ଗଜପତି, ୨୪/୩ (ସନ୍ଧାନ ନିୟୁଜ) ଖାଦ୍ୟ ବିଷାକ୍ତ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏପରି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏସ୍.ମାରିଙ୍ଗି ଗାଁ ଆବାସିକ ସ୍କୁଲରୁ। ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ୫ ଜଣ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ସ୍କୁଲରେ ଭାତ, ଡାଲି ଓ ଟମାଟୋ ଖଟା ଖାଇଥିଲେ ଛାତ୍ରୀ। ତେବେ ଅଚାନକ୍ ଆଜି ଅସୁସ୍ଥ ହୋଇପଡ଼ି ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ହେଲେ କିପରି ଏବଂ କେଉଁ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
ସେପଟେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ମୃତ ଛାତ୍ରୀଙ୍କ ଶବ ପୋଷ୍ଟମର୍ଟମ ଲାଗି ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।