ଢେଙ୍କାନାଳ, ୨୨/୨ (ସନ୍ଧାନ ନିଉଜ): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ବାରିହାପୁର ଢାବା ନିକଟରେ ଶୁକ୍ରବାର ସକାଳ ୭ଟାରେ ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ରଙ୍କ ସମେତ ୩ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାମର୍ଦ୍ଦା ଗ୍ରାମର ମହେଶ୍ୱର ନାଏକ, ବଡ଼ ପୁଅ ଶାନ୍ତନୁ , ସାନ ପୁଅ ବୁଲୁ(ଛାତ୍ର)।
ପ୍ରକାଶ ଯେ, ଶାନ୍ତନୁ ବାପା ମହେଶ୍ବରଙ୍କ ସହ ସାନଭାଇ ବୁଲୁକୁ ନେଇ ମାଟ୍ରିକ ପରୀକ୍ଷା ସେଣ୍ଟର କଙ୍କଡାସୋଡା ସ୍କୁଲକୁ ଯାଉଥିଲେ। ବାରିହାପୁର ଢାବା ନିକଟରେ ଏକ ବସ୍କୁ ଅତିକ୍ରମ କରିବା ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଶାନ୍ତନୁଙ୍କ ଡାହାଣ ଗୋଡ଼ ଛିଡି ପଡିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଛି। ଆହତମାନଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାରକରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶାନ୍ତନୁଙ୍କୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ଦୁଇ ଜଣଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ କିଛି ସମୟ ଧରି ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ପରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଛି