ଚଣ୍ଡିଖୋଲ,୧୬/୧୦/୨୦୨୦ (ସନ୍ଧାନ ନିଉଜ)-ବଡ଼ଚଣା ଅଂଚଳରେ ବିଭିନ୍ନ ସ୍ଥାନରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗର କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ କିମ୍ବା ଚଢ଼ାଉ ନହେବା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଏ ସଂପର୍କରେ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଲା ପରେ ମଧ୍ୟ ଏହି ମଦ ବିକ୍ରି ବନ୍ଦ ହେବାର ନା ଧରୁନାହିଁ । ଅବକାରୀ ବିଭାଗକୁ ବିଭିନ୍ନ ସମୟରେ ଏଭଳି ଚୋରା ମଦ କାରବାର ସଂପର୍କରେ ଅବଗତ କଲା ପରେ ବି କୋ÷ଣସି କାର୍ଯ୍ୟାନୁଷ୍ଠାନ କରିବା ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ବଡ଼ଚଣା ଅଂଚଳର ବିଭିନ୍ନ ଛକ ବଜାର ଓ ଗ୍ରାମାଚଂଳରେ ଥିବା ଦୋକାନ ମାନଙ୍କରେ ଚୋରା ମଦର ଅବାଧ କାରବାର ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ ବଡ଼ଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଓ ଏକ ଟିମ୍ ଯୋଗେ ସିହା ପଂଚାୟତର ମଙ୍ଗରାଜପୁର ଗ୍ରାମ ନିକଟରେ ୧୨୦ ଲିଟର ଦେଶୀ ମଦ ଜବତ କରିଥିଲା ବେଳେ ଆସାମୀକୁ ଧରିବାକୁ ସକ୍ଷମ ହୋଇନଥିଲେ । ଶୁକ୍ରବାର ବିଶେଷ ସୂତ୍ରରୁ ଖବର ପାଇ ଥାନାଧିକାରୀ ପ୍ରିୟବ୍ରତ ରାଉତଙ୍କ ନିଦେ୍ର୍ଦଶରେ ଜ୍ୟୋତି ରଂଜନ ମହାପାତ୍ର ଓ ପି.କେ କାନୁନ୍ଗୋ ମଙ୍ଗରାଜପୁର ନିକଟରେ ଥିବା ଏକ ଧାନ ବିଲରୁ ଲୁଚାହୋଇ ଥିବା ୪୪୦ ଲିଟର ଦେଶୀ ମଦକୁ ଜବତ କରିଥିଲେ । ଏହି ମଦ ସବୁ ବିକ୍ରି ହେବାକୁ ବିଭିନ୍ନ ସ୍ଥାନକୁ ଯାଉଥିଲା ବେଳେ ମଦ ବେପାରୀମାନେ ପୋଲିସର ଆସିବାର ଖବର ପାଇ ଧାନ ବିଲରେ ସେଗୁଡ଼ିକୁ ଲୁଚାଇ ରଖିଥିଲେ । ଦୀର୍ଘ ୧ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ପୋଲିସ୍ ପକ୍ଷରୁ ଖାନ୍ତଲାସି ପରେ ଚାଷ ଜମିରୁ ୧୨ଟି ପ୍ଲାଷ୍ଟିକ୍ ଜାରକିନ୍ରେ ଭର୍ତି ହୋଇଥିବା ମଦକୁ ଜବତ କରି ଥାନାକୁ ଆଣିଥିଲେ । ଆସାମୀ ମାନେ ପୋଲିସ୍ ଆସିବାର ଖବର ପାଇ ଗାଁ ଛାଡ଼ି ପଳାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ପ୍ରକାଶଥାଉକି ସେହି ଅଂଚଳରେ ଦୀର୍ଘ ଦିନ ହେବ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବାରୁ ଏହାର ବାସ୍ନା ବାରି ଜଙ୍ଗଲୀ ହାତୀମାନେ ଆସି ଗ୍ରାମର ଗରିବ ଶ୍ରେଣୀର ଲୋକଙ୍କ ଚାଳ ଛପର ଘର ନଷ୍ଟ କରିବା ସହ ଧାନ କ୍ଷେତ ଓ ବାଡ଼ି ବଗିଚାରେ ହୋଇଥିବା ବିଭିନ୍ନ ଫସଲକୁ ନଷ୍ଟ କରୁଛନ୍ତି ।
ବଡ଼ଚଣା ପୋଲିସ୍ ଦ୍ୱାରା ୪୪୦ ଲିଟର ଦେଶୀ ମଦ ଜବତ : କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ
|
October 16, 2020 |