ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ୪୬ ତମ ପ୍ରତିଷ୍ଠା ଉତ୍ସବ// ସୁସ୍ଥ ସମାଜ ପାଇଁ ଭଲ ମଣିଷ ଆବଶ୍ୟକ

Spread the love

ଯାଜପୁର ,୧୬/୦୮ (ସନ୍ଧାନ ନ୍ୟୁଜ):  ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ବିନା ମଣିଷ ବଂଚି ପାରିବ ନାହିଁ । ନୀତି ନୈତିକତାପୂର୍ଣ୍ଣ ସମାଜ ହିଁ ସୁସ୍ଥ ସମାଜର ପରିଚୟ । ଏଭଳି ଏକ ସୁସ୍ଥ ସମାଜ ଗଠନ ପାଇଁ ଭଲ ମଣିଷ ଆବଶ୍ୟକ ବୋଲି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆର ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବରେ ମତ ପ୍ରକାଶ ପାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭଲ ମଣିଷ ଗଢିବା ସମାଜ ପାଇଁ ଏକ ଶ୍ରେଷ୍ଠ ଆହ୍ୱାନ । ଏହାର ସଫଳ ରୂପାୟନ କ୍ଷେତ୍ରରେ ଶିକ୍ଷକ ତଥା ଅଧ୍ୟାପକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଣେ ଧନୀ ବ୍ୟକ୍ତି ଜଣେ ଭଲ ମଣିଷ ହୋଇ ନପାରେ । ଜଣେ ଧନୀ ଲୋକ ସମାଜରେ ନିଜର ପ୍ରତିଷ୍ଠା ଓ ପ୍ରତିଭାକୁ ଜାହିର କରି ନପାରେ । ହେଲେ ଜଣେ ଭଲ ମଣିଷ ସମାଜରେ ନିଜର ପ୍ରତିଷ୍ଠା ବଳରେ ପ୍ରତିଷ୍ଠିତ ହୋଇ ନିଜର ସ୍ଥିତି ସଦୃଢ କରିଥାଏ । ଧନ ଥିବା ବ୍ୟକ୍ତି ବଡ ହୋଇ ନପାରେ ହେଲେ ମଣିଷ ପଣିଆ ଥିବା ବ୍ୟକ୍ତି ସମାଜରେ ବଡ ହୋଇଥାଏ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଉତ୍ସବର ଉଦଘାଟନ କରି କହିଥିଲେ ଯେ, ଶିକ୍ଷାନୁଷ୍ଠାନ ହେଉଛି ଏକ ବିଦ୍ୟାର ମନ୍ଦିର । ଏହି ମନ୍ଦିରରେ ଦେଶର ଆଗାମୀ ଭବିଷ୍ୟତ ମାନଙ୍କୁ ଗଢା ଯାଇଥାଏ । ନୈତିକତାପୂର୍ଣ୍ଣ ମଣିଷ ସମାଜ ପାଇଁ ସବୁଠାରୁ ବଡ ସମ୍ପଦ ଓ ସାମର୍ଥ୍ୟ । ବସ୍ତୁବାଦୀ ମଣିଷ ଅପେକ୍ଷା ଭାବପ୍ରବଣ ମଣିଷ ସମାଜ ଓ ବ୍ୟକ୍ତି ଜୀବନ ଧାରାକୁ ଅଧିକ ଗ୍ରହଣୀୟ କରିଥାଏ । ଏଥିରେ ସମାଲୋଚକ, ନାଟ୍ୟକାର, ପ୍ରାବନ୍ଧିକ ପ୍ରଫେସର ନୀଳାଦ୍ରୀ ଭୂଷଣ ହରିଚନ୍ଦନ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଆବେଗ ହେଉଛି ମଣିଷର ମଣିଷ ପଣିଆ । ଆବେଗ ବିହୀନ ମଣିଷ ବସ୍ତୁ ସହ ସମାନ । ସର୍ବଧର୍ମ ସମନ୍ୱୟର ମହାନ ବାର୍ତ୍ତାବହ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ମଣିଷ ଜାତି ପାଇଁ ଅମୂଲ୍ୟ ସମ୍ପଦ । ଏହାକୁ ପ୍ରତ୍ୟେକ ମଣିଷ ଅନୁକରଣ କରୁ । କଲେଜ ପରିଚାଳନା କମିଡି ସଭାପତି ପ୍ରଫେସର କେଦାରନାଥ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଷ୍ଠା ହିଁ ଜୀବନର ମାପକାଠି ବୋଲି କହିଥିଲେ । ଉତ୍ସବରେ ସଭାପତିତ୍ୱ କରି କଲେଜ ଅଧ୍ୟକ୍ଷ ପ୍ରଫେସର ବଳରାମ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ଡ଼ ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ମନୋଜ ମିଶ୍ର ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପିକା ସରୋଜିନୀ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପକ ସର୍ବଶ୍ରୀ ଭରତ ଭୂଷଣ ସାହୁ , ତୁଷାରକାନ୍ତି , କଳ୍ପତରୁ ନାୟକ, ଭୋଳାନାଥ ନାୟକ, ବିଜୟ ରାଉତ, ପୁଷ୍ପଲତା ସାମଲ, ମିନତୀ ମିଶ୍ର, ସୁନୀତା ସ୍ୱାଇଁ, ସୁମିତ୍ରା ନନ୍ଦ, ମୋନାଲିସା ମହାନ୍ତି, ନୁପୁର ପ୍ରୀୟଦର୍ଶିନୀ, ସିପ୍ରାସ୍ନିଗ୍ଧା ନାୟକ, ସ୍ୱର୍ଣ୍ଣମୁଦ୍ରା ମିଶ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପକ ଚକ୍ରଧର ନାୟକଙ୍କ ତତ୍ତ୍ୱାବଧାନରେ ଯୁବ ରେଡକ୍ରସ କଟକ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ କଲେଜ ପ୍ରତିଷ୍ଠାତା ମଣିମା ରାମଚନ୍ଦ୍ର ଦାସଙ୍କ ପୁତ୍ର ମଣିମା ପ୍ରଦ୍ୟୁମ୍ନ ଦାସ , ପ୍ରତିଷ୍ଠାତା ସଭ୍ୟ ମାଧବାନନ୍ଦ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଲଳିତେନ୍ଦୁ ଦାସ, ଡ଼ ବିଶ୍ୱନାଥ ଦାସଙ୍କ ସମେତ କଲେଜ ପ୍ରତିଷ୍ଠାରେ ସହଯୋଗ କରିଥିବା ବ୍ୟକ୍ତି, ବରିଷ୍ଠ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।

Related Posts

About The Author

Add Comment