ଯାଜପୁର,୫/୨(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀଙ୍କ ଇଲାକାରୁ ଲଘୁ ଖଣିଜ ପଦାର୍ଥ ବିଶେଷକରି କଳାପଥର, ଚିପ୍ସ, ବୋଲ୍ଡର, ମୋରମ, ଚିପ୍ସ ମିଶ୍ରିତ ପିଚୁ ପରିବହନ ବେଳେ ସୁରକ୍ଷିତ ଭାବେ ପାଲ ଘୋଡାଇ ନେବାର ନିୟମ ଥିଲା ବେଳେ ଏହି ନିୟମକୁ ଗାଡି ଚାଳକମାନେ ଖୁଲମଖୁଲା ଭାଙ୍ଗୁଥିବାର ଦେଖାଯାଉଛି । ପ୍ରତିଦିନ ଚଣ୍ଡିଖୋଲ ଛକରେ ୬,୧୦ ଓ ୧୨ଚକିଆ ଭାରିଯାନରେ ଏହିସବୁ ଲଘୁଖଣୀଜ ପଦାର୍ଥ ଅସୁରକ୍ଷିତ ଭାବେ ପଡୋଶୀ କେନ୍ଦ୍ରାପଡା, ପାରାଦ୍ୱୀପ ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାକୁ ଯାଉଛି । କଳାପଥର ବୋଝେଇ କରି ଯାଉଥିବା ଭଅରିଯାନ ଗୁଡିକର ଡାଲାରେ ଏପରି ଭାବରେ ପଥର ଗୁଡିକ ପରିବହନ ହେଉଛି ଯେ କେତେବେଳେ ଏହି ପଥର କାହା ଉପରେ ପଡିବ ତାହା କିଏ କହିବ? ବେଳେ ବେଳେ ଓଭରଲୋଡ ନେଇଯାଉଥିବା ପଥରଖଣ୍ଡ ଖସିପଡି ପଥଚାରୀ ଆହତ ହେଉଥିବା ଦେଖାଦେଇଛି । ସେହିପରି ଚିପ୍ସ ମିଶ୍ରିତ ପିଚୁ ଗୁଡିକ ବିନା ସୁରକ୍ଷାରେ ଦୀର୍ଘ ୨୦/୩୦ କି.ମି. ପରିବହନ ହେଉଥିବା ବେଳେ ରାସ୍ତାରେ ଚିପ୍ସ ଗୁଡିକ ଖଶିପଡୁଥିବା ନଜିର ରହିଛି । ଜିଲ୍ଲାର ଏକମାତ୍ର ଟ୍ରାଫିକ ଥାନା ଚଣ୍ଡିଖୋଲ ଛକରେ ଥିଲେ ମଧ୍ୟ ପ୍ରତିଦିନ ଟ୍ରାଫିକ ଥାନା ଆଗଦେଇ ଏହିସବୁ ଗାଡିଗୁଡିକ ଯାଉଥିଲା ବେଳେ ଟ୍ରାଫିକ ଥାନା କତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ପଡୁନାହିଁ । ସେହିପରି ଆଂଚଳିକ ପରିବହ କେନ୍ଦ୍ରର ପରିବହନ ଅଧିକାରୀ, ଟ୍ରାଫିକ ଇନସପେକ୍ଟର ଓ ଏମ.ଭି.ଆଇ ମାନେ ପ୍ରତିଦିନ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗାଡି ଚେକିଂ କରୁଥିବା ବେଳେ ଏହି ବେଆଇନ ପରିବହନ ଉପରେ ସେମାନଙ୍କର ନଜର ପଡୁନାହିଁ କି ଗାଡିମାନଙ୍କ ଉପରେ ଜୋରିମନା ଆଦାୟ କରୁନାହାନ୍ତି । ପ୍ରତିବର୍ଷ ଆଂଚଳିକ ପରିବହନ କେନ୍ଦ୍ର ପକ୍ଷରୁ ସପ୍ତାହ ବ୍ୟାପି ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଥିଲା ମଧ୍ୟ ଏ ବେଆଇନ ପରିବହନ ନେଇ ଗାଡି ଚାଳକ କିମ୍ବା ମାଲିକଙ୍କୁ ସଚେତନତା କରାଯାଉ ନାହିଁ । କେବଳ ହେଲମେଟ ଚେକିଂ ଓ ରାଜ୍ୟ ବାହାରର ଗାଡି ଉପରେ ଜୋରିମନା ଆଦାୟ କରି ପରିବହନ କର୍ମଚାରୀ ନିଜର ଦାୟିତ୍ୱ ଶେଷ କରିଦେଉଥିବା ଜଣାଯାଉଛି । ବେଆଇନ ପଥର ପରିବହନ ଫଳରେ ସାଧାରଣ ଯାତ୍ରୀଙ୍କର ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଏଭଳି ବେଆଇନ ଭାବେଚାଲୁଥିବା ଭାରିଯାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଏ ଅଂ୍ଚଳର ବହୁ ବୁଦ୍ଧିଜୀବୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ଭାରୀଯାନ ଉପରେ ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ନାହିଁ, ଦୈନିକ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର
|
February 5, 2019 |
