍ରର ଅର୍ଜନ କରିଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ ଯୋଗନଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।୨ହଜାର ମସିହାରେ ଜନକଲ୍ୟାଣ ସ୍କୁଲ ପଡିଆ ଠାରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଏହାର ୧୯ବର୍ଷ ବ୍ୟବଧାନରେ କାର୍ଯ୍ୟକାରୀ ନକରିବା ନେଇ ବଡଚଣା ବାସୀଙ୍କ ମନରେ ନୈରାଶ୍ୟ ଭାବନା ଦେଖାଯାଇଥିଲା । ୧୯ ବର୍ଷ ପରେ ଚଣ୍ଡିଖୋଲ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ସବଡିଭିଜନ କଥା ଭୁଲିବା ନେଇ ବିରୋଧଙ୍କୁ ଖୋରାକ ମିଳିଥିଲା ।ବଡଚଣାର ସ୍ୱାଧିନତା ସଂଗ୍ରାମୀ ନିଳମଣୀ ସାମଲଙ୍କୁ ସଭାସ୍ଥଳରେ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ହାତ ମିଳାଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଅମରଙ୍କ କଥା ନହେବା ନେଇ ଟିକେଟ ମିଳିବାର ଆଶା ଅମରଙ୍କ ମୁହରୁ ସ୍ପଷ୍ଟ ବାରି ହୋଇପଡୁଥିଲା ।

Related Posts

About The Author

Add Comment