ରାଉରକେଲା, ୦୪/୦୧/୨୧ (ସନ୍ଧାନ ନିଉଜ) : ନୂଆବର୍ଷ ଆସି ସାରିଲଣି, ହେଲେ ଏଯାଏ ବହୁ ମାସରୁ ପୁରୁଣା ବର୍ଷରେ ସୃଷ୍ଟି ହୋଇଥିବା ନିତି ଦିନିଆ କୃତିମ ଟ୍ରାଫିକ ସମସ୍ୟାରେ ଦହଗଂଜ ହେଉଛନ୍ତି ରାଉରକେଲା ପୂର୍ଣ୍ଣାନନ୍ଦ ମାର୍କେଟର ଉଭୟ ବେପାରୀ ଓ ଗ୍ରାହକ । ସଂଧ୍ୟା ସମୟରେ ରାସ୍ତାରେ ଟ୍ରାଫିକ ସମସ୍ୟା ଜଟିଳରୁ ଜଟିଳତର ରୂପ ଧାରଣ କରିବାରେ ଲାଗିଛି । ଏଯାଏ କୌଣସି ସ୍ଥାୟୀ ସମାଧାନର ବାଟ ବାହାରି ପାରିନଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲାର ଅନ୍ୟତମ ପ୍ରମୁଖ ବଜାର ହେଉଛି ସାରନଗରୀ ସ୍ଥିତ ପୂର୍ଣ୍ଣାନନ୍ଦ ମାର୍କେଟ । ଏହି ମାର୍କେଟ ଉପରେ ଫର୍ଟିଲାଇଜର ଟାଉନସିପ ସମେତ ଆଖପାଖ କଲୋନୀର ବାସିନ୍ଦା ମାନେ ନିତ୍ୟ ବ୍ୟବହାଯ୍ୟ ଜିନିଷ ପାଇଁ ଏହି ମାର୍କେଟ ଉପରେ ନିର୍ଭର କରିଥାନ୍ତି । ସକାଳ ବେଳା ସାରନଗରୀ ସୁପର ମାର୍କେଟରେ ପରିବା ବଜାର ଓ ଆମିଷ ବଜାର ବସୁଥିବା ବେଳେ, ପ୍ରତିଦିନ ସଂଧ୍ୟାରେ ପୂର୍ଣ୍ଣାନନ୍ଦ ମାର୍କେଟରେ ପରିବା ବଜାର ବସିଥାଏ । ପରିବା କ୍ରୟ କରିବାକୁ ଲୋକ ମାନେ ଆସିବା ସମୟରେ ସେମାନଙ୍କ ଦୁଇ ଚକିଆ ଅବା ଚାରିଚକିଆ ଯାନ ବାହାନକୁ ନିକଟରେ ଥିବା ପାଣିଟାଙ୍କି ପଡ଼ିଆ ଅବା ରାସ୍ତା କଡ଼ରେ ମନଇଚ୍ଛା ଭାବେ ପାର୍କିଙ୍ଗ କରିଥାନ୍ତି, ଯାହା ଦ୍ୱାରା ଅଯଥାରେ ଭିଡ଼ ସୃଷ୍ଟି ହୋଇ ଟ୍ରାଫିକ ସମସ୍ୟା ଉତ୍ପନ ହେବା ପ୍ରତିଦିନ ସଂଧ୍ୟାରେ ଦେଖିôବାକୁ ମିଳେ । ଟ୍ରାଫିକ ସମସ୍ୟା ଏକ ପ୍ରକାର ନିତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି । ସଂଧ୍ୟା ସାଢେ ପାଂଚଟା ପରେ ଠିକା ଶ୍ରମିକ ମାନେ ଏହି ମାର୍କେଟ ରାସ୍ତା ଦେଇ ଘରକୁ ଫେରିଥାନ୍ତି । ଏହି ମାର୍କେଟର ନିକଟରେ ଥିବା ଗଡ଼ାଣିରେ କିଛି ପରିବା ବିକାଳି ଓ ଅନ୍ୟ ବ୍ୟବସାୟୀ ରାସ୍ତା କଡ଼ରେ ନିଜ ବ୍ୟବସାୟ କରୁଥିବା ବେଳେ ଏଠାରେ ଗ୍ରାହକ ମାନଙ୍କ ଗହଳି ଜମି ଟ୍ରାଫିକ ସମସ୍ୟା ଉତ୍ପନ ହୋଇଥାଏ । ସଂଧ୍ୟା ସମୟରେ ମାଛ ଓ ମାଂସ ବ୍ୟବସାୟୀ, ଜଳଖିଆ, ଚା ବ୍ୟବସାୟୀ ମାନେ ମଧ୍ୟ ବେପାର କରୁଥିବାରୁ ସମଗ୍ର ମାର୍କେଟ ଅଂଚଳରେ ଆଶାତୀତ ଭିଡ଼ ହୋଇଥାଏ । ଭିଡ଼କୁ ନିୟନ୍ତ୍ରିତ କରିବାକୁ ଏହି ଛକରେ ପୁଲିସ କର୍ମୀ ମୁତୟନ କରାଯାଇଥିଲେ ସୁଦ୍ଧା ଟ୍ରାଫିକ ସମସ୍ୟାରେ ଏଯାଏ କୌଣସି ସୁଧାର ହୋଇ ପାରିନଥିବା ଅଭିଯୋଗ ହୋଇଛି । ପୁରୁଣା ବର୍ଷରେ ଟ୍ରାଫିକ ସମସ୍ୟା ଯେପରି ଥିଲା, ନୂଆବର୍ଷରେ ମଧ୍ୟ ଠିକ ସେହିପରି ସ୍ଥିତିରେ ରହିଛି । ସେହିପରି ସଂଧ୍ୟା ସମୟରେ ଏହି ମାର୍କେଟ ପରିସରରେ ଥିବା ଶନି ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ସଂଧ୍ୟା ସମୟରେ ଆସିବା ସମୟରେ ଟ୍ରାଫିକ ସମସ୍ୟାର ଶୀକାର ହୋଇଥାନ୍ତି । ବିଶେଷ କରି ଶନିବାର ଓ ରବିବାର ସଂଧ୍ୟାରେ ଟ୍ରାଫିକ ସମସ୍ୟା ଜଟିଳତର ହୋଇପଡ଼ିବା ଦେଖିବାକୁ ମିଳେ । ବହୁ ଦିନରୁ ଲାଗି ଲାଗି ରହିଥିବା ଟ୍ରାଫିକ ସମସ୍ୟାରେ ସୁଧାର ପାଇଁ ସାଧାରଣରେ ଦାବି ହୋଇଛି ।
ମାର୍କେଟ ରାସ୍ତାରେ ନିୟମିତ ଭିଡ଼,ସୁଧୁରୁନି ଟ୍ରାଫିକ ସମସ୍ୟା!
|
January 4, 2021 |