ଭାରତରେ ଏପରି ଏକ ମନ୍ଦିର ଯେଉଁଠି ପୂଜା ପାଉଛନ୍ତି ବେଙ୍ଗ; ଜାଣନ୍ତୁ କେଉଁଠି

Spread the love

ନୂଆଦିଲ୍ଲୀ, ୨୨/୧୧ (ସନ୍ଧାନ ନିୟୁଜ) ମନ୍ଦିରକୁ ଆପଣ ସବୁବେଳେ ଭଗବାନଙ୍କୁ ପୂଜା କରିବାକୁ ହିଁ ଯାଇଥା’ନ୍ତି। ସେଠାରେ ଭଗବାନଙ୍କୁ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି। ତେବେ, ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ବେଙ୍ଗ ପୂଜା ପାଉଛନ୍ତି। ସେଠାକାର ଲୋକ ମନ୍ଦିର ଯାଇ କୌଣସି ଭଗବାନଙ୍କୁ ପୂଜା କରିବା ବଦଳରେ ବେଙ୍ଗକୁ ପୂଜା କରୁଛନ୍ତି।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାର ଓୟେଲ କସ୍ମେରେ ଥିବା ଏକ ମନ୍ଦିରରେ ଏପରି କିଛି ଦେଖିବାକୁ ମିଳୁଛି।  ଯେଉଁଠି ମନ୍ଦିରରେ ଭଗବାନଙ୍କ ବଦଳରେ ବେଙ୍ଗ ପୂଜା ପାଉଛନ୍ତି। ବେଙ୍ଗଙ୍କୁ ସୁଖ, ସମୃଦ୍ଧି ଓ ଉର୍ବର ଚାଷର ପ୍ରତୀକ ଭାବେ ଗ୍ରହଣ କରାଯାଏ। ସେଥିପାଇଁ ସେଠାକାର ଲୋକ ମନ୍ଦିରରେ ବେଙ୍ଗକୁ ଭଗବାନଙ୍କ ଭଳି ପୂଜା କରୁଛନ୍ତି।

ଉତ୍ତର ପ୍ରଦେଶର ଏହି  ବିଶାଳ ମନ୍ଦିରକୁ ୨୦୦ବର୍ଷ ପୂର୍ବେ ଚାହମାନ ବଂଶର ରାଜା ବଖତ୍ ସିଂହ ନିର୍ମାଣ କରିଥିଲେ ବୋଲି କୁହାଯାଏ। କିମ୍ବଦନ୍ତୀ ଅନୁସାରେ କୁହାଯାଏ ଯେ, ରାଜାଙ୍କୁ ଗୋଟିଏ ବେଙ୍ଗ ଆଶୀର୍ବାଦ କରିବା ପରେ ତାଙ୍କର ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଇଥିଲା। ତେଣୁ ବେଙ୍ଗମାନଙ୍କ ପାଇଁ ସେ ଏହି ମନ୍ଦିରର ନିର୍ମାଣ କରିଥିଲେ। ଏହାସହ ଏହି ଅଞ୍ଚଳକୁ ପ୍ରାକୃତିକ ଦୁର୍ବିପାକ ଓ ବିଭିନ୍ନ ପ୍ରକାର ବିପଦରୁ ରକ୍ଷା କରିବା ପାଇଁ ଏଠାକାର ଶାସକ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଏ।

ଅତୀତରେ ଏହି ମନ୍ଦିର ଓୟେଲ ଶିବ ସଂପ୍ରଦାୟର ଏକ ପ୍ରମୁଖ ସ୍ଥାନ ଥିଲା, ଯେଉଁଠାରେ ସେହି ସଂପ୍ରଦାୟର ଲୋକ ବସବାସ କରୁଥିଲେ। ମନ୍ଦିରଟି କେବଳ ବେଙ୍ଗ ପୂଜା ନୁହେଁ, ଏହାସହ ପୁରାତନ କଳା, ସ୍ଥାପତ୍ୟ ପାଇଁ ମଧ୍ୟ ମନ୍ଦିରଟି ବେଶ୍ ପରିଚିତ। ପୁରାତନ କଳା, ସ୍ଥାପତ୍ୟ ଓ ସଂସ୍କୃତିର ଏହି ମନ୍ଦିରରେ ଝଲକ ଦେଖିବାକୁ ମିଳୁଛି। ଆଜି ବି ମନ୍ଦିରରେ ଦୀପାବଳି ଓ ମହାଶିବରାତ୍ରୀ ମହାଆଡମ୍ବର ସହକାରେ ପାଳନ କରାଯାଏ।

Related Posts

About The Author

Add Comment