ମୟୁରଭଞ୍ଜ,୧/୭ (ସନ୍ଧାନ ନିୟୁଜ ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଘୁଡ଼ାଘାଗୁରୀ ଗ୍ରାମର ଅଷ୍ଟମ
ଶ୍ରେଣୀର ଜଣେ ଛାତ୍ରୀ କୌଣସି କାରଣରୁ ବିଷାକ୍ତ ପଦାର୍ଥ ଖାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଉକ୍ତ ଛାତ୍ରୀଙ୍କ ବାପା ଶାରଦା ହେମ୍ରମ ଓ ପରିବାର ଲୋକମାନେ ଘରେ ଝିଅ ସମ୍ବାରୀ ହେମ୍ରମ(୧୪)ଙ୍କୁ ଛାଡି ସିଙ୍ଗିଡ଼ା ନିକଟସ୍ଥ ତୁମ୍ବାସାହିର ସମ୍ପର୍କୀୟ ଘରକୁ ସୁଧି କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ଝିଅ ସମ୍ବାରୀ ବାନ୍ତି କରୁଥିବା ଗ୍ରାମବାସୀ ଦେଖି ଶାରଦାଙ୍କୁ ଖବର ଦେଇଥିଲେ। ଖବର ପାଇ ଶାରଦା ସଙ୍ଗେ ସଙ୍ଗେ ଘରକୁ ଫେରି ଝିଅକୁ ନେଇ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବାଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଞ୍ଜନାମା କରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Report From odiapua