ମାଟିରେ ମିଶିଲା ରଂଗଶାଳା; ସ୍ମିତାରାଣୀ ମୃତ୍ୟୁ ପରେ ବିବାଦୀୟ ହୋଇପଡ଼ିଥିଲା

Spread the love

ଯାଜପୁର, ୦୭/୦୨ (ସନ୍ଧାନ ନିୟୁଜ)  ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ । ସ୍ମିତାରାଣୀ ମୃତ୍ୟୁ ଘଟଣାର ପ୍ରାୟ 4ମାସ ପରେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ରୂପେସ୍ ଭଦ୍ରଙ୍କ ଅତିଥିଶାଳା । ଯାହା ଥିଲା ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ମୁକସାକ୍ଷୀ। ଜିଲ୍ଲା ପ୍ରଶାସନ ସ୍ଥାନୀୟ ଧର୍ମଶାଳା ତହସିଲ ଏବଂ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଆରମ୍ଭ କରିଥିଲା ଭଙ୍ଗାରୁଜା କାମ । ବୋଲଡୋଜର ଓ ହାଇଡ୍ରା ସହାୟତାରେ ଭଙ୍ଗାଯାଇଥିଲା ଦୁଇ ମହଲା କୋଠା । ପ୍ରଥମେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଥିଲେ ହେଁ ଏହାକୁ ଭ୍ରୁକ୍ଷେପ ନକରି ପ୍ରଶାସନ ପକ୍ଷରୁ ନିଆଯାଇଥିଲା କଠୋର ପଦକ୍ଷେପ ।

ଆଜି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ । ମାତ୍ର କିଛି ଘଣ୍ଟା ମଧ୍ୟରେ ଧରାଶାୟୀ ହୋଇଗଲା ଅତିଥିଶାଳା । ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ସେହି ଗେଷ୍ଟହାଉସକୁ ପ୍ରଶାସନ ପ୍ରଥମେ ନିଜ ଅକ୍ତିଆରକୁ ନେଇଥିଲା । ପରେ ତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମେ ଅଭିଯୁକ୍ତ ରୂପେସଙ୍କ ପତ୍ନୀ ତଥା ହରିଦାସପୁର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଭଦ୍ର ତାଙ୍କ ସମର୍ଥକଙ୍କ ସହ ମିଶି ଏହାକୁ ତୀବ୍ର ବିରୋଧ କରିଥିଲେ । ସରପଞ୍ଚ ଉପସ୍ଥିତ ଅଧିକାରୀମାନଙ୍କୁ ଏକ କୋର୍ଟ ଷ୍ଟେ ଅର୍ଡର ମଧ୍ୟ ଦେଖାଇଥିଲେ । ତେବେ ତାକୁ ଅଣଦେଖା କରି ପ୍ରଶାସନ ଭଙ୍ଗାରୁଜା କାମରେ ଲାଗିପଡିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରୁ ଲୋକଙ୍କୁ ଘଉଡାଇବା ସହ ଆଇନତଃ ଏହା ଭଙ୍ଗାଯିବ ବୋଲି ସେମାନଙ୍କୁ ଦର୍ଶାଇଥିଲେ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ନିୟୋଜିତ ଥିଲେ । ତେବେ କଳ ବଳ କୌଶଳ ପ୍ରୟୋଗ କରି ପ୍ରଶାସନ ଏହାକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲା । ଗେଷ୍ଟହାଉସକୁ କେତେକ ରଙ୍ଗଶାଳାର ଆଖ୍ୟା ଦେଇଥିବା ବେଳେ ସରପଞ୍ଚ ଶ୍ରୀମତୀ ଭଦ୍ର ଏହାର ନିନ୍ଦା କରିଥିଲେ ଏବଂ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଥିଲେ ।

ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଏହି ଭଙ୍ଗାରୁଜା ଅଭିଯାନ । ଚାରିଆଡେ ଛାଇଯାଇଥିଲେ ପୋଲିସ । ଭାଙ୍ଗିବା ପାଇଁ ଆଗରୁ ପ୍ରସ୍ତୁତ ହୋଇଥିଲା ଯୋଜନା । କୌଣସି ପ୍ରକାର ବିରୋଧ ଓ ଅପ୍ରିତିକର ପରିସ୍ଥିତର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲା ପୋଲିସ୍ ପ୍ରଶାସନ । ବିରୋଧିଙ୍କ ମୁହଁ ବନ୍ଦ କରିବା ପରେ ପ୍ରଥମେ ପ୍ରଶାସନ ଦ୍ବାରା ଘରର ଆସବାସ ପତ୍ର ବାହାରକୁ କାଢ଼ିନିଆଯାଇଥିଲା । ଏବଂ ଏସବୁକୁ ରୂପେସଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହି ଅପରେସନରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଏସପି ରାଜକିଶୋର ଦୋରା ଓ ଭବାନୀ ପ୍ରସାଦ ପଟ୍ଟନାୟକ, ଏସଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବଡଚଣା, କୁଆଖିଆ ଏବଂ ଜେନାପୁର ଥାନା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମୋଟମୋଟି ଭାବେ ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଥିଲା ଭଙ୍ଗାରୁଜା ଓ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ।

ରୂପେସ୍ ଭଦ୍ରଙ୍କ ଦ୍ବାରା ବେଆଇନ ଭାବେ ନିର୍ମାଣ ହୋଇଥିବା ଗେଷ୍ଟହାଉସ ଭାଙ୍ଗିବା ପାଇଁ ଘଟଣା ଦିନରୁ ହିଁ ଦାବୀ ହୋଇଆସୁଥିଲା । ଲମ୍ବା ଦିନର ପ୍ରତୀକ୍ଷା ପରେ ଆଜି ଏହାର ଯବନିକା ପଡିଛି । ଆସନ୍ତା 14ରେ ବଜେଟ ଅଧିବେଶନ ଥିବା ବେଳେ ସେତେବେଳେ କୌଣସି ପ୍ରଶ୍ନବାଣର ଶରବ୍ୟ ନହେବାକୁ ଏଥିପୂର୍ବରୁ କାମ ସାରିଦେଇଛି ପ୍ରଶାସନ । ଯାହା ଚାରିଆଡେ ଚର୍ଚ୍ଚାର ବିଷୟ ।

 

Related Posts

About The Author

Add Comment