ଗଂଜାମ, ୨୩/୯ (ସନ୍ଧାନ ନିୟୁଜ): ସରକାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହିତ ଶିକ୍ଷାର ମାନ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ଏହାର ସୁଫଳ ଦେଖିବାକୁ ମିଳୁନାହିଁ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ବେଲଝରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହିଭଳି ଅବ୍ଯବସ୍ଥା ଦେଖିବାକୁ ମିଳିଛି । ନିମ୍ନମାନର ମଧ୍ଯାହ୍ନ ଭୋଜନ ପରିବେଷଣ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଠିକ୍ ସମୟରେ ବିଦ୍ଯାଳୟକୁ ନ ଆସିବା ଏବଂ ଶ୍ରେଣୀ ଗୃହ ମଧ୍ୟରେ ମୋବାଇଲ୍ ରେ ଗପିବାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟରେ ମୋବାଇଲ୍ କୁ ବାରଣ କରାଯାଇଥିବା ବେଳେ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି ନିୟମକୁ ମାନୁ ନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିଦ୍ୟାଳୟର ସଭାପତି ପ୍ରକାଶ ମେହେଣା କୁଂ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ ଏବଂ ଗତ ସୋମବାର ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା ।ତେବେ କୌଣସି ପଦକ୍ଷେପ ନିଆ ନଯିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ଗେଟ୍ ରେ ତାଲା ପକାଇ ଦେଇଥିବା ଜଣାପଡିଛି। ଖବର ପାଇ ୨ ଜଣ ଏବିଇଓ ସୁଶମା ଶବର, ରବିନ୍ଦ୍ର ମିଶ୍ର ଓ ସିଆରସିସି ଅଶ୍ବିନୀ କୁମାର ପ୍ରହରାଜ ବିଦ୍ୟାଳୟରେ ପହଞ୍ଚି ବୁଝାସୁଝା କରିଥିଲେ କିନ୍ତୁ ବିଦ୍ୟାଳୟର ଗରମ ରନ୍ଧା ଖାଦ୍ୟ ପରିବେଷଣ ବନ୍ଦ ରହିଥିଲା। ଯାହାଫଳରେ କି ପିଲାମାନେ ଖାଦ୍ୟ ନ ପାଇ ଭୋକରେ ଘରକୁ ଫେରି ଆସିଥିଲେ।ତେବେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୯୯ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ କାହିଁକି ବନ୍ଦ ରହିଲା ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ। ବିଦ୍ୟାଳୟର ଅବ୍ଯବସ୍ଥାକୁ ନେଇ ଲିଖିତ ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ନ ନିଆଯିବା ଶିକ୍ଷା ବ୍ଯବସ୍ଥାର ପାରିବା ପଣିଆକୁ ପଦାରେ ପକାଇଛି। ଆଗାମୀ ଦିନରେ ଏ ନେଇ ସ୍ଥାୟୀ ପ୍ରତିକାର କରା ନ ଗଲେ ବିଦ୍ୟାଳୟରେ ପୁଣି ତାଲା ପକାଇ ରାଜରାସ୍ତାକୁ ଅଚଳ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।
ବେଲଝରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ଯବସ୍ଥା, ପ୍ରତିବାଦରେ ଫାଟକ ସମ୍ମୁଖରେ ତାଲା ପକାଇଲେ ଅଭିଭାବକ
|
September 23, 2019 |



