ଭୁବନେଶ୍ୱର, , ୨୦ /୨(ସନ୍ଧାନ ନିଉଜ) : ଦିନକ ପରେ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବା ବେଳେ ଆଜିଠାରୁ ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ଲୋୟର ପିଏମ୍ଜିଠାରେ ଧାରଣ ଦେଇଛି। ପରୀକ୍ଷାକୁ ଏଥର ବର୍ଜନ କରିନଥିଲେ ବି ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ ନିଯୁକ୍ତି ନେଇ ସରକାର ତିନି ମାସ ସମୟ ନେଇଥିଲେ ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ଏବେ ବଡ଼ ପ୍ରଶ୍ନ ହେଉଛି, ଏତେ ସଂଖ୍ୟାରେ ସ୍କୁଲ୍ ଶିକ୍ଷକ ଧାରଣାରେ ବସିବା ଫଳରେ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବ ନାହିଁ ତ?
ତେବେ ଏପରି ସମସ୍ୟାର ମୁକାବିଲା ଲାଗି ବୋର୍ଡ ପ୍ରସ୍ତୁତ ଥିବା ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି।
ସେପଟେ ମାଲକାନଗିରିର ଚିତ୍ରକୋଣ୍ଡାରେ ପରୀକ୍ଷା କେନ୍ଦ୍ରକୁ ନେଇ ଖୁସି ନାହାନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ। କାରଣ ଚିତ୍ରକୋଣ୍ଡାର ପରୀକ୍ଷାର୍ଥୀ ୩୦ କିଲୋମିଟର ଦୂର ବାଲିମେଳାକୁ ପରୀକ୍ଷା ଦେବା ଲାଗି ଯିବେ। ଏହି ରାସ୍ତାଟି ଘାଟି ରାସ୍ତା ହୋଇଥିବାରୁ ବିପଜ୍ଜନକ ଅବସ୍ଥାରେ ୨ ଘଣ୍ଟା ଧରି ଯାତ୍ରା କରିବା ଛାତ୍ରଛାତ୍ରୀଙ୍କ ମନରେ ଶଙ୍କା ଭରିଛି।
ନିୟମ ଅନୁଯାୟୀ ସ୍କୁଲଠାରୁ ୫ ରୁ ୧୦ କିଲୋମିଟର ଭିତରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେବା କଥା। ମାତ୍ର ନିକଟରେ କୌଣସି ଶିକ୍ଷାନୁଷ୍ଠାନ ନଥିବାରୁ ପରୀକ୍ଷାକେନ୍ଦ୍ର ଦୂରରେ ପଡ଼ଛି। ସେହିପରି ନବରଙ୍ଗପୁରରେ ମଧ୍ୟ ଦୂରରେ ପରୀକ୍ଷା କେନ୍ଦ୍ରକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସାଇଣ୍ଟିଫିକ୍ ସିଷ୍ଟମ ଦ୍ୱାରା ସେଣ୍ଟର ସ୍ଥିର ହୋଇଛି ବୋଲି ସେ କହିଛନ୍ତି।
ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ବି ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ନୋଡାଲ୍ ସେଣ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ସହ ପୁଲିସ୍ ମୁତୟନ କରାଯାଇଛି। ଚଳିତ ବର୍ଷ ପ୍ରାୟ ୪୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।