ଭଦ୍ରକ,୨୫/୧୦ (ସନ୍ଧାନ ନିୟୁଜ) ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଦ୍ରକାଳୀ ପୀଠରେ ମା’ଙ୍କୁ ପବିତ୍ର କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପୀ ସପ୍ତମାତୃକା ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପ୍ରତି ବର୍ଷ କାଳୀପୂଜା ଅବସରରେ ମା’ଙ୍କର ସପ୍ତମାତୃକା ବେଶ ସହିତ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ବହୁ ଶ୍ରଦ୍ଧାଳୁଙ୍କ ଦାନରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମା’ଙ୍କର ବେଶ, ପୂଜା ରୀତିନୀତି ଓ ମହାଯଜ୍ଞ ନିମନ୍ତେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ତତ୍ତ୍ୱାବଧାନରେ ସେବାୟତ, ପୂଜକ ଏବଂ ଜିଲ୍ଳା ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଭାରତ ବର୍ଷର ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ମା’ ଭଦ୍ରକାଳୀ ପୀଠର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କାଳୀପୂଜା ସମୟରେ ମା’ଙ୍କର ସପ୍ତମାତୃକା ବେଶକୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥାଏ । ପୁରାଣ ଶାସ୍ତ୍ର, ଭଗବତ ଗୀତା, କାଳିକା ଚଣ୍ଡୀ ଅନୁସାରେ ମା’ଙ୍କୁ ସପ୍ତ ଦିବସ ବ୍ୟାପୀ ବିଭିନ୍ନ ରୀତି ନୀତି ତଥା ମନ୍ତ୍ର ତନ୍ତ୍ରରେ ପୂଜା ପାଠ କରାଯାଏ । ଆଗାମୀ ୨୭ ତାରିଖ ଠାରୁ ମା’ଙ୍କୁ ବେଦମାତା ବେଶରେ ପୂଜା କରାଯିବା ସହ ମାନସିକଧାରୀ ଭକ୍ତମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରାରେ ସାଳନ୍ଦୀ ନଦୀରୁ ଜଳ ଲାଗି କରାଯାଇ ଘଟ ସ୍ଥାପନ ହୋଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହେବ । ଦ୍ୱିତୀୟ ଦିନରେ ମାଆଙ୍କର ମହାକାଳୀ ବେଶ, ତୃତୀୟ ଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମ ଦିନ ଜଗଦ୍ଧାତ୍ରୀ, ଷଷ୍ଠ ଦିବସରେ ମହାସରସ୍ୱତୀ ବେଶରେ ପୂଜା କରାଯିବା ସହିତ ନଭେମ୍ବର ୨ ତାରିଖରେ ମା’ଙ୍କର ମହାଲକ୍ଷ୍ମୀ ବେଶରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ସପ୍ତ ଦିବସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ କରାଯାଇ ମୁଖ୍ୟତଃ ମନ୍ଦିର ବେଢାର ପରିଷ୍କାର ପରିଚ୍ଛନ୍ନତା, ରାସ୍ତା ମରାମତି, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଓ ଶାନ୍ତି ଶଙ୍ଖଳା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେବାୟତମାନଙ୍କ ତରଫରୁ ଭାଗିରଥୀ ଦିକ୍ଷିତ, ଅନୁଗ୍ରହ ଦିକ୍ଷିତ, ଜୀବନ ଦିକ୍ଷିତ, କୃଷ୍ଣ ପ୍ରସାଦ ଦିକ୍ଷିତ, ନିରଞ୍ଜନ ଦିକ୍ଷିତ, ସୁବ୍ରତ ଦିକ୍ଷିତ, ମଦନ ଦିକ୍ଷିତ, ପଞ୍ଚାନନ ଦିକ୍ଷିତ, ରସାନନ୍ଦ ଦିକ୍ଷିତ, ମନ୍ଦରଧର ଦିକ୍ଷିତ,ନିକୁଞ୍ଜ ଦିକ୍ଷିତ, ପ୍ରଦିପ୍ତ ପଣ୍ଡା, ହରେକୃଷ୍ଣ ଦିକ୍ଷିତ, ମଧୁସୂଦନ ଦିକ୍ଷିତ, ବିଜୟ ଦିକ୍ଷିତ, ଶରତ ପଣ୍ଡା, ନିତ୍ୟାନନ୍ଦ ଦିକ୍ଷିତ, ପ୍ରଶାନ୍ତ ଦିକ୍ଷିତ, ଟ୍ରଷ୍ଟି ଶେଖର ମହାପାତ୍ର, ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ମଧ୍ୟରେ ମା’ଙ୍କର ବେଶ, ପୂଜାର ନୀତିକାନ୍ତି, ଯଜ୍ଞ ମଣ୍ଡପର ମରାମତି, ତୋରଣ ମରାମତି, ପ୍ରସାଦ ବଣ୍ଟନ ତଥା ଅନ୍ୟାନ୍ୟ ବିିଭାଗ ଗୁଡିକର କାର୍ଯ୍ୟଭାର ବିଭିନ୍ନ ସେବାୟତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।
Report Ramesh Nayak



