ବୃଦ୍ଧ ଭୋଲାଙ୍କ କାନ୍ଧରେ ପରିବାର ବୋଝ

Spread the love

ରାଉରକେଲା, ୨୦/୦୭/୨୦ (ସନ୍ଧାନ ନିଉଜ) : ପ୍ରତିଦିନ ସକାଳେ ସାରନଗରୀ ରାଜରାସ୍ତାରେ ଦେଖିବାକୁ ମିଳେ ଜଣେ ପରିଣତି ବୟସର ବୃଦ୍ଧଙ୍କୁ । ହାତରେ ଥାଏ ଏକ କୋଦାଳ, ମୁଣ୍ଡରେ ଗୁଡ଼ାଇ ହୋଇଥାଏ ଏକ ଫଟା ନାଲିରଙ୍ଗର ଗାମୁଛା । ଲକ୍ଷ୍ୟ କେବଳ ଗୋଟିଏ । ପରିବାର ପାଇଁ ଉପାର୍ଜନ । କାନ୍ଧରେ ଏଯାଏ ବୋହି ଚାଲିଛନ୍ତି ପରିବାରର ବୋଝ । ୬୦ ବର୍ଷର ପରିଣତି ବୟସରେ ମଧ୍ୟ ଥକିନଯାଇ କର୍ମମୟ ଜୀବନରେ ସେ ଏଯାଏ ଅଗ୍ରସର ଅଛନ୍ତି । ଯାହାକି ସମସ୍ତଙ୍କ ପ୍ରାୟ ଏକ ଆଦର୍ଶ ଓ ପ୍ରେରଣାର ବାର୍ତା ବଂଟନ କରୁଛି । ଏହି ବୃଦ୍ଧ ଜଣଙ୍କ ହେଲେ ସାରନଗରୀ ଅଂଚଳରେ ରହୁଥିବା ରଘୁ କୁମ୍ଭାର ଓରଫ ଭୋଲା ।
ମନୁଷ୍ୟ ଇଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି । ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ମନୁଷ୍ୟ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ବହନ କରେ । ମାତ୍ର ଜଣେ ପରିଣତି ବୃଦ୍ଧଙ୍କ କ୍ଷେତ୍ରରେ ଏହା ଏତେ ଜଲଦି ସମ୍ଭବ ହୋଇପାରେନା । ମାତ୍ର ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଗଂଜୁ ମାର୍କେଟେରେ ଦୀର୍ଘ ୩୫ ବର୍ଷ ହେଲା ବସବାସ କରୁଥିବା ଗରିବ ବୃଦ୍ଧ ଭୋଲା କଠିନ ପରିଶ୍ରମ କରିବା ସହ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ପରିବାରର ବୋଝ ଏଯାଏ ମୁଣ୍ଡାଇ ଚାଲିଛନ୍ତି । ବୟସ ପାଖାପାଖି ୬୦ ଛୁଇଁଲାଣି,  ତଥାପି କର୍ମମୟ ଜୀବନରେ ସେ କେବେ ହାରି ନାହାନ୍ତି । ସ୍ତ୍ରୀ, ଦୁଇ ପୁତ୍ର ଓ ଏକ ମାତ୍ର ଝିଅକୁ ନେଇ ଚାଲିଛି ତାଙ୍କର ତେଲ ଲୁଣର ସଂସାର । ରାତି ପାହି ସକାଳ ହେଲେ, ଭୋଲା ତତ୍ପର ହୋଇ ଉଠନ୍ତି । ବାହାରିଯାନ୍ତି ଦୈନନ୍ଦିନ କାମର ସନ୍ଧାନରେ । କୋଉ ଲୋକର ବାଡି ବଗିଚା କାମ କରିଦିଅନ୍ତିତ,ପୁଣି କାହା ପାଇଁ ପାଣିଭାର ନିଜ କାନ୍ଧରେ ବହୁ କଷ୍ଟରେ ବୋହିକି ଆଣନ୍ତି ।  ପ୍ରାୟ ଆଜକୁ ୧୦/୧୫ ବର୍ଷ ତଳେ ଚାଷ କାର୍ଯ୍ୟ କରୁଥିବା ବେଳେ, ବଳଦଙ୍କ ଦ୍ୱାରା ତାଙ୍କ କାନ୍ଧରେ ଆଘାତ ହେବାରୁ ସେ ନଇଁକି ବର୍ତମାନ ଚାଲୁଛନ୍ତି । ଦିନକୁ ପ୍ରାୟ ୮ ଘଂଟା କାର୍ଯ୍ୟକରି ବହୁ କଷ୍ଟରେ କିଛି ଅର୍ଥ ଉପାର୍ଜନ କରି ନିଅନ୍ତି ଭୋଲା । ସେ କୁହନ୍ତି ଯେ, ଉପରବାଲା ହିଁ  ତାଙ୍କର ସାହା ଭରସା । ପୂର୍ବରୁ ତାଙ୍କ ସ୍ତ୍ରୀ ବିଭିନ୍ନ ଘରେ କାର୍ଯ୍ୟକରି ଦୁଇ ପଇସା ରୋଜଗାର କରି ନେଉଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିଶ୍ରା ମୁଣ୍ଡା ନାମକ ଘରୋଇ ହସ୍ପିଟାଲରେ  ଟ୍ୟୁମର ଅସ୍ତ୍ରୋପଚାର କରାଗଲା । ଏଥିପାଇଁ ଭୋଲାଙ୍କୁ ବହୁ ଧାର କରଜ କରିବାକୁ ପଡିଲା ବୋଲି ସେ କୁହନ୍ତି । ବର୍ତମାନ ସ୍ତ୍ରୀର ଔଷଧ ଖର୍ଚ୍ଚ ସେ ବହନ କରୁଛନ୍ତି । ଭୋଲାଙ୍କର କେବଳ ଏକ ରାଶନ କାର୍ଡ ରହିଛି । ତାଙ୍କୁ  ଏଯାଏ ସରକାରଙ୍କ ପ୍ରଦତ ବାର୍ଦ୍ଧକ୍ୟ ଭତା ଟଙ୍କା ମିଳି ପାରୁନାହିଁ ବୋଲି ସେ ଅଭିଯୋଗ କରନ୍ତି । ସ୍ଥାନୀୟ ପ୍ରଶାସନ ଏହାର ବ୍ୟବସ୍ଥା କରିବାକୁ ସେ ଆକୁଳ ଗୁହାରୀ କରିଛନ୍ତି । କିଛି ବର୍ଷ ତଳେ ସେ ରହୁଥିବା ଘରକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଭାଙ୍ଗିବାର ଉଦ୍ୟମ କରି ତାଙ୍କ ସହିତ କଳହ କରିଥିଲେ । ବହୁ କଷ୍ଟରେ କାର୍ଯ୍ୟ କରି ନିଜ ସଂସାରରୂପି ରଥକୁ ଏଯାଏ ଟାଣି ନେଉଛନ୍ତି ଭୋଲା । ହାତ ଗୋଡ ଚାଲିବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରି ଚାଲିବେ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment