ବାରିପଦା, ୧୨/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ଯଶୀପୁର ବ୍ଲକରେ ହୋଇଥିବା ମନରେଗା ଦୁର୍ନୀତି ମାମଲାରେ ୨୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଯଶୀପୁର ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୨୩ଜଣ ଫେରାର ଅଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବରେହୀପାଣିର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର ନାଏକ ଏବଂ ପୋଡାଗଡର ପଞ୍ଚାୟତର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦାଶ । ବେଣୁଧର ନାଏକଙ୍କୁ ପୁଲିସ୍ ରରଆଁ ଥାନା ଅନ୍ତର୍ଗତ ଶୁକୃଳିରୁ ଗିରଫ କରିଥିବା ବେଳେ ସନ୍ତୋଷ କୁମାର ଦାଶଙ୍କୁ ବଡ଼ସାହି ଥାନା ଏରିଆରୁ ଗିରଫ କରିଥିବା ଜଣା ପଡିଛି।ତେବେ ଯଶୀପୁର ଥାନା ପୁଲିସ ମାମଲା ରୁଜୁର ୯ଦିନ ପରେ ମୋଟ ୨୫ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନେ ଫେରାର ହେବାରେ ବିଡ଼ିଓଙ୍କୁ ଦାୟୀ କରିଛି।ଏ ନେଇ ଯଶୀପୁର ଥାନା ଅଧିକାରୀ ରଞ୍ଜନ ସେଠୀ ଗଣ ମାଧ୍ୟମକୁ କହିଛନ୍ତି ଯେ, ଯଶୀପୁର ବିଡ଼ିଓ ଅନୁପମା ଘୋଷ ବିଳମ୍ବରେ ଏଫଆଇଆର ଦେବାରୁ ଅଭିଯୁକ୍ତମାନେ ଫେରାର ହେବାକୁ ସମୟ ପାଇଲେ । ଏ ନେଇ ଯଶୀପୁର ବିଡିଓ ଅନୁପମା ଘୋଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ନିକଟରୁ ଆସିଥିବା ଆଦେଶ ପତ୍ର ତାଙ୍କୁ ୧୮ତାରିଖରେ ମିଳିଥିଲା । ତେବେ ସଙ୍ଗେ ସଙ୍ଗେ ମାମଲା ନ କରିବାର କାରଣ ସଂପର୍କରେ ସେ କହିଛନ୍ତି ଯେ, ସେ କିଭଳି ଏଫ୍ଆଇଆର କରିବେ ଏନେଇ ଉପରୀସ୍ଥ ଅଧିକାରୀ ପିଡିଡିଆରଡିଏଙ୍କ ସହିତ ଆଲୋଚନା ପରେ ଯଶୀପୁର ଥାନାରେ ଏତଲା ଦେବାକୁ ଯାଇଥିଲେ। ମିତ୍ର ଥାନା ଅଧିକାରୀ କୁଆଡେ ଅନୁପସ୍ଥିତ ଥିବାରୁ ସେ ଏଫ୍ଆଇଆର ଦେଇ ନ ଥିଲେ।ସେପଟେ ୨୫ତାରିଖରେ ଯଶୀପୁର ବିଡ଼ିଓ ଅନୁପମା ଘୋଷ ଏଫ୍ଆଇଆର ଦେଇଥିଲେ ମଧ୍ୟ ତାହାକୁ ଥାନା ଅଧିକାରୀ ରୁଜୁ କରି ନଥିଲେ। ଜୁନ୍ ୨୮ତାରିଖ ଏ ନେଇଯଶୀପୁର ଥାନା ଅଧିକାରୀ ରଞ୍ଜନ ସେଠୀଙ୍କୁ ପ୍ରଶ୍ନ କରିବାରୁ ସେ ତଦନ୍ତ ଚାଲିଛି। ତଦନ୍ତ ପରେ ଯାଇ ଏଫ୍ଆଇଆର ରୁଜୁ ହେବ ବୋଲି କହିଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନବୀନ ସରକାର ଲୋକଙ୍କୁ ସୁଶାସନ ଯୋଗାଇଦେବାକୁ ମୋ ସରକାର ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପୁଲିସ୍ ଥାନାରେ ଏଫ୍ଆଇଆର ଦେବା ମାତ୍ରେ କେସ ରୁଜୁ ହେବା କଥା। ମାତ୍ର ସେପରି ନ କରି ଯଶୀପୁର ଥାନା ଅଧିକାରୀ କେଉଁ ନିୟମ ଆଧାରରେ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ଯାଇ ଏଫ୍ଆଇଆର ରୁଜୁ ହେବ ବୋଲି ଗତ ୨୮ତାରିଖ ଆମ ପ୍ରତିନିଧିଙ୍କୁ କହିଥିଲେ।