ଭୁବନେଶ୍ୱର, ୧୩/୦୯/୨୦ (ସନ୍ଧାନ ନିଉଜ) : ଗୁଗଲ୍ ମିଟ୍ ମାଧ୍ୟମରେ ଅପରାହ୍ନ ୪.୩୦ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଓଡ଼ିଶାର ଘରେ ଘରେ ପରିଚିତ,ଓଡ଼ିଶାର ମହାନ୍ ପଣ୍ତିତ,ଭାଷ୍ୟକାର, କବି, ସମୀକ୍ଷକ, ଆଧ୍ୟାତ୍ମିକ ପ୍ରବକ୍ତା ତଥା ଭଞ୍ଜ ସାହିତ୍ୟ ବିଶାରଦ ଡ. ରଜତ କୁମାର କର । ସେ ନିଜ ଅଭିଭାଷଣରେ ଉପେନ୍ଦ୍ର ଭଞ୍ଜଙ୍କ କୃତି ଗୁଡିକ କିଭଳି ସାମାଜିକ ଉଚ୍ଛ୍ୱାସ,ଭାବର ସ୍ରୋତରେ ସୃଷ୍ଟିହେଇ ସମାଜକୁ ସଂସ୍କାରିତ ତଥା ଆଦର୍ଶବାଦର ଧାରାରେ ଆଗେଇନେଉଥିଲା ସେହି ବିଷୟରେ ଆଲୋକପାତ କରିଥିଲେ । ଶ୍ରୀରାମଚନ୍ଦ୍ର ଏବଂ ବୈଦେହୀଙ୍କ ଚରିତ୍ରକୁ ପାଥେୟ କରି ସୁନ୍ଦର ଅନୁଷ୍ଠାନ ବିବାହ ମାଧ୍ୟମରେ ଦେହ,ମନ,ପ୍ରାଣ ତଥା ଆତ୍ମାର ମିଳନ ମାଧ୍ୟମରେ ସମାଜକୁ ସଂସ୍କାର କରିବାର କଳା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାବରୀରେ ତାରକା ପୁଞ୍ଜର ଆଲୋକରେ ଜୁଳୁଜୁଳିଆ ପୋକ ଯେଭଳି ବିଚଳିତ ନହେଇ ନିଜ କାର୍ଯ୍ୟ ସମ୍ପାଦନ କରେ,ସେଭଳି ମନୁଷ୍ୟଗଣ ଆଦର୍ଶବାଦକୁ ପାଥେୟକରି ବିଶ୍ୱସମୁଦାୟ ର ମଙ୍ଗଳକାମନା କରିବା ଧ୍ୟେୟ ହେବା ଉଚିତ ବୋଲି ସେ ସମ୍ବୋଧିତ କରିଥିଲେ ।ସଂଗଠନର ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ କୁମାର ମହାପାତ୍ର ପୌରହିତ୍ୟ କରିଥିବା ସ୍ଥଳେ ଆଜୀବନ ସଦସ୍ୟ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଶ୍ରୀ ରୁଦ୍ର ନାରାୟଣ ସାହୁ ସଂଯୋଜନା କରିଥିଲେ ।
ପ୍ରାରମ୍ଭରେ ସ୍ୱାତୀ ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ବୈତରଣୀ ଦଳର ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ,ଦିଲିପ କୁମାର ବାରିକ ଏବଂ ଶ୍ରୀ ବିଭୁତି ସାହୁ ସଭା ପରିଚାଳନା କରିଥିଲେ ।ସଂସଦର କୋଷାଧ୍ୟକ୍ଷ ଭୋଳାନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା l
ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ନୂତନ ଶିକ୍ଷା ପଦ୍ଧତି ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ ସୂଚନା ପ୍ରଦାନ କରିଥିଲେ।