ଜେନାପୁର,୧୬/୦୬ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ପାଞ୍ଚାୟତ ଅଧୀନ ମାଳହାଟ ନଦୀବନ୍ଧ ଓ ହାଟ ଭିତରେ ବସୁଥିବା ଆମିଷ ଦୋକାନିଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ । ଏହି ଆମିଷ ଦୋକାନ ଗୁଡିକ ସପ୍ତାହରେ ୩ଦିନ ବସିଥାଏ । ଏଠାରେ ବିକ୍ରି କରୁଥିବା ମାଛ ଓ ମାଂସ ଦୋକାନୀ ଆନ୍ଧ୍ର ମାଛ, ପୋଖରୀ ମାଛ, ଚାଷ କରାଯାଉଥିବା ମାଛକୁ ଆଣି ରାତିରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ ଭିତରେ ଜାଲରେ ପୁରାଇ ରଖିଥାନ୍ତି। ସକାଳୁ ଏହି ମାଛରେ ନଦୀ ବାଲି ଲଗାଇ ସାଧାରଣ ଲୋକଙ୍କୁ ନଦୀମାଛ କହି ମନଇଚ୍ଛା ଉଚ୍ଚା ଦରରେ ବିକ୍ରି କରିଥାନ୍ତି । ଏହାସହ ଏହି ବେପାରୀ ମାନେ ମାଛ ମାଂସ ରେ ଓଜନରେ ମଧ୍ୟ ଏକ କିଗ୍ରା ପିଛା ଦେଢ଼ ଶହ ରୁ ଦୁଇ ଶହ ଗ୍ରାମ ପର୍ଯ୍ୟନ୍ତ ଠକିଥାନ୍ତି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏହାସହ ଏଠାରେ ବ୍ୟବସାୟୀ ମାନେ କୋଭିଡ ନିୟମକୁ ଖୁଲାମଖୁଲା ଉଲଂଘନ କରି ବିନା ମାସ୍କ ଏବଂ ବିନା ସାମାଜିକ ଦୁରତାରେ ନିଧଡକରେ ବ୍ୟବସାୟ କରୁଛନ୍ତି । ଏଠାରେ ମାଛ ବ୍ୟବସାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାକୁ ମାଛ କିଣିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମିଥାଏ । ଏହି ମାଛ ମାର୍କେଟ ନଦୀ ବନ୍ଧ ଉପରେ ବେନିୟମ ଭାବେ ବସୁଥିବାରୁ ଏହି ବ୍ୟସ୍ତ ବହୁଳ ରାସ୍ତାରେ ଲୋକେ ଯିବାଆସିବାରେ ମଧ୍ୟ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ଉକ୍ତ ବ୍ୟବସାୟୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ମାଳ ହାଟ ମାଛ ମାଂସ ବଜାରରେ ଅନିୟମିତତା; ଓଜନର ଠକେଇ ଅଭିଯୋଗ
|
June 16, 2020 |



