ଭଦ୍ରକ,୧୦/୬,(ସନ୍ଧାନ ନିୟୁଜ୍) : ନିଜର ହଡପ ହୋଇଥିବା ସଂପତ୍ତିକୁ ଫେରିପାଇବା ପାଇଁ ୩୭ ବର୍ଷ ଧରି ମାମଲା ଲଢୁଛନ୍ତି ରେବତୀ । ତାଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା, ସେତେବେଳେ ସେ କୋର୍ଟଙ୍କୁ ଯାଇଥିଲେ । ଏବେ ସେ ୬୦ ବର୍ଷର ବୃଦ୍ଧା । କିନ୍ତୁ ଅଦ୍ୟାବଧି ସେ ନ୍ୟାୟ ପାଇବାରୁ ବଂଚିତ ହୋଇ ରହିଛନ୍ତି । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଘଟଣାର ହସ୍ତକ୍ଷେପ କରିବା ପାଇଁ ପ୍ରଧାନମନ୍ତ୍ରୀ ଦପ୍ତରରୁ ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ଚିଠି ଆସିଛି । ମାତ୍ର ଚିଠି ଆସିବାକୁ ୬ ମାସ ବିତିଗଲେ ବି ପ୍ରଶାସନର କାର୍ଯ୍ୟ କେବଳ ଆରଆଇ ତଦନ୍ତରେ ସୀମିତ ରହିଛି । ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ଅନ୍ତର୍ଗତ ନୁଆଗାଁର ୰ ଦାଶରଥୀ ରାଉତଙ୍କ ଏକମାତ୍ର ଝିଅ ରେବତୀ ରାଉତ (୬୦) । ୧୯୭୫ ମସିହାରେ ସେ ବାଂଶଡା ଥାନା ଅଧୀନ ଜଳେଶ୍ୱରପୁର ଗାଁର ଶିକ୍ଷକ ଚକ୍ରଧର ରାଉତଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଅର୍ଥାତ୍ ୧୯୭୯ ରେ ରେବତୀଙ୍କ ବାପା ଦାଶରଥିଙ୍କ ମୃତୁ୍ୟ ହୋଇଯାଇଥିଲା । ବାପାଙ୍କ ମୃତୁ୍ୟ ପରେ ରେବତୀଙ୍କ ବାପଘରକୁ ଯିବା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ମାତ୍ର ୧୯୮୨ ମସିହାରେ କେହି ବ୍ୟକ୍ତି ତାଙ୍କର ସମସ୍ତ ପୈତୃକ ସଂପତ୍ତିକୁ ହଡପ କରିନେଇଥିବା ଖବର ପାଇ ସେ ସରକାରୀ ରେକର୍ଡ ଯାଞ୍ଚ କରିଥିଲେ । ସରକାରୀ ରେକର୍ଡରୁ ମିଳିଥିବା ସୂଚନା ଦେଖି ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ନୂଆଗାଁର ସ୍ୱର୍ଗତ ଭରତ ରାଉତଙ୍କ ପୁଅ ସନାତନ ରାଉତ ତାଙ୍କ ବାପା ଦାଶରଥିଙ୍କ ନାମରେ ଥିବା ବାଂଶଡା ଥାନା ବଳିଆରପୁର ମୌଜାର ୮.୮୧ ଏକର ଜମି ଏବଂ ନାଲଗୁଣ୍ଡା ଆରଆଇ ସର୍କଲ ଅନ୍ତର୍ଗତ ନୂଆଗାଁରେ ୫ ଏକର ଜମିକୁ ଚକବନ୍ଦୀରେ ନିଜ ନାମରେ କରି ନେଇଥିବା ଜାଣିବାକୁ ପାଇଥିଲେ ରେବତୀ । ଏହି ସଂପତ୍ତି ହଡପ ପାଇଁ ବ୍ୟାପକ ଜାଲିଆତି ଓ ଚଂଚକତା ହୋଇଥିବା ଜଣାପଡିଥିଲା । ଏପରିକି ରେବତୀ ପଢୁଥିବା ଖେରଙ୍ଗ ସ୍କୁଲର ରେକର୍ଡ ଚିରି ନୂଆଫର୍ଦ୍ଦ ଯୋଡାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ ରେକର୍ଡରେ ଦାଶରଥୀ ରାଉତଙ୍କର ବୟସ ୨୬ ବର୍ଷ ହୋଇଥିବାବେଳେ ତାଙ୍କ ପୁଅ କୁହାଯାଉଥିବା ସନାତନ ଓରଫ ସୁନିଆଁ ରାଉତଙ୍କ ବୟସ ୨୨ ବର୍ଷ ଉଲ୍ଲେଖ ହୋଇଥିଲା । ଏସବୁ ଦେଖିବା ପରେ ରେବତୀ କୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ରେବତୀ ପ୍ରଥମେ ୧୯୮୨ ମସିହାରେ ନିଜକୁ ପିତାଙ୍କ ସମସ୍ତ ସଂପତ୍ତିର ଏକମାତ୍ର ଉତ୍ତରାଧିକାରୀ ଦର୍ଶାଇ ଚକବନ୍ଦୀ କୋର୍ଟରେ କେଶ୍ କରିଥିଲେ । ମାତ୍ର ଚକବନ୍ଦୀ କୋର୍ଟରେ ସନାତନ ରାଉତ ଜାଲ୍ କାଗଜପତ୍ର ଦେଖାଇ ଡିଗ୍ରୀ ପାଇଗଲେ । ଏହାପରେ ରେବତୀଙ୍କ ପକ୍ଷରୁ ଭଦ୍ରକ ଚକବନ୍ଦୀ ଉପନିଦେ୍ର୍ଦଶକଙ୍କ କୋର୍ଟରେ ମାମଲା ଚାଲିଲା ଏବଂ ଏହି କୋର୍ଟ ରେବତୀଙ୍କ ସପକ୍ଷରେ ରାୟ ଦେଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ସନାତନ ରାଉତ କମିଶନରଙ୍କ କୋର୍ଟରେ କେଶ୍ କରିଥିଲେ ଏବଂ ସେଠାରେ ଜାଲ୍ କାଗଜପତ୍ର ଦେଖାଇ ସନାତନ ପୁନଃ ଡିଗ୍ରୀ ପାଇଲେ । ଶେଷରେ ନିରୁପାୟ ହୋଇ ରେବତୀ ୨୦୦୫ ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ୭୭/୨୦୦୫ ନମ୍ବର ମାମଲା ବିଚାରାଧୀନ ରହିଛି । ମାତ୍ର ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇନି । ନିରୁପାୟ ହୋଇ ଗତ ୨୦୧୭ ଡିସେମ୍ବର ୧୫ ତାରିଖରେ ରେବତୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ । ଏହାପରେ ସେହିମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଏକ ଚିଠି ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆସିଥିଲା । ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ମାମଲାର ତୁରନ୍ତ ସମାଧାନ କରିବା ନିଦେ୍ର୍ଦଶ ଆସିବା ପରେ ଚାନ୍ଦବାଲି ତହସିଲ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଚାନ୍ଦବାଲି ତହସିଲଦାର ସ୍ଥାନୀୟ ଆରଆଇଙ୍କ ଠାରୁ ରିପୋର୍ଟ ମାଗିଥିଲେ । ନାଲଗୁଣ୍ଡା ଆରଆଇ ନୂଆଗାଁର ୰ ଦାଶରଥୀ ରାଉତଙ୍କ ଏକମାତ୍ର କନ୍ୟା ରେବତୀ ରାଉତ ଜଳେଶ୍ୱରପୁର ପଂଚାୟତରେ ବିବାହିତ ଓ ସେ ଦାଶରଥୀଙ୍କ ଏକମାତ୍ର ଉତ୍ତରାଧିକାରୀ ବୋଲି ରିପୋର୍ଟ ଦେଇଛନ୍ତି । ମାତ୍ର ନ୍ୟାୟ ପ୍ରଦାନ ପ୍ରକି୍ରୟା ଏତିକିରେ ସୀମିତ ରହିଛି । ଏଯାଏ ହାଇକୋର୍ଟଙ୍କ କୌଣସି ଚୂଡାନ୍ତ ରାୟ ଆସିନି କି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି । ତେବେ ମାମଲାର ତଦନ୍ତ କରାଗଲେ କେଉଁ ଆଧାରରେ ସନାତନ ରାଉତ ଦାଶରଥୀଙ୍କ ସମସ୍ତ ସଂପତ୍ତି ନିଜ ନାମରେ କରିଛନ୍ତି, ତାହାର ସତ୍ୟତା ଉନ୍ମୋଚନ ହୋଇପାରିବ ବୋଲି ତହସିଲଦାର ପ୍ରେମାଂଶୁ ଚାନ୍ଦ କହିଛନ୍ତି ।
news by binayak gosh
ଭଦ୍ରକ: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବି ନ୍ୟାୟ ମିଳିଲାନି ରେବତୀଙ୍କୁ, ହଡପ ସଂପତ୍ତି ଫେରିପାଇବାକୁ ୩୭ବର୍ଷର ଲଢେଇ
|
June 10, 2018 |