ତାହା ଥାନା ଅଧିକାରୀଙ୍କ କର୍ତ୍ତବ୍ୟ ପରାୟଣତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେପଟେ ୨୯ ତାରିଖ ସଂସ୍କରଣର ପ୍ରମେୟ ରେ ଯଶୀପୁର ବ୍ଲକର ଶିମିଳିପାଳ ବନାଞ୍ଚଳରେ ହୋଇଥିବା ମନରେଗା ଦୁର୍ନୀତି ସଂପର୍କରେ ପ୍ରକାଶ ପାଇଲା ପରେ ଥାନା ଅଧିକାରୀ ଏଫ୍ଆଇଆର ରୁଜୁ କରିଥିଲେ । ତେବେ ଯଶୀପୁର ବିଡ଼ିଓ ଅନୁପମା ଘୋଷ ଜୁନ୍ ୨୫ତାରିଖରେ ଏକ ଏଫ୍ଆଇଆର ଦେଇଥିବା ନେଇ ଜୁନ୍ ୨୮ ତାରିଖରେ ଯଶୀପୁର ଥାନା ଅଧିକାରୀ ରଞ୍ଜନ ସେଠୀ ପ୍ରତିନିଧିଙ୍କୁ କହିଥିବା ବେଳେ ଜୁଲାଇ ୯ ତାରିଖରେ କଥାକୁ ଗେଳାଇଛନ୍ତି । ଶ୍ରୀ ସେଠୀ ଗଣ ମାଧ୍ୟମକୁ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ଯେ, ଜୁନ୍ ୨୯ତାରିଖରେ ଏତଲା ହେଲା ଏବଂ ସେହିଦିନ ମାମଲା ରୁଜୁ ହେଲା। କିନ୍ତୁ ଏ କଥା କହିଲା ବେଳେ ଶ୍ରୀ ସେଠୀ ଭୁଲିଗଲେ ଯେ, ସେ ପୂର୍ବରୁ ଗତ ଜୁନ୍ ୨୫ରେ ଯଶୀପୁର ବିଡ଼ିଓ ମହୋଦୟା ଏତଲା ଦେଇଥିବା ନେଇ କହିଥିଲେ ବୋଲି।ତେବେ ଅସଲ କଥା ଧରା ପଡିବାରୁ ଶେଷରେ ଯଶୀପୁର ଥାନା ଅଧିକାରୀ ଶ୍ରୀ ସେଠୀ ନଜ ଭୁଲକୁ ଲୁଚାଇବାକୁ ଯାଇ ଯୁକ୍ତି ବଢିଥିଲେ। ସେପଟେ ଯଶୀପୁର ବିଡ଼ିଓ ଅନୁପମା ଘୋଷଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୁଆଡେ ତିନିଥର ଏଫ୍ଆଇଆର ଦେବା ପରେ ଯାଇ ତାଙ୍କ ଏଫ୍ଆଇଆର ରୁଜୁ ହୋଇଛି। ଜିଲ୍ଲାରେ କୋଟି କୋଟି ଟଙ୍କାର ମନରେଗା ଦୁର୍ନୀତିକୁ ଯେଭଳି ଭାବେ ଯଶୀପୁର ବିଡ଼ିଓ ଏବଂ ଯଶୀପୁର ଥାନା ଅଧିକାରୀ ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ନେଇଛନ୍ତି ତାହା ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖୋଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ବିଡ଼ିଓ ମହୋଦୟା କାହିଁକି ଏତେ ସମୟ ନେଇ ବିଳମ୍ବରେ ଏଫଆଇଆର ଦେଲେ ପୁଣି ଯଶୀପୁର ଥାନା ଅଧିକାରୀ କେଉଁ ସ୍ବାର୍ଥ ବା କାହା ଚାପରେ ବଶବର୍ତ୍ତୀ ହୋଇ ଏଫ୍ଆଇଆର ରୁଜୁ କରିବାରେ ବିଳମ୍ବ କଲେ ତାହା ଏବେ ତଦନ୍ତ ସାପେକ୍ଷ। ସେପଟେ କେତେକ ନେତା ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ଚର୍ଚ୍ଚା। ହେଉଥିବାରୁ ମାମଲା ରୁଜୁରେ ବିଳମ୍ବ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।