ରାଉରକେଲା, ୨୯/୦୫ (ସନ୍ଧାନ ନିଉଜ): ଏକ ରେଳବାଇ ଚୋରୀ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଧରି ଆଣି ମାଡ଼ ଗାଳି ଦେବା ପରେ ପର ମୁହୂର୍ତ୍ତରେ ୨୫ହଜାର ଟଙ୍କା ଲାଞ୍ଚ ନେଇ ଛାଡି ଦେବା ଘଟଣାରେ ରାଜଗାଙ୍ଗପୁର ରେଳବାଇ ସୁରକ୍ଷା ବଳର ସବ ଇନ୍ସପେକ୍ଟର ରାଉତଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ । ରାଉରକେଲା ରେଳବାଇ ପୋଲିସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରେ ଏତଲା ଦେବା ଏକ ମାମଲା ଦର୍ଜ କରାଯାଇଛି । ଘଟଣାର ଗୁରୁତ୍ୱ କୁ ଉପଲବ୍ଧି କରି ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ରେଳବାଇ ଏସପି ।
ସୂଚନା ଅନୁସାରେ ଏକ ମାସରୁ ଉର୍ଦ୍ଧ ହେବ ସାଗରା ରେଳ ଷ୍ଟେସନ ନିକଟରେ ଥିବା ଟାୱାରର ବ୍ୟାଟେରୀ ଏବଂ ଲୁହା ଚୋରି ହୋଇଯାଇଥିଲା । ଏହି ମାମଲାରେ ସାଗରା ରେଳ ବିଭାଗରେ ବୁକିଙ୍ଗ ଏଜେଣ୍ଟ ଭାବରେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଫଟା ଟାଙ୍ଗର ଗାଁର ଅଜିତ ମହାନନ୍ଦିଆ(୪୦)ଙ୍କୁ ସନ୍ଧେହରେ ଉଠାଇ ନେଇଥିଲେ । ଗତ ୧୩-୦୪-୨୦ ବୁଧୁବାର ଦିନ ରାଜଗାଙ୍ଗପୁର ରେଳବାଇ ସୁରକ୍ଷା ଅଧିକାରୀ ଗୋପୀନାଥ ରାଉତ ଏବଂ ତିନି ଜଣ କନେଷ୍ଟବଳ ଏହି ଚୋରୀ କେଶ ରେ ସମ୍ପୃକ୍ତି ସନ୍ଦେହରେ ଆଜିତଙ୍କୁ ତାଙ୍କ ବାସଘରୁ ଉଠାଇ ରାଜଗାଙ୍ଗପୁର ଆଣିଥିଲେ । ସେଠାରେ ଶ୍ରୀ ରାଉତ ଅଜିତ କୁ ଚୋରି ଘଟଣା ସମ୍ପର୍କରେ ପଚାରି ଥିଲେ । ଅଜିତ ଚୋରି ବିଷୟରେ କିଛି ଜାଣିନାହିଁ ବୋଲି କହିବାରୁ ତାକୁ ଶ୍ରୀ ରାଉତ ଏବଂ ତାଙ୍କ ସହଯୋଗୀ ପରିଡା ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଖାଇବା ପରେ ମଧ୍ୟ ଅଜିତ ଚୋରି କରିଥିବା କଥା କୁ ମାନି ନ ଥିଲା । ୧୪ ତାରିଖରେ ଅଜିତ ର ସ୍ତ୍ରୀ ଙ୍କୁ ଖବର ପଠାଗଲା ଯେ ତୁମ ସ୍ୱାମୀଙ୍କୁ ଚୋରି କେଶ ରେ ଗିରଫ କରାଯାଇଛି ଆଉ ତାକୁ ବଞ୍ଚାଇବାକୁ ଚାହୁଁଛ ତେବେ ୫୦’୦୦୦ଟଙ୍କା ଯୋଗାଡ଼ କର । ଆଜିତଙ୍କ ସ୍ତ୍ରୀ ବିଧାତା ମହାନନ୍ଦିଆ ଏତେ ଟଙ୍କା କେଉଁଠୁ ଆଣିବି ବୋଲି କହିବାରୁ ମୁଳଚାଲ ପରେ ୨୫ ହଜାର ରେ ମାମଲା ତୁଟି ଥିଲା । ବିଧାତା ଧାର କରଜ କରି ୧୫ହଜାର ଟଙ୍କା ତାଙ୍କ ରାଜଗାଙ୍ଗପୁର ସ୍ଥିତ ସମ୍ପର୍କୀୟଙ୍କ ଠାରୁ ୧୦ହଜାର ଧାର କରି ଶେଷରେ ୨୫ ହଜାର ଟଙ୍କା ଶ୍ରୀ ଗୋପୀନାଥ ରାଉତଙ୍କୁ ପ୍ରଦାନ କରିଥିଲେ । ଟଙ୍କା ପାଇଲା ପରେ ଏକ କାଗଜରେ ସ୍ବାକ୍ଷର ନେଇ ଅଧିକାରୀ ଅଜିତକୁ ଛାଡି ଦେଇଥିଲେ ।
ଲକ ଡାଉନ ଏବଂ ମାନସିକ ଦୁଶ୍ଚିନ୍ତାରେ ଅଜିତଙ୍କ ପରିବାର ଦୀର୍ଘ ଦିନ ପରେ ଶେଷରେ ଗତ ୨୩-୦୫-୨୦ ତାରିଖରେ ରେଳବାଇ ଏସପିଙ୍କୁ ଭେଟି ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ରାଜଗାଙ୍ଗପୁର ଆରପିଏଫ ଅଧିକାରୀ ଶ୍ରୀ ରାଉତଙ୍କ ବିରୁଦ୍ଧରେ ଏକ ଏତଲା ରାଉରକେଲା ଜେଆରପି କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ଏତଲା କୁ ଆଧାର କରି ଶ୍ରୀ ରାଉତଙ୍କ ବିରୁଦ୍ଧରେ ଆଇପିସି ଆକ୍ଟ ୧୮୬୦ ଧାରା ୩୪୨, ୩୮୪, ୩୮୯ ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳବାଇ ଏସପି ଝାରସୁଗୁଡା ଡିଏସପି ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ଯେ ଚୋରି କେଶ ରେ ଷ୍ଟେସନ ଡାଏରି ହୋଇଥିଲା କି ? ଚୋରି ମାମଲାରେ ଜେଆରପିର ସାହାଯ୍ୟ ନ ନେଇ କେଉଁ ସ୍ୱାର୍ଥ ପାଇଁ ଆରପିଏଫ ଅଧିକାରୀ ନିଜ ସୀମା ଲଙ୍ଘି ଏହାକୁ ତଦନ୍ତ କରିଥିଲେ । ଯଦି ଅଜିତ ଚୋରି ମାମଲାରେ ଅଭିଯୁକ୍ତ ଥିଲା ତେବେ ତାକୁ ଗିରଫ କରି ହଜାତ କୁ ପଠାଇ ନଥିଲେ କାହିଁକି ? ଅଜିତ ଠାରୁ ୨୫ ହଜାର ଟଙ୍କା କାହା କାହା ଭିତରେ ଭାଗ କରାଯାଇଛି । ଏହା ପ୍ରଥମ ନା ଏହା ଆଗରୁ ଏଭଳି ଅନେକ ଲୋକ ଅଧିକାରୀଙ୍କ ଚକ୍ରାନ୍ତର ଶିକାର ହୋଇଛନ୍ତି ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ଶ୍ରୀ ରାଉତଙ୍କ ବିରୁଦ୍ଧରେ ତଦନ୍ତ ଚାଲିଥିବା ବେଳେ ସେ ଛୁଟିରେ ଯାଇଛନ୍ତି । ତଦନ୍ତର ସମୟକୁ ଜାଣିଶୁଣି ବିଳମ୍ବ କରାଯାଉନି ତ ? ଖବର ରହିଛି ମାମଲାରେ ରାଉତ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜମାନତ ପାଇଁ ଚେଷ୍ଟା ଚଳାଇଛନ୍ତି ।
ରେଳବାଇ ସମ୍ପତ୍ତି ହରିଲୁଟ କରି ଲୁହା ମାଫିଆ, କଣ୍ଟା ବ୍ୟବସାୟୀ ମାଲେମାଲ ହେଉଥିବା ବେଳେ ଅଧିକାରୀ ଅସଲି ଚୋରକୁ ଛାଡି ନିରୀହ ଜନତାଙ୍କୁ ଫଶାଇବା ସହ ମୋଟା ଅଙ୍କର ଟଙ୍କା ନେଇ ହଇରାଣ କରୁଛନ୍ତି । ସାଗରା ଷ୍ଟେସନରେ ଅଜିତ ମହାନନ୍ଦିଆ ୨୦୧୭ମସିହାରୁ ଟିକେଟ ବୁକିଙ୍ଗ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ଏଠିକାର ଷ୍ଟେସନ ମାଷ୍ଟର ଅନେକ ସମୟରେ ଟିକେଟ ବୁକିଙ୍ଗ କାର୍ଯ୍ୟ ପାଇଁ ଅଜିତ ଠାରୁ କମିଶନ ମାଗୁଥିଲେ ଅଜିତ ତାଙ୍କୁ କମିଶନ ଦେବାକୁ ମନା କରିଦେବା ରୁ ପୁରୁଣା ରାଗ ଶୁଝାଇବାକୁ ଯାଇ ଏହି ମାମଲାରେ ଅଯଥାରେ ହଇରାଣ କରିବାକୁ ଷ୍ଟେସନ ମାଷ୍ଟର ଅଜିତର ନାଁ ଚୋରି ମାମଲାରେ ଜାଣିଶୁଣି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ଏହି ମାମଲାର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହ ତାଙ୍କ ଦେଇଥିବା ଟଙ୍କା ଫେରାଯାଉ ବୋଲି ଅଜିତର ପରିବାର ଲୋକେ ଦାବୀ ଜଣାଇଛନ୍ତି ।
ମିଛ ଚୋର କେଶ କରି ୨୫ହଜାର ଲାଞ୍ଚ ନେଲେ ରେଳବାଇ ସୁରକ୍ଷା ବଳର ସବ ଇନ୍ସପେକ୍ଟର
|
May 29, 2020 |