ବାରିପଦା ୧୬ /୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ୭୪ତମ ସ୍ବାଧୀନତା ଦିବସ ପାଇଁ ସମଗ୍ର ଭାରତବର୍ଷ ଉତ୍ସସୁବମୁଖର । ତେବେ ଇଂରେଜ ଶାସନକୁ ଦେଶାନ୍ତର କରିବା ସହିତ ସ୍ୱାଧୀନତା ପାଇଁ ହସି ହସି ଫାଶୀଖୁଣ୍ଟରେ ଝୁଲିଯାଇଥିବା ସହୀଦଙ୍କ ବଳିଦାନକୁ ଆଜି ମଧ୍ୟ ଦେଶ ମନେରଖିଛି । ତେବେ ଏମିତି ବି କିଛି ସହୀଦ ଅଛନ୍ତି ଯେଉଁମାନଙ୍କ ପରିବାର ଆଜି ବି ଅବହେଳିତ ଅବସ୍ଥାରେ ଥିବାବେଳେ ସହୀଦଙ୍କ ସମ୍ମାନରେ ଗୋଟିଏ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିପାରିଲେନି ସରକାର । ଯାହାକୁ ନେଇ ସହୀଦଙ୍କ ଦାୟାଦମାନଙ୍କ ମଧ୍ୟରେ ଆଜି ବି ଦୁଃଖ ରହିଛି । ମୟୂରଭଞ୍ଜ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ଏବଂ ସହୀଦମାନଙ୍କ ମଧ୍ୟରେ କଙ୍କାକାଳିଆ ଅନ୍ୟତମ । କଙ୍କା ମାଝୀ ଏବଂ କାଳିଆ ମହାନ୍ତ ଦିନେ ଦେଶମାଟି ପାଇଁ ହସିହସି ଫାଶୀଖୁଣ୍ଟରେ ଝୁଲିଯାଇଥିବା ଭଞ୍ଜମାଟିର ଏହି ଦୁଇ ବୀରପୁତ୍ରଙ୍କୁ କେବଳ ସହୀଦ ଦିବସରେ ହାତଗଣତି କିଛି ଲୋକ ମନେ ପକାଇଥାନ୍ତି । ଏହି ସହୀଦଙ୍କ ସ୍ମତିରେ ନାଁ ଗୋଟିଏ ପ୍ରତିମୂର୍ତ୍ତି ହୋଇପାରିଲା ନାଁ ନିର୍ମାଣ ହୋଇପାରିଲା ଗୋଟିଏ ସ୍ମତି ସ୍ତମ୍ଭ । ଆଜି ବି ସହୀଦଙ୍କ ପରିବାର ବସବାସ କରୁଥିବା ବେତନଟୀ ରାଜସ୍ବ ଗ୍ରାମରେ ହୋଇପାରିଲାନି ଖଣ୍ଡିଏ କଂକ୍ରି ରାସ୍ତା । କଙ୍କା ମାଝୀଙ୍କ ଘର ବେତନଟୀ ରାଜସ୍ବଗ୍ରାମର ଆଦିବାସୀ ସାହିରେ ହୋଇଥିବାବେଳେ କାଳିଆ ମହାନ୍ତଙ୍କ ଘର ବେତନଟୀ ପଞ୍ଚାୟତ ରେଣୁ ଗାଁରେ ।
ସହୀଦ କାଳିଆ ମହାନ୍ତଙ୍କର କୌଣସି ବଂଶଧର ନ ଥିବାବେଳେ କେବଳ ରହି ଯାଇଛି ଏକ ସୂତିପୀଠ । ଆଉ ସହୀଦ କଙ୍କା ମାଝୀଙ୍କ ଦାୟାଦ ଭାବେ ଏବେ ଅଛନ୍ତି ନାତୀ ହୀନ୍ଦୁ ମାଝୀ ଏବଂ ସ୍ତ୍ରୀ ସୁବର୍ଣ୍ଣମଣୀଙ୍କ ସମେତ ହୀନ୍ଦୁଙ୍କ ଦୁଇପୁଅ ଭକ୍ତହରି ନରସିଂହ ମାଣ୍ଡି, ରାଧାଗୋବିନ୍ଦ ଏବଂ ଦୁଇକନ୍ୟା ତିଳରୋମା ଓ ପଦ୍ମାବତୀ । ଆଜି ମଧ୍ୟ ସହୀଦ କଙ୍କା ମାଝୀ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରକୁ ପୂଜାକରୁ ଛନ୍ତି ପରିବାରବର୍ଗ । ଗବେଷକ ପଶୁପତି ନାଥଙ୍କ ଗବେଷଣା ସମୟରେ ସହୀଦ କଙ୍କାକାଳିଆଙ୍କ ନାମ ଲୋକଲୋଚନକୁ ଆସିଥିବା ପରେ ବହୁ ଦାବି ଉପସ୍ଥାପନ କରାଯାଇ ସହୀଦଙ୍କ ନାମ ପାଠ୍ୟପୁସ୍ତକରେ ସ୍ଥାନୀତ କରାଯାଇଛି । ଇଂରେଜ ଶାସନ ବିରୁଦ୍ଧରେ ଲଢେଇକରି ବୀରତ୍ଵର ପରିଚୟ ଦେଇଥିବା କଙ୍କାକାଳିଆଙ୍କୁ ୧୯୧୭ ମେ ୩ତାରିଖରେ ଫାଶୀ ଦିଆଯାଇଥିଲା । ତେବେ ସେମାନେ ଦେଶପାଇଁ ପ୍ରାଣବଳୀ ଦେଇଥିଲେ ସୁଦ୍ଧା ସହୀଦଙ୍କ ସମ୍ମାନାର୍ଥେ ସରକାରୀ ସ୍ତରରେ ଅଦ୍ୟାବଧି ସେଭଳି ଆଖିଦୃଶିଆ ପଦକ୍ଷେପ କିଛି ଗ୍ରହଣ କରାନଯିବା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ । ସହୀଦ କଙ୍କାକାଳିଆଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୧୭ ମସିହାରେ ଏକ ବିଶାଳ ଶୋଭାଯାତ୍ରା ମୟୁରଭଞ୍ଜ ପରିକ୍ରମା କରିଥିବାବେଳେ କେବଳ ସ୍ମୃତି ଦିବସରେ କିଛି ନେତା ଯୋଗଦେଇ ଦାୟୀତ୍ବ ସାରିଦିଅନ୍ତି । ସହୀଦଙ୍କ ଉଦ୍ୟେଶରେ କଙ୍କାକାଳିଆଙ୍କ ନାମରେ ନାମିତ ଏକ ଯୁବକସଂଘ ପକ୍ଷରୁ ସ୍ମତି ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କିଛି କରାଯାଇଥାଏ । ମାତ୍ର ସରସକାରୀ ସ୍ତରରେ ସହୀଦଙ୍କ ସମ୍ମାନାର୍ଥେ ପ୍ରତିମୂର୍ତ୍ତି କିମ୍ବା ସ୍ମତି ସ୍ତମ୍ଭ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।