ରସୁଲପୁର, ୩/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ଗ୍ରାମରେ ଜଳ ବିଭାଜିକ ବିଭାଗ ପକ୍ଷରୁ ଏକ ପୋଖରୀ ଖନନ କରାଯାଉଛି । ପୋଖରୀ ଖନନ କରାଯାଉଥିବା ଜମି ଏକ ବିବାଦୀୟ ଜମି ବୋଲି ଜଣାପଡିଛି । ଉକ୍ତ ଜମିକୁ ନେଇ ମାମଲା କୋର୍ଟରେ ରହିଛି । ଜମିର କିସମକୁ ନେଇ ବିବାଦ ଲାଗି ରହିଛି । ଏ ଯାବତ୍ କୋର୍ଟ ପକ୍ଷରୁ ମାମଲାକୁ ନେଇ କୌଣସି ରାୟ ଶୁଣାଯାଇ ନାହିଁ । ହେଲେ ଗ୍ରାମର କିଛି ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ହାତକରି ପୋଖରୀ ଖନନ କାର୍ଯ୍ୟ ଜାରି ରଖିଛନ୍ତି । ବିଭାଗ ପକ୍ଷରୁ ଜମିଜମା ସଂପର୍କିତ କାଗଜପତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରୁ ସଂଗ୍ରହ ନକରି ପୋଖରୀ ଖନନ କରିବା ଘଟଣା ବିଭାଗୀୟ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣି ଆଣିଛି । ଏହାଛଡା କୋର୍ଟରେ ମାମଲା ରହିଥିଲେ ବି ତାକୁ ଅଣଦେଖା କରି ପୋଖରୀ ଖୋଳିବା ଦ୍ୱାରା ବିଭାଗ ଆଇନକୁ ହାତକୁ ନେଇଛି ବୋଲି କୁହାଯାଉଛି । ଏ ଦିଗରେ ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଜିଲା ପ୍ରକଳ୍ପ ନିଦେ୍ର୍ଦଶଜଙ୍କ ନିକଟରେ ଦାବି ହୋଇଛି ।
ଘଟଣାରୁ ପ୍ରକାଶ ଏହି ଗ୍ରାମ ନଢିଆଳି ମୌଜାର ଖାତା ନଂ-୧୪୦, ପ୍ଲଟ ନଂ-୦୭,୦୯,୧୯,୪୬୩-୬୪-୬୭ରେ ଅଶୋକ ବାରିକଙ୍କର ସତ୍ୱ ରହିଛି । ଏ ନେଇ ଅଶୋକଙ୍କ ନିକଟରେ ପଟ୍ଟା ବି ରହିଛି । ଏ ନେଇ ସମସ୍ତ ପୁରଣା ଦାସ୍ତାବିଜ୍ ଅଭିଯୋଗକାରୀଙ୍କ ନିକଟରେ ରହିଛି । ଜମିର କିସମ ପରିବର୍ତ୍ତନ ହୋଇ ଅନାବାଦି ହୋଇଛି ବୋଲି ଜାଣିବା ପରେ ଅଶୋକଙ୍କ ପକ୍ଷରୁ ସିଭିଲ କେସ୍ ନଂ-୯୧୫/୧୪ରେ କୋର୍ଟରେ ମାମଲା ରହିଛି । ଉକ୍ତ ମାମଲା ସମାଧାନ ହୋଇନଥିବା ବେଳେ ବିଭାଗ ପକ୍ଷରୁ ପୋଖରୀ ଖନନକୁ ନେଇ ପ୍ରଶ୍ନ କରାଯାଇଛି । ଏହାଛଡା ପୋଖରୀରୁ ବାହାରୁଥିବା ମାଟିକୁ ପୋଖରୀ ହୁଡା ସୁଦୁୃଢିକରଣରେ ବ୍ୟବହାର କରାଯିବାର ବିଧିକୁ ପାଳନ କରାଯାଉ ନାହିଁ । ମାଟିକୁ ଅନ୍ୟତ୍ର ବିକ୍ରି କରାଯାଇ ଠିକାଦାରମାନେ ମାଲେମାଲେ ହେଉଛି । ଗୋଟିଏ କାମ ପାଇଁ ଦୁଇଟି ବାଟରୁ ଟଙ୍କା ମିଳି ଯାଉଛି ବୋଲି ଅଭିଯୋଗ ହେଉଛି । ଏହିଭଳି ନାନା ଅନିୟମିତତା ରହିଥିବା ଜମିରେ ପୋଖରୀ ଖନନକୁ ତୁରନ୍ତ ବନ୍ଦ କରାଯିବା ସହ ପୋଖରୀ ଖନନ ପଛରେ ମନ୍ଦ ଉଦେଶ୍ୟ ରଖିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ପ୍ରକାଶଥାଉ କି ରସୁଲପୁର ଜଳ ବିଭାଜିକା ପକ୍ଷରୁ ଏଭଳି ଭାବରେ ବହୁ ବେଆଇନ କାର୍ଯ୍ୟ କରାଯାଇ ଅର୍ଥ ହଡପ କରାଯାଉଥିବା ନେଇ ଅଭିଯୋଗ ହେଉଛି । ବିଭାଗ ନାନା ସମୟରେ ବିବାଦୀୟ ଜମିରେ ପୋଖରୀ ଖୋଳି ବିବାଦ ଭିତରେ ରହିଆସୁଛି । ଏବେ ପୁଣି ସାମନ ଅଭିଯୋଗ ଆସୁଥିବାରୁ ବିଭାଗ ପାଇଁ ଅଡୁଆ ବଢାଇବ ଦେଇଛି । ଏ ନେଇ ଉଚ୍ଚ କତ୍ତୃପକ୍ଷଙ୍କ କୋହଳ ମନୋଭାବ ଯୋଗୁଁ ଏହି ବ୍ଲକର ପ୍ରକଳ୍ପ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବିବାଦୀୟ ଜମିରେ ପୋଖରୀ ଖନନ, ଜିଲା ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ
|
March 4, 2019 